Latest Odisha News

ଆଜି ପବିତ୍ର ଚିତାଲାଗି ଅମାବାସ୍ୟା, ୪ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

ପୁରୀ: ଆଜି ପବିତ୍ର ଚିତାଲାଗି ଅମାବାସ୍ୟା । ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ମଧ୍ୟରେ ଶ୍ରୀବିଗ୍ରହମାନଙ୍କ ଚିତାଲାଗି ନୀତି ଅନୁଷ୍ଠିତ ହେବ । ଏଣୁ ଅପରାହ୍ନ ୨ଟାରୁ ୬ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ । ଭୋଗ ମଣ୍ଡପ ଶେଷ ପରେ ଠାକୁରଙ୍କ ଏହି ସ୍ୱତନ୍ତ୍ର ନୀତି ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

ଖବର ଅନୁଯାୟୀ, ଗତ ସ୍ନାନପୂର୍ଣ୍ଣମୀରେ ଅତ୍ୟଧିକ ସ୍ନାନ ହେତୁ ମହାପ୍ରଭୁ ଅଣସର ପିଣ୍ଡିରେ ଜ୍ବରରେ ପୀଡିତ ହୋଇପଡିଥିବା ବେଳେ ସୁବର୍ଣ୍ଣ ଖଚିତ ଚିତାକୁ କାଢ଼ି ଦିଆଯାଇଥିଲା । ସେହି ଚିତାକୁ ଭଣ୍ଡାର ଘରେ ସୁରକ୍ଷିତ ରଖାଯାଇଥିବା ବେଳେ ଆଜି ଅମାବାସ୍ୟା ତିଥିରେ ଭଣ୍ଡାର ଘରୁ ଅଣାଯାଇ ମହାପ୍ରଭୁଙ୍କ ଶ୍ରୀମସ୍ତକରେ ଲାଗି କରାଯିବ ।ମହାପ୍ରଭୁ ଜଗନ୍ନାଥଙ୍କୁ ହୀରା, ଶ୍ରୀବଳଭଦ୍ରଙ୍କୁ ମାଣିକ୍ୟ ଓ ଦେବୀ ସୁଭଦ୍ରାଙ୍କୁ ଲୀଳା ଖଚିତ ସୁବର୍ଣ୍ଣଚିତା ପରମ୍ପରା ଅନୁସାରେ ଲାଗି କରାଯିବ । ଏହା ଗୁପ୍ତ ନୀତି ହୋଇଥିବାରୁ ଶ୍ରୀମନ୍ଦିରରେ ପ୍ରଥମ ଭୋଗମଣ୍ଡପ ନୀତି ପରେ ଆପାତଃ ଦିନ ୨ଟାରୁ ସନ୍ଧ୍ୟା ୬ଟା ମଧ୍ୟରେ ଚିତା ଲାଗି କରାଯିବ । ଏହି ସମୟରେ ସାଧାରଣ ଦର୍ଶନ ପ୍ରାୟ ୪ ଘଣ୍ଟା ଧରି ବନ୍ଦ ରହିବା ନେଇ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି । ତେବେ ଏହି ସମୟରେ ପାର୍ଶ୍ବ ଦେବଦେବୀଙ୍କୁ ଦର୍ଶନ କରି ପାରିବେ ଭକ୍ତ ।

ଚିତାଲାଗି ଅମାବାସ୍ୟା ବା ଚିତଉ ଉଆଁସ ଓଡ଼ିଶାରେ ପାଳିତ ଏକ ଗଣପର୍ବ । ଏହା ଶ୍ରାବଣ ମାସର ଅମାବାସ୍ୟା ତିଥିରେ ପାଳିତ ହୋଇଥାଏ । ଏହି ଦିନ ଗେଣ୍ଡା ଆଦି ଜଳଚର ପ୍ରାଣୀଙ୍କ ଉଦ୍ଦେଶ୍ୟରେ ଚିତଉ ପିଠା ତିଆରି କରି ଅର୍ପଣ କରାଯାଇଥାଏ। ଏହା ଓଡିଶାର ପଶୁଯନ୍ତୁ ପ୍ରତି ଭଲ ପାଇବାର ଉଦାହରଣ। ଏହି ପ୍ରଥା ଶବର ପରମ୍ପରାରୁ ଆସିଛି ବୋଲି କୁହାଯାଏ। ତେବେ ବାଲେଶ୍ୱର, ମୟୁରଭଞ୍ଜ ଓ କେଉଁଝର ଆଦି ଅଞ୍ଚଳରେ ଏହି ପର୍ବକୁ “ଗେଣ୍ଡାକଟା ଅମାବାସ୍ୟା” କୁହାଯାଏ । ଏହା ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଆଦିବାସୀମାନଙ୍କ ମଧ୍ୟରେ ଜନ୍ତୁଆଦିଙ୍କୁ ସନ୍ତୁଷ୍ଟ କରିବା ଉଦ୍ଦେଶ୍ୟରେ ପାଳିତ ପର୍ବମାନଙ୍କ ମଧ୍ୟରେ ଗୋଟିଏ ।

Comments are closed.