Latest Odisha News

BREAKING NEWS

ଆଜି ଉତ୍କଳ ଦିବସ, ଏହି ଦିନ ଓଡ଼ିଶାକୁ ମିଳିଥିଲା ସ୍ୱତନ୍ତ୍ର ପରିଚୟ

ଭୁବନେଶ୍ବର: ଆଜି ଅର୍ଥାତ୍ ୧୯୩୬ ମସିହା ଏପ୍ରିଲ୍ ୧ ତାରିଖ ଦିନ ଓଡ଼ିଶା ଏକ ସ୍ବତନ୍ତ୍ର ରାଜ୍ୟ ଭାବେ ଗଠିତ ହୋଇଥିଲା । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନକୁ ପୁରିଛି ୮୮ ବର୍ଷ । ପ୍ରତିଟି ଓଡ଼ିଆଙ୍କ ପାଇଁ ଏହା ଏକ ଗର୍ବ ଓ ଗୌରବର ଦିନ । ଏହି ଦିନ ଦେଶର ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଭାବେ ଓଡ଼ିଶା ଜନ୍ମ ନେଇଥିଲା । ଆଜିର ଦିନରେ ରାଜ୍ୟର ମାନ୍ୟତା ପାଇଥିଲା ଉତ୍କଳ । ଏହି ସ୍ମୃତିରେ ପ୍ରତିବର୍ଷ ଏପ୍ରିଲ୍ ମାସ ୧ ତାରିଖ ଦିନ ଉତ୍କଳ ଦିବସ ପାଳନ କରାଯାଇଥାଏ ।

ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦେବା ପାଇଁ ତିନି ଦଶନ୍ଧି ଧରି ଲାଗିରହିଥିଲା ବିପ୍ଳବ । ପୂର୍ବରୁ ଉତ୍କଳ ଖଣ୍ତ ବିଖଣ୍ତିତ ହୋଇ ଅନ୍ୟ ରାଜ୍ୟ ସହ ମିଶିକରି ଥିଲା । ରାଜ୍ୟର ପଶ୍ଚିମ ଭାଗ ଅର୍ଥାତ୍ ଆଜିର ପଶ୍ଚିମ ଓଡ଼ିଶା ସମ୍ବଲପୁର ମଧ୍ୟପ୍ରଦେଶ ସହିତ ମିଶିଥିଲା, ଉତ୍ତର ଓଡ଼ିଶା ବଙ୍ଗ ପ୍ରଦେଶରେ ସାମିଲ ଥିଲା । ସେହିପରି କିଛି ଅଂଶ ବିହାର ଏବଂ ମାଡ୍ରାସ ପ୍ରେସିଡେନ୍ସି ଅଧୀନରେ ରହିଥିଲା ।

ପ୍ରଥମେ ଓଡ଼ିଶା ରାଜ୍ୟ ୬ଟି ଜିଲ୍ଲା କଟକ, ପୁରୀ, ବାଲେଶ୍ବର, ସମ୍ବଲପୁର, କୋରାପୁଟ ଓ ଗଞ୍ଜାମକୁ ନେଇ ଗଠନ କରାଯାଇଥିଲା । ୧୯୫୦ ମସିହା ଜାନୁଆରୀ ୨୬ ତାରିଖରେ ଓଡ଼ିଶାରେ ଆଉ ୭ଟି ଜିଲ୍ଲା ଯୋଗ ହୋଇ ମୋଟ ୧୩ଟି ଜିଲ୍ଲା ହେଲା । ୧୯୯୨ ମସିହାରେ ଓଡ଼ିଶାର ୧୩ଟି ଜିଲ୍ଲାକୁ ପୁନଃବିଭାଜନ କରି ୩୦ଟି ଜିଲ୍ଲାରେ ବିଭକ୍ତ କରାଗଲା ।
ଉତ୍କଳ ଗୌରବ ମଧୁସୂଦନ ଦାସ, ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ, ଉତ୍କଳମଣି ଗୋପବନ୍ଧୁ ଦାସ, ବ୍ୟାସକବି ଫକୀରମୋହନ ସେନାପତି, ରାଧାନାଥ ରାୟ, ସ୍ବଭାବକବି ଗଙ୍ଗାଧର ମେହେରଙ୍କ ପରି ଓଡ଼ିଶାର ବୀରପୁତ୍ରମାନେ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପାଇଁ ସଂଘର୍ଷ କରିଥିଲେ। ଏହି ବୀରପୁତ୍ରଙ୍କ ଉଦ୍ୟମରେ ୧୯୦୩ରେ ପ୍ରଥମେ ଗଠନ ହେଲା ‘ଉତ୍କଳ ସମ୍ମିଳନୀ’। ଅବିଶ୍ରାନ୍ତ ସଂଗ୍ରାମ ପରେ ୧୯୩୬ ମସିହା ଏପ୍ରିଲ୍ ୧ରେ ଗଠନ ହେଲା ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ।

ଓଡ଼ିଶାର କଳା, ସାହିତ୍ୟ, ସଂସ୍କୃତି, ବାଣିଜ୍ୟ ଓ ପର୍ଯ୍ୟଟନ ବେଶ ସ୍ୱତନ୍ତ୍ର । ଆମର ମନ୍ଦିରରେ କଳା, ଭାସ୍କର୍ଯ୍ୟ ବିଶ୍ୱରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛି । ଆମ ଜାତି ଲଢୁଆ ଜାତି । ଆମର ତ୍ୟାଗ, ବଳିଦାନ ଇତିହାସ ବିଦିତ । ଦେଶ ସ୍ୱାଧୀନତାରେ ପାଇକ ସଂଗ୍ରାମର ଭୂମିକା ସର୍ବଦା ଇତିହାସରେ ସ୍ୱର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ ହୋଇ ରହିବ । ଓଡ଼ିଶା ଜାତିର ଅସ୍ମିତାର ସୁରକ୍ଷା ନେଇ ସଂଗ୍ରାମର କାହାଣୀ କୁହେ ଏହି ତାରିଖ ।

ଏହି ଦିନକୁ ସ୍ମରଣୀୟ କରିବା ପାଇଁ ଆଜି ରାଜ୍ୟବାସୀ ବେଶ୍ ଧୁମଧାମରେ ପାଳନ କରିବେ ଓଡ଼ିଶା ଦିବସ । ଉତ୍କଳ ଦିବସ ପାଇଁ ରାଜଧାନୀର ପ୍ରମୁଖ ସରକାରୀ କାର୍ଯ୍ୟାଳୟକୁ ରଙ୍ଗୀନ ଆଲୋକମାଳାରେ ସଜ୍ଜିତ କରାଯାଇଛି ।

Leave A Reply

Your email address will not be published.