Latest Odisha News

BREAKING NEWS

ଆଜି ବିଶ୍ଵ ହେପାଟାଇଟିସ୍ ଦିବସ: ବିଶ୍ୱବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ହେପାଟାଇଟିସ୍-ବି

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଜି ବିଶ୍ଵ ହେପାଟାଇଟିସ୍ ଦିବସ । ପ୍ରତି ବର୍ଷ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ଦ୍ଵାରା ୨୮ ଜୁଲାଇକୁ ବିଶ୍ଵ ହେପାଟାଇଟିସ୍ ଦିବସ ଭାବରେ ପାଳନ କରାଯାଏ । ହେପାଟାଇଟିସ୍ ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏହି ଦିନର ମୁଖ୍ୟ ଲକ୍ଷ । ଏହି ଅବସରରେ ଭାରତ ସରକାର ୨୮ ଜୁଲାଇ ୨୦୧୮ରେ ଜାତୀୟ ଭାଇରାଲ୍ ହେପାଟାଇଟିସ୍ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ହେପାଟାଇଟିସ୍ ଏପରି ଏକ ରୋଗ ଯାହାଦ୍ଵାରା ଯକୃତ ଅଧିକ ମାତ୍ରାରେ ସଂକ୍ରମିତ ହୋଇଥାଏ । ଏହା ଏକ ଭାଇରସ୍ ଜନିତ ରୋଗ ଅଟେ । ଏଥିରେ ଯକୃତ ଦୁର୍ବଳ ହେବା ସହ ହଜମ ପ୍ରକ୍ରିୟାରେ ବାଧା ସୃଷ୍ଟି ସୁଏ । ଅନେକ ସମୟରେ ଯକୃତ କାମ ନକରିବା ଦ୍ଵାରା ମନୁଷ୍ୟ ମୃତ୍ୟୁ ବରଣ କରିଥାଏ । ଏହି ରୋଗର ଲକ୍ଷଣ ଚିହ୍ନିବା କଷ୍ଟକର ହୋଇଥାଏ । ଏହିରୋଗରୁ ରକ୍ଷା ପାଇବା ପାଇଁ ଖାଦ୍ୟ ଏବଂ ପାନୀୟ ସେବନର ଯତ୍ନ ନେବା ନିତ୍ୟାନ୍ତ ଜରୁରୀ ।

BjdElectrycity

ହେପାଟାଇଟିସ୍ ଯକୃତକୁ ଆକ୍ରାନ୍ତ କରୁଥିବା ଏକ ଭୂତାଣୁ ଜନିତ ରୋଗ । ଏହା ଏ,ବି,ସି,ଡ଼ି,ଇ, ଆଦି ବିଭିନ୍ନ ପ୍ରକାରର ହୋଇଥାଏ । ହେପାଟାଇଟିସ୍ ଏ ଓ ଇ ଜଳ ଦ୍ଵାରା ଏବଂ ବି, ସି, ଡ଼ି ରକ୍ତ ଦ୍ଵାରା ସଂକ୍ରମିତ ହୋଇଥାଏ । ସାରା ବିଶ୍ଵରେ ପ୍ରତି ସେକେଣ୍ଡରେ ଜଣେ ବ୍ୟକ୍ତିଙ୍କର ହେପାଟାଇଟିସ୍ ଆକ୍ରାନ୍ତରେ ମୃତ୍ୟୁ ହେଉଛି । ଏଣୁ ଆମକୁ ଏଥିପ୍ରତି ସତର୍କ, ସଚେତନ, ଓ ଯତ୍ନବାନ ହେବାକୁ ପଡ଼ିବ । ଏହି ରୋଗ ବର୍ତ୍ତମାନ ସାରା ଦେଶ ପାଇଁ ଚିନ୍ତାର କାରଣ ପାଲଟିଛି । ଏହି ଭୂତାଣୁ ଏଚଆଇଭି ଠାରୁ ୧୦୦ଗୁଣା ଅଧିକ ସଂକ୍ରାମକ । ପ୍ରଦୂଷିତ ରକ୍ତ ଶରୀର ମଧ୍ୟକୁ ପ୍ରବେଶ କରିବା, ଚିକିତ୍ସା ସମୟରେ ପ୍ରଦୂଷିତ ଯନ୍ତ୍ର ବ୍ୟବହାର କରିବା ଦ୍ଵାରା ସଂକ୍ରମଣ ହୋଇଥାଏ ।

ସାରା ବିଶ୍ଵରେ ଏଚଆଇଭି, ଯକ୍ଷ୍ମା ଏବଂ ମ୍ୟାଲେରିଆ ଭଳି ରୋଗର ମୃତ୍ୟୁସଂଖ୍ୟା ହ୍ରାସ ପାଉଥିବାବେଳେ ହେପାଟାଇଟିସ୍ ରୋଗର ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ୨୦୦୦ ମସିହାରୁ ବର୍ତ୍ତମାନ ସୁଦ୍ଧା ମୃତ୍ୟୁସଂଖ୍ୟା ୨୨ପ୍ରତିଶତ ବଢ଼ିଥିବା ବେଳେ ବର୍ଷକୁ ପ୍ରାୟ ୩୦ଲକ୍ଷ ଲୋକ ସଂକ୍ରମିତ ହେଉଛନ୍ତି । ଏହି ରୋଗପାଇଁ ଗତ କିଛି ବର୍ଷ ହେବ ମାଗଣା ସ୍କ୍ରିନିଙ୍ଗ ଓ ଟିକାକରଣ ଯୋଗାଇ ଦିଆଯିବା ସହିତ ରୋଗ ଦୂର ପାଇଁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଉଛି । ଏହି ରୋଗର କିଛି ଲକ୍ଷଣ ଦେଖାଯାଏନାହିଁ ଫଳରେ ଆକ୍ରାନ୍ତ ରୋଗ ବିଷୟରେ ଆରମ୍ଭରୁ ଜାଣିପାରନ୍ତି ନାହିଁ ।

ସାରା ପୃଥିବିରେ ପ୍ରାୟ ୪୦କୋଟି ଲୋକ ହେପାଟାଇଟିସ୍ ରୋଗେ ଆକ୍ରାନ୍ତ । ପ୍ରାରମ୍ଭିକ ପର୍ଯ୍ୟାୟରେ ରୋଗ ଚିହ୍ନଟ ହେଲେ ଚିକିତ୍ସା ଦ୍ଵାରା ରୋଗୀ ସୁସ୍ଥ ହୋଇଥାଏ । ସଚେତନତା ହିଁ ଏହି ରୋଗରୁ ବଞ୍ଚେଇ ପାରିବ । ବିଶ୍ଵବ୍ୟାପୀ ଏହି ଭୟଙ୍କର ଭୂତାଣୁ ଜନିତ ରୋଗର ମୂଳପୋଛ କରିବାକୁ ଆମ ନିକଟରେ ସୁଯୋଗ ରହିଛି ଯାହା ଆମ ଭବିଷ୍ୟତ ପିଢ଼ିକୁ ଏହି ରୋଗରୁ ସୁରକ୍ଷା ଦେବ ।

Leave A Reply

Your email address will not be published.