କଟକ: ଗିରଫ ହେଲେ ନୂଆପଡା ଜିଲ୍ଲା କୋଟିପତି ସହକାରୀ ଯୋଗାଣ ଅଧିକାରୀ ରତ୍ନାକର ସେଠି । ଆୟ ଠାରୁ ୫୭୦ ଗୁଣା ସମ୍ପତି ଠୁଳ କରିଥିଲେ । ମୋଟ ୬ କୋଟି ୪୩ ଲକ୍ଷ ଟଙ୍କା ର ସମ୍ପତି ଠାବ କରିଛି ଭିଜିଲାନ୍ସ। ରତ୍ନାକରଙ୍କ ସ୍ତ୍ରୀ’ଙ୍କ ନାଁ ରେ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି । ଆବଶ୍ୟକ ପଡିଲେ ଗିରଫ କରାଯିବ ବୋଲି ଭିଜିଲାନ୍ସ ଏସ୍ପି ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ, କଟକର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କ ନିର୍ଦେଶକ୍ରମେ ବୁଧବାର ଦିନ ଶ୍ରୀ ସେଠୀଙ୍କ କଟକ ଓ ନୂଆପଡ଼ା ବାସଭବନ ସମେତ ୬ଟି ସ୍ଥାନରେ ଏକକାଳୀନ ଚଢ଼ଉ ହୋଇଥିଲା।
ମିଳିଥିବା ସୂଚନା ଅନୁସାରେ କଟକର ଚାଉଳିଆଗଞ୍ଜରେ ଶ୍ରୀ ସେଠୀଙ୍କର ୪ମହଲା ଘର, ନୂଆପଡା ବାଲିସାହିରେ ଦୁଇ ମହଲା ଘର, ଏକ ତିନି ମହଲାର କଲ୍ୟାଣ ମଣ୍ତପ, ଗୁରୁଡ଼ିଝାଟିଆ ଓରନ୍ଦାସ୍ଥିତ ଫାର୍ମ ହାଉସ ରହିଥିବା ବେଳେ ସେଠାରେ ଭିଜିଲାନ୍ସ ଟିମ୍ ଚଢଉ କରିଥିଲା । ୨ କୋଟି ୧୨ ଲକ୍ଷ ୨୫ ହଜାର ଟଙ୍କାର ଚାଉଳିଆଗଞ୍ଜସ୍ଥିତ ୪ ମହଲା ଘରକୁ ଏକ ଘରୋଇ ଶିକ୍ଷାନୁଷ୍ଠାନ ଓ ନର୍ସି˚ହୋମକୁ ଭଡ଼ାରେ ଦିଆଯାଇଛି। ଗୁରୁଡ଼ିଝାଟିଆସ୍ଥିତ ଓରନ୍ଦାରେ ୩ ଏକରର ଫାର୍ମ ହାଉସ, ଚାଉଳିଆଗଞ୍ଜରେ ୩ ଓ ବାଲିସାହିରେ ଗୋଟିଏ ପ୍ଲଟକୁ ଭିଜିଲାନ୍ସ ତଦନ୍ତ ପରିସରଭୁକ୍ତ କରିଛି। ଏସବୁ ବାଦ୍ ୧ କୋଟି ୧୭ ଲକ୍ଷ ୫୪୮୨୮ ଟଙ୍କାର ବୀମା ତାଙ୍କ ପରିବାର ଲୋକଙ୍କ ନାମରେ ରହିଛି। ୨୦ ଲକ୍ଷ ୯୪ ହଜାର ଟଙ୍କାର ସୁନା ଓ ରୁପା ଗହଣା, ୧୬ ଲକ୍ଷ ୫୪ ହଜାର ୯୦୦ ଟଙ୍କାର ଘରୋଇ ଆସବାବପତ୍ର, ୩ଟି ଦୁଇଚକିଆ ଗାଡ଼ି ଇତ୍ୟାଦି ସହିତ ନଗଦ ଟଙ୍କା ଓ ସ୍ଥାବର, ଅସ୍ଥାବର ସମ୍ପତ୍ତିକୁ ମିଶାଇ ୬ କୋଟି ୭୩ ଲକ୍ଷ ଟଙ୍କାରୁ ଅଧିକ ସମ୍ପତ୍ତି ପ୍ରଥମ ଦିନରେ ଆକଳନ କରାଯାଇଛି। ଏବେ ବି ଯାଞ୍ଚ ଜାରି ରହିଥିବାରୁ ଆଗକୁ ସଂପତ୍ତି ପରିମାଣ ଆହୁରି ବଢିବା ଆକଳନ କରାଯାଉଛି।
ଚଢ଼ାଉ ସମୟରେ ଭିଜିଲାନ୍ସ ଟିମ୍ ଯୋଗାଣ ବିଭାଗର ଅଫିସରୁ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରିଛନ୍ତି। ଚଢ଼ାଉ ପରେ ଶ୍ରୀ ସେଠୀଙ୍କୁ ନୂଆପଡ଼ା ଭିଜିଲାନ୍ସ ଅଫିସକୁ ନେଇ ଜେରା କରାଯାଇଥିଲା। ପରେ ଭବାନୀପାଟଣା ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଥିଲା। ଏହାପରେ ତାଙ୍କୁ ଭବାନୀପାଟଣାଠାରେ ଅଟକ ରଖାଯାଇଥିବା ଜଣାପଡ଼ିଛି। କଟକ ଭିଜିଲାନ୍ସ ଡିଏସ୍ପି ହେମନ୍ତ ମହାନ୍ତି, ଇନ୍ସପେକ୍ଟର ଅଂଶୁମାଳା ଦାସ, ଉଲିପି ବେହେରା, ଦୀନବନ୍ଧୁ ବେହେରା, ଏସ୍ଆଇ ବିବି ନନ୍ଦ, ଏସ୍. ବେହେରାଙ୍କ ସହ ୨ଜଣ କନେଷ୍ଟବଳ ଉପସ୍ଥିତ ଥିଲେ ।
Comments are closed.