Latest Odisha News

ଜନ୍ମମାଟିକୁ ଫେରିଲା ସହିଦ ଯବାନଙ୍କ ମରଶରୀର: ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ଶେଷକୃତ୍ୟ

ଭୁବନେଶ୍ବର: ଜନ୍ମମାଟିକୁ ଫେରିଲା ସହିଦ ବୀର ଯବାନ ସୁଶାନ୍ତ ଖୁଣ୍ଟିଆଙ୍କ ପାର୍ଥିବ ଶରୀର । କେନ୍ଦୁଝର ଆନନ୍ଦପୁର ସ୍ଥିତ ଜନ୍ମମାଟିରେ ପହଞ୍ଚିଛି  ମରଶରୀର  । ବୀର ଯବାନ ସୁଶାନ୍ତଙ୍କ ଶେଷ ଦର୍ଶନ ପାଇଁ ସାରା କେନ୍ଦୁଝର ମାଟି ଚାହିଁବସିଛି  । ମରଶରୀର ପହଞ୍ଚିବା ପରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ଶେଷକୃତ୍ୟ ସମ୍ପନ୍ନ କରାଯିବ । ଝାଡଖଣ୍ଡ ମାଓ ହମଲାରେ ସହିଦ ହୋଇଛନ୍ତି ସିଆରପିଏଫ ଯବାନ ସୁଶାନ୍ତ ଖୁଣ୍ଟିଆ  । ସୁଶାନ୍ତ ୨୦୧୧ ମସିହାରେ ସିଆରପିଏଫ ଯବାନ ଭାବରେ ନିଯୁକ୍ତି ପାଇଥିବା ବେଳେ ଦୁଇ ମାସ ତଳେ ସେ ବିବାହ କରିଥିଲେ  । ସୁଶାନ୍ତଙ୍କ ଦେହାନ୍ତକୁ ମିଶାଇ ମାତ୍ର ଦୁଇ ବର୍ଷ ଭିତରେ ତାଙ୍କ ବାପା ଏବଂ ଦୁଇ ଭାଈଙ୍କର ମଧ୍ୟ ଦେହାନ୍ତ ହୋଇଯାଇଛି  । ଏବେ ଘରେ ମୂରବି କହିଲେ କେହିନାହାନ୍ତି ।

ଓଡିଆ ଯବାନ ସୁଶାନ୍ତଙ୍କୁ ଆଜି ସାରା ଦେଶ ଝୁରୁଥିବାବେଳେ ସହିଦଙ୍କ ମୃତ୍ୟୁରେ ଶୋକପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ।  ମୁଖ୍ୟମନ୍ତ୍ରୀ ଏକ ଟ୍ବିଟ୍ କରି ଶୋକପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି  । ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ନକ୍ସଲ ଆକ୍ରମଣରେ ଓଡିଆ ସିଆରପିଏଫ ଯବାନ ସୁଶାନ୍ତ ଖୁଣ୍ଟିଆ ସହିଦ ହୋଇଥିବା ଖବର  ବିଷୟରେ ଜାଣି ମୁଁ ଦୁଃଖିତ  । ମାଟି ମାର ସେବାରେ ତାଙ୍କର ବଳିଦାନ ସର୍ବଦା ସ୍ମରଣୀୟ ରହିବ  । ବୀର ଯବାନଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ  ପ୍ରତି ମୋର ସମବେଦନା ଜଣାଉଛି ।

ସୂଚନା ଅନୁଯାୟୀ, ଝାଡଖଣ୍ଡ ପଶ୍ଚିମ ସିଂହଭୂମି ଗୋଏଲ କେରାଟେଣ୍ଟୋ ଥାନା କୋଲହନ ଜଙ୍ଗଲରେ  ସିଆରପିଏଫ୍ ଯବାନଙ୍କର କମ୍ବିଂ ଅପରେସନ ଚାଲିଥିଲା  । ସେହି ସମୟରେ ନକ୍ସଲ ପୋତିଥିବା ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣରେ ଓଡିଶାର ସୁଶାନ୍ତ ଖୁଣ୍ଟିଆ ସହିଦ ହୋଇଥିବାବେଳେ ବିହାରର ଜଣେ ଯବାନ ଗୁରୁତର ହୋଇଛନ୍ତି । ଗୁରୁତର ଯବାନ ମୁନା ଲାଲ ଯାଦବଙ୍କୁ ରାଞ୍ଚି ଇଣ୍ଡିକୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି  । କମ୍ବିଂ ବେଳେ ନକ୍ସଲ କ୍ୟାମ୍ପ ଠାବ ହେବା ସହ ବିପୁଳ ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ ହୋଇଛି । ସୁଶାନ୍ତଙ୍କ ମୃତ୍ୟୁ ଖବର ସାରା ଦେଶକୁ ସ୍ପବ୍ଧ କରିଦେଇଛି ।

Leave A Reply

Your email address will not be published.