Latest Odisha News

ଆସନ୍ତାକାଲି ଓୟୁଟିଆର ପାଳିବ ତୃତୀୟ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର: ଓଡିଶା ବୈଷୟିକ ଓ ଗବେଷଣା ବିଶ୍ଵବିଦ୍ୟାଳୟ (ଓୟୁଟିଆର୍) ଆସନ୍ତାକାଲି ପାଳନ କରିବ ତୃତୀୟ ପ୍ରତିଷ୍ଠା ଦିବସ । ବିଶ୍ଵବିଦ୍ୟାଳୟ ପକ୍ଷରୁ ଶେଷ ହୋଇଛି ପ୍ରସ୍ତୁତି । ଏହି ଅବସରରେ କୃତୀ ଅଧ୍ୟାପକ, ଅଣଶିକ୍ଷକ ଓ ଛାତ୍ରଛାତ୍ରୀଙ୍କୁ ବିଶ୍ଵବିଦ୍ୟାଳୟ ପକ୍ଷରୁ ପୁରସ୍କୃତ କରାଯିବ । ନୂତନ ଭାବେ ପ୍ରତିଷ୍ଠା ହୋଇଥିବା ଏହି ବିଶ୍ବବିଦ୍ୟାଳୟ ତିନି ବର୍ଷ ମଧ୍ୟରେ ଭିତ୍ତିଭୂମି ସୁଦୃଢ କରିବା ସହ ଗବେଷଣାକୁ ପ୍ରାଥମିକତା ଦେଇଛି । ବର୍ତ୍ତମାନ ଶିକ୍ଷାନୁଷ୍ଠାନରେ ୫ ହଜାରରୁ ଅଧିକ ଛାତ୍ରଛାତ୍ରୀ ପାଠପଢୁଥିବା ବେଳେ ୨ ଶହରୁ ଊର୍ଦ୍ଧ୍ଵ  ଅଧ୍ୟାପକ ଶିକ୍ଷାଦାନ କରୁଛନ୍ତି ।

ଆୟୋଜିତ ହେବାକୁ ଥିବା ପ୍ରତିଷ୍ଠା ଦିବସରେ ରାଜ୍ୟ ଶିଳ୍ପ ଏବଂ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ମୁଖ୍ୟ ଅତିଥି, ଏକାମ୍ର-ଭୁବନେଶ୍ୱର ବିଧାୟକ ବାବୁ ସିଂ ସମ୍ମାନିତ ଅତିଥି ଏବଂ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ଏନ.ବି.ଏସ ରାଜପୁତ ସମ୍ମାନିତ ଅତିଥି ଭାବରେ ଯୋଗଦେବେ। ବିଶ୍ଵ ବିଦ୍ୟାଳୟର କୁଳପତି ପ୍ରଫେସର ବିଭୂତି ଭୂଷଣ ବିଶ୍ଵାଳ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିବେ ସହ କୁଳସଚିବ ରେଣୁପ୍ରଭା ନାୟକ ଉପସ୍ଥିତ ରହିବେ । ଉକ୍ତ କାର୍ଯ୍ୟକ୍ରମରେ ଉପଲବ୍ଧ ହେବାକୁ ଥିବା ବିଭିନ୍ନ ସୁବିଧାର ଉଦଘାଟନ କରାଯିବା ସହ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯିବାର କାର୍ଯ୍ୟକ୍ରମ ରହିଛି।

ସୂଚନାଯୋଗ୍ୟ, ଓୟୁଟିଆର୍ ପୂର୍ବରୁ ଏହି ଶିକ୍ଷାନୁଷ୍ଠାନ କଲେଜ ଅଫ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି (ସିଇଟି) ମହାବିଦ୍ୟାଳୟ ଭାବେ ୧୯୮୧ରେ ପ୍ରତିଷ୍ଠା ହୋଇଥିଲା । ୨୦୧୭ରେ ଶିକ୍ଷାନୁଷ୍ଠାନକୁ ସ୍ବୟଂଶାସିତ ମହାବିଦ୍ୟାଳୟ ଓ  ୨୦୨୧ରେ ବିଶ୍ଵବିଦ୍ୟାଳୟ ମାନ୍ୟତା ମିଳିଥିଲା। ଶିକ୍ଷାନୁଷ୍ଠାନରେ ବି.ଟେକରେ ୧୪ଟି ବ୍ରାଞ୍ଚ ଥିବାବେଳେ ବି. ଆର୍କ୍ ଏବଂ ବି. ପ୍ଲାନ୍ ବ୍ରାଞ୍ଚ ରହିଛି । ଏଥି ସହିତ ଏମ୍ଏସ୍‌ସି, ପିଏଚଡି, ଇଣ୍ଟିଗ୍ରେଟେଡ୍ ଏମ୍ ଏସ୍‌ସି, ଏମ୍ ଟେକ୍, ଏମ୍‌.ଏ, ଏମ୍‌ସିଏ, ଏମ୍ ପ୍ଲାନ୍ ଏବଂ ନୂଆ କରି ଇ ମାଷ୍ଟର୍ସ ପାଠ୍ୟକ୍ରମ ମାନ ଆରମ୍ଭ ହୋଇଛି।

Leave A Reply

Your email address will not be published.