ଆସନ୍ତାକାଲି ନାମାଙ୍କନ ଦାଖଲର ଶେଷ ଦିନ: କିଏ ହାସଲ କରିବ ଚାଷୀଙ୍କ ସମର୍ଥନ ?
ଇନପୁଟ ସହାୟତା ବନାମ ଫସଲ ବୀମାରେ ଫସିଯାଇଛି ଉପନିର୍ବାଚନ
ବରଗଡ଼: ପଦ୍ମପୁର ଉପନିର୍ବାଚନ ନାମାଙ୍କନ ଦାଖଲ କରିବାକୁ ଆଜି ମଝିରେ ଗୋଟିଏ ଦିନ ରହିଲା । ଆସନ୍ତାକାଲି ନାମାଙ୍କନ ପତ୍ର ଦାଖଲ କରିବାର ଶେଷଦିନ ହୋଇଥିବା ବେଳେ ଏବେ ଯାଏଁ ନାମାଙ୍କନ ପତ୍ର ଦାଖଲ କରିନାହାନ୍ତି କୈାଣସି ପ୍ରାର୍ଥୀ। ନାମାଙ୍କନକୁ ନେଇ ବିଳମ୍ଭ କରିବାର କାରଣ ହେଉଛି ଚାଷୀଙ୍କ ଦାବି । ସବୁ ଦଳର ପ୍ରାର୍ଥୀ ଏବଂ ସ୍ବାଧୀନ ବିଧାୟକ ନାମାଙ୍କନ ପତ୍ର ଦାଖଲ ତ ନିଶ୍ଚୟ କରିବେ ତେବେ ଚାଷୀଙ୍କୁ ଅସନ୍ତୁଷ୍ଟ କରି ଏପର୍ଯ୍ୟନ୍ତ କେହି ନାମାଙ୍କନ ଦାଖଲ କରିନଥିବା ଦେଖାଯାଇଛି ।
ଚାଷୀମାନେ ଯେଉଁ ଦାବି ନେଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଧାରଣାରେ ବସିଛନ୍ତି ସେ ଦାବି କେନ୍ଦ୍ର ଓ ରାଜ୍ୟ ସରକାର ଅନେକାଂଶରେ ମାନିଯାଇଛନ୍ତି । ରାଜ୍ୟ ସରକାର ଇନପୁଟ ସହାୟତା ଦେବାକୁ ଘୋଷଣା କରିଥିବା ବେଳେ କେନ୍ଦ୍ର ସରକାର ଫସଲ ବୀମା ଚାଷୀଙ୍କୁ ଦେବା ପାଇଁ ନିର୍ଦେଶ ଦେଇଛନ୍ତି । ତେବେ ସବୁଠୁ ବଡ଼ କଥା ହେଉଛି ଚାଷୀଙ୍କ ନୂଆ ଜିଲ୍ଲା ଗଠନ ଦାବି ଗ୍ରହଣ କରିବା ଏତେ ସହଜ ନୁହେଁ । ରାଜନୀତି ସମୀକ୍ଷକଙ୍କ ମତରେ ଏହି ଦାବି ବିଭିନ୍ନ ଦଳ ପାଇଁ ଗ୍ରହଣ କରିବା ସହଜ ନୁହେଁ କାରଣ ଏଥିରେ ଭବିଷ୍ୟତ ରାଜନୀତିକୁ ପ୍ରଭାବିତ କରିବାର ବାର୍ତ୍ତା ଯାଇପାରେ ।
ଆଜି ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ ନକରିବାର କାରଣ ହେଲା ପଦ୍ମପୁର ଚାଷୀମାନେ ବିଭିନ୍ନ ଦଳର ନେତାମାନଙ୍କୁ ଅନୁରୋଧ କରୁଛନ୍ତି ଯେ ଯେ ପର୍ଯ୍ୟନ୍ତ ଚାଷୀଙ୍କ ଦାବି ପୂରଣ ନହୋଇଛି କେହି ନାମାଙ୍କନ ପତ୍ର ଦାଖଲ ନକରିବା ପାଇଁ । ତେବେ ଆଉ ହାତରେ ଗୋଟିଏ ଦିନ ଥିବାରୁ ଆଜି ନହେଲେ କାଲି ନାମାଙ୍କନ ପତ୍ର ଦାଖଲ କରିବେ ପ୍ରାର୍ଥୀ । ଉପନିର୍ବାଚନରେ ବିଜେଡି, ବିଜେପି, କଂଗ୍ରେସ ଦଳ ଚାହୁଁନି ଚାଷୀଙ୍କୁ ଅସନ୍ତୁଷ୍ଟ କରି ନିର୍ବାଚନ ମଇଦାନକୁ ଓହ୍ଲାଇବାକୁ ।
ପଦ୍ମପୁର ଉପନିର୍ବାଚନ ତାରିଖ ଘୋଷଣା ହେବା ପରେ ଦାବି ପୂରଣ ପାଇଁ ଦୁଇ ସପ୍ତାହ ହେଲା ଚାଷୀ ଧାରଣାରେ ବସିଛନ୍ତି । ଚାଷୀଙ୍କ କିଛି ଦାବିରେ ମଧ୍ୟ ଯଥାର୍ଥ ରହିଥିବା ଆଲୋଚନା ହେଉଛି । ବୋଡ଼ାସମ୍ବର କୃଷକ ସଂଗଠନର ନେତୃତ୍ବରେ ଶତାଧିକ ଚାଷୀ ନେତା ଫସଲ ବୀମା ଓ ଇନ୍ପୁଟ୍ ସବ୍ସିଡ୍ ଦାବି କରିଆସୁଛନ୍ତି । ଚାଷୀମାନେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିବାରୁ ନାମାଙ୍କନ ପତ୍ର ଦାଖଲ କରିବାକୁ ଏପର୍ଯ୍ୟନ୍ତ କୈାଣସି ନେତା ସାହସ କରୁନାହାଁନ୍ତି। ତେବେ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ଏହି ଦୁଇଟି ଦାବି ପୂରଣ ପାଇଁ ଘୋଷଣା କରିଥିବାରୁ ଚାଷୀମାନେ ଆଜି କିମ୍ବା କାଲି ଆନ୍ଦୋଳନରୁ ଉଠିବା ନେଇ ରାଜନୀତି ସମୀକ୍ଷକ ମତ ପ୍ରକାଶ କରିଛନ୍ତି ।
ମରୁଡ଼ି ପ୍ରଭାବିତ ଅଞ୍ଚଳର କ୍ଷତିଗ୍ରସ୍ତ ଚାଷୀଙ୍କୁ ୨୦୦ କୋଟି ଟଙ୍କାର ଇନ୍ପୁଟ୍ ସହାୟତା ରାଶି ପ୍ରଦାନ କରିବାକୁ ଇତି ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଏହି ଘୋଷଣା ଚାଷୀଙ୍କୁ କେତେକାଂଶରେ ଖୁସି ପ୍ରଦାନ କରିଛି ।
ରାଜନୀତି ସମୀକ୍ଷକଙ୍କ ମତରେ ଚାଷୀଙ୍କ ଅନ୍ୟ ଏକ ବଡ଼ ଦାବି ଯାହା କି ଜିଲ୍ଲା ଗଠନ ଦାବିକୁ ନେଇ ସର୍ବଦଳୀୟ ବୈଠକରେ ଚାଷୀମାନଙ୍କୁ ନେଇ ଆଲୋଚନା କରାଯିବାକୁ ସବୁ ଦଳ ଚାଷୀଙ୍କୁ ପ୍ରତିଶ୍ରୁତି ଦେଇପାରନ୍ତି । ଏପରିକି ମୁଖ୍ୟମନ୍ତ୍ରୀ ଏ ବିଷୟରେ କିଛି ଆଶ୍ବାସନା ଦେଇପାରନ୍ତି ।
ପୂର୍ବରୁ ହୋଇଥିବା ସର୍ବଦଳୀୟ ବୈଠକରେ ଚାଷୀମାନେ ନେତାମାନଙ୍କୁ ଦାବି ପୂରଣ ନହେବା ପର୍ଯ୍ୟନ୍ତ ନାମାଙ୍କନ ନକରିବାକୁ ଅନୁରୋଧ ଜଣାଇଥିଲେ। ଚାଷୀଙ୍କୁ ସମ୍ମାନ ଜଣାଇ ବିଜେପି ପୁରୋହିତ ପ୍ରାର୍ଥିପତ୍ର ଦାଖଲ ନକରି ଚାଷୀମାନଙ୍କ ହୃଦୟ କେତେକାଂଶରେ ଜିତିଛନ୍ତି । ବିଜେଡି ଓ କଂଗ୍ରେସ ଦଳ ମଧ୍ୟ ଚାଷୀଙ୍କ ଆନ୍ଦୋଳନକୁ ସମର୍ଥନ କରୁଛନ୍ତି। ଫଳରେ ବିଜେଡି, ବିଜେପି କଂଗ୍ରେସ ପ୍ରାର୍ଥୀଙ୍କ ମଧ୍ୟରୁ କେଉଁ ରାଜନୈତିକ ଦଳର ପ୍ରାର୍ଥୀ ପ୍ରଥମେ ପ୍ରାର୍ଥିପତ୍ର ଦାଖଲ କରିବେ ତାହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି । ଏଭଳି ପରିସ୍ଥିତିରେ ପଦ୍ମପୁରର ଚାଷୀମାନଙ୍କଠାରୁ କେଉଁ ଦଳ କେଉଁ ନେତା ସମର୍ଥନ ହାସଲ କରିବେ ? ତାହାକୁ ଅପେକ୍ଷା ।
Comments are closed.