Latest Odisha News

ଆସନ୍ତାକାଲିଠୁ ତାତିରେ ବ୍ରେକ୍, ୧୦ ଯାଏ ପ୍ରବଳ ବର୍ଷା

ଭୁବନେଶ୍ୱର: ଦୀର୍ଘଦିନର ଅସହ୍ୟ ଗରମର ଯନ୍ତ୍ରଣା ପରେ ଅଗ୍ନିବର୍ଷାରୁ ରକ୍ଷା ମିଳିବାକୁ ଯାଉଛି। ଆସନ୍ତା ୬ ତାରିଖରୁ ସାରା ରାଜ୍ୟରେ ତାତି ଓ ଗ୍ରୀଷ୍ମପ୍ରବାହରୁ ଆଶ୍ୱସ୍ତି ମିଳିବ। କିନ୍ତୁ ଉପକୂଳରେ ୪ ତାରିଖରୁ ତାତି ଖସିଯିବା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରିଛନ୍ତି। ଗତକାଲି ସନ୍ଧ୍ୟାରେ ରାଜ୍ୟର ଅଧିକାଂଶ ଅଂଚଳରେ କାଳବୈଶାଖୀ ଓ ସାମାନ୍ୟ ବର୍ଷା ଯୋଗୁଁ ତାପମାତ୍ରାରେ ସାମାନ୍ୟ ହ୍ରାସ ଘଟିଥିଲେ ମଧ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିଥିଲା।

ଗତ ଦୁଇ ସପ୍ତାହରୁ ଅଧିକ ସମୟ ଧରି ରାଜ୍ୟବାସୀ ପ୍ରଚଣ୍ଡ ତାତିରେ କଲବଲ ହେଉଥିଲେ। ସକାଳ ୮ଟାରୁ ତାତି ମାଡ଼ି ଆସୁଥିଲା। ସନ୍ଧ୍ୟା ଯାଏ ତାତିର ଜ୍ୱଳା ସମସ୍ତଙ୍କୁ କଲବଲ କରୁଥିଲା। ଗତକାଲି ବଲାଙ୍ଗୀର ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା। ସେଠାରେ ତାପମାତ୍ରା ୪୫ ଡିଗ୍ରୀ ସେଲସିଅସ ରେକର୍ଡ ହୋଇଥିଲା। ସେହିପରି ରାଜ୍ୟର ୨୯ଟି ସହରରେ ଦିନ ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ ରହିଥିଲା। ତେବେ ଏହି ତାତିରୁ କେବେ ରକ୍ଷା ପାଇବେ, ତାକୁ ସମସ୍ତେ ଚାହିଁ ରହିଥିଲେ। ଶେଷରେ ତାତି କମିବା ନେଇ ବଡ଼ ଖବର ଆସିଛି।

ଆସନ୍ତା ୬ ତାରିଖ ପରେ ଓଡ଼ିଶାରେ ଆଉ ହିଟ୍‌ୱେଭ ରହିବନି। ୬ ତାରିଖରୁ ରାଜ୍ୟରେ ଗ୍ରୀଷ୍ମପ୍ରବାହରେ ବ୍ରେକ୍ ଲାଗିବ। ୪ ରୁ ଉପକୂଳ ଓଡ଼ିଶାରେ ତାପମାତ୍ରା ହ୍ରାସ ପାଇବ। ତାତି ବି କମିଯିବ ବୋଲି ପାଣିପାଗ ଆକଳନ କରିଛି। ତେବେ ଆସନ୍ତା ୩ ଦିନ ଯାଏ ପାଣି ପାଗରେ ବିଶେଷ ପରିବର୍ତ୍ତମ ହେବନି। କିନ୍ତୁ ମେ ୬ ରୁ ୧୦ ତାରିଖ ଯାଏଁ ରାଜ୍ୟର ବିସ୍ତୃତ ଅଞ୍ଚଳରେ ଭାରୀ ବର୍ଷା ହେବ। ଅନେକ ସ୍ଥାନରେ ତାତି ୬ ଡିଗ୍ରୀ କମିବା ଯୋଗୁଁ ତାପମାତ୍ରା ସ୍ୱାଭାବିକ ରହିବ। କିଛିସ୍ଥାନରେ ସ୍ୱଭାବିକଠାରୁ କମ ତାପମାତ୍ରା ରହିପାରେ।

Comments are closed.