ଭୁବନେଶ୍ୱର: ରାଜ୍ୟର ପ୍ରଥମ ଏବଂ ଦେଶର ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଆସନ୍ତାକାଲି ମତଦାନ ଅନୁଷ୍ଠିତ ହେବ । ଏଥିପାଇଁ ପ୍ରଚାର କାର୍ଯ୍ୟ ଶେଷ ହୋଇଛି । ଏହି ପର୍ଯ୍ୟାୟରେ ରାଜ୍ୟର ୪ଟି ଲୋକସଭା ଏବଂ ଏହା ଅନ୍ତର୍ଗତ ୨୮ଟି ବିଧାନସଭା ଆସନ ପାଇଁ ଭୋଟ୍ଗ୍ରହଣ ଅନୁଷ୍ଠିତ ହେବ । ମେ’ ୧୩ରେ କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଏବଂ କୋରାପୁଟ୍ ସଂସଦୀୟ କ୍ଷେତ୍ର ପାଇଁ ୩୭ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ସେମାନଙ୍କ ମଧ୍ୟରେ ୩୦ଜଣ ପୁରୁଷ ଏବଂ ୭ ଜଣ ମହିଳା ପ୍ରାର୍ଥୀ ରହିଛନ୍ତି । ପ୍ରଥମ ପର୍ଯ୍ୟାୟ ପାଇଁ ମୋଟ୍ ୭ହଜାର ୩୦୩ ମତଦାନ କେନ୍ଦ୍ର କରାଯାଇଛି ।
କୋରାପୁଟ, କଳାହାଣ୍ଡି ଏବଂ ବ୍ରହ୍ମପୁର ଲୋକସଭା ଆସନ ପାଇଁ ୧୧ ଜଣ ଲେଖାଏଁ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଥିବାବେଳେ ନବରଙ୍ଗପୁର ଲୋକସଭା ଆସନ ପାଇଁ ୪ ଜଣ ପ୍ରାର୍ଥୀ ନିଜର ରାଜନୈତିକ ଭାଗ୍ୟ ପରୀକ୍ଷା କରୁଛନ୍ତି । ୨୮ଟି ବିଧାନସଭା ଆସନ ପାଇଁ ୨୪୩ ଜଣ ପ୍ରାର୍ଥୀ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଛନ୍ତି । ମୋଟ୍ ୬୨ ଲକ୍ଷ ୮୭ ହଜାର ୨୨୨ ଜଣ ମତଦାତା ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ। ମତଦାତାଙ୍କ ମଧ୍ୟରେ ୩୦ ଲକ୍ଷ ୯୭ ହଜାର ୫୨୭ ଜଣ ପୁରୁଷ, ୩୧ ଲକ୍ଷ ୮୯ ହଜାର ୬୦ ଜଣ ମହିଳା ଏବଂ ୬୩୫ ଜଣ ତୃତୀୟ ଲିଙ୍ଗୀ ମତଦାତା ଅଛନ୍ତି।
ସେହିପରି ଆସନ୍ତାକାଲି ଦେଶରେ ଚତୁର୍ଥ ପର୍ଯ୍ୟାୟ ମତଦାନ ହେବ । ଏହି ପର୍ଯ୍ୟାୟରେ ୧୦ ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ୯୬ ଟି ଆସନ ପାଇଁ ଭୋଟ ଗ୍ରହଣ ହେବ । ଚତୁର୍ଥ ପର୍ଯ୍ୟାୟରେ ବିହାର, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ପଶ୍ଚିମବଙ୍ଗ, ଓଡିଶା, ଉତ୍ତର ପ୍ରଦେଶ ଓ ଝାରଖଣ୍ଡ ସହିତ ୧୦ ରାଜ୍ୟରେ ଭୋଟ ଗ୍ରହଣ ହେବ । ଚତୁର୍ଥ ପର୍ଯ୍ୟାୟରେ ଆନ୍ଧ୍ରପ୍ରଦେଶର ୨୫ଟି, ବିହାରର ୫ଟି, ଜମ୍ମୁ-କାଶ୍ମୀରର ଗୋଟିଏ, ଝାଡଖଣ୍ଡରେ ୪ଟି, ମଧ୍ୟପ୍ରଦେଶର ୮ଟି, ମହାରାଷ୍ଟ୍ରର ୧୧ଟି, ଓଡିଶାର ୪ଟି, ତେଲେଙ୍ଗାନାର ୧୭ଟି, ଉତ୍ତର ପ୍ରଦେଶର ୧୩ ଟି ଓ ପଶ୍ଚିମବଙ୍ଗର ୮ ଲୋକସଭା ଆସନ ପାଇଁ ଭୋଟ ଗ୍ରହଣ ହେବ । ଲୋକସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟରେ ଯେଉଁ ୯୬ ଟି ଲୋକସଭା ଆସନ ପାଇଁ ଭୋଟ ଗ୍ରହଣ ହେବ, ସେଠାରେ ମୋଟ ୧୭୧୭ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି । ଏହି ପର୍ଯ୍ୟାୟ ପାଇଁ ମୋଟ ୪୨୨୬ ଜଣ ପ୍ରାର୍ଥୀ ନାମାଙ୍କନ ଭରିଥିବା ବେଳେ ସେମାନଙ୍କ ମଧ୍ୟରୁ ବାକି ପ୍ରାର୍ଥୀଙ୍କର ନାମାଙ୍କନ ଖାରଜ ହୋଇଯାଇଛି ।
Comments are closed.