Latest Odisha News

BREAKING NEWS

ଟୁଥ୍‌ପେଷ୍ଟ ଟ୍ୟୁବ୍‌ରେ ରଙ୍ଗୀନ ପଟିର ରହସ୍ୟ

ଟୁଥ୍‌ପେଷ୍ଟ ଟ୍ୟୁବ୍‌ରେ ଥିବା ରଙ୍ଗୀନ ଚିହ୍ନକୁ ନେଇ ଭିନ୍ନ ଭିନ୍ନ ମତ । ଅନେକଙ୍କ ମତରେ ବିଭିନ୍ନ କମ୍ପାନୀ ଦ୍ୱାରା ପ୍ରସ୍ତୁତ ଟୁଥପେଷ୍ଟର ଠିକ ତଳପଟେ ବିଭିନ୍ନ ରଙ୍ଗର ଛୋଟ ଛୋଟ ପଟି ଆକାରରେ ଚିହ୍ନ ଥାଏ । ଏହି ଚିହ୍ନ ସୂଚିତ କରେ ଯେ ଟୁଥପେଷ୍ଟକୁ ପ୍ରସ୍ତୁତ କରିବା ପାଇଁ ବ୍ୟବହାର କରାଯାଇଥିବା ଉପାଦାନ ଗୁଡ଼ିକ ବାସ୍ତବରେ କ’ଣ ।

ଅନେକଙ୍କ ଯୁକ୍ତି ଟୁଥପେଷ୍ଟ ଟ୍ୟୁବ୍ ଉପରେ ଦିଆଯାଇଥିବା ନିଳ ରଙ୍ଗର ପଟିର ଅର୍ଥ ହେଉଛି ଏହା ରାସାୟନିକ ପଦାର୍ଥ ବର୍ଜିତ ଟୁଥ୍‌ପେଷ୍ଟ । ଅର୍ଥାତ୍ ଯଥାସମ୍ଭବ କମ୍ପାନୀ ପକ୍ଷରୁ ଟୁଥପେଷ୍ଟ ପ୍ରସ୍ତୁତି ବେଳେ ପ୍ରାକୃତିକ ପଦାର୍ଥ ବ୍ୟବହାରକୁ ଗୁରୁତ୍ୱ ଦିଆଯାଇଛି । ସେହିପରି କୌଣସି ଟୁଥପେଷ୍ଟର ଟ୍ୟୁବର ତଳପଟରେ ଯଦି ସବୁଜ ରଙ୍ଗର ପଟି ଥାଏ ତେବେ ଏହା ସମ୍ପୂର୍ଣ୍ଣ ରୂପେ ପ୍ରାକୃତିକ ଉପାୟରେ ପ୍ରସ୍ତୁତ କରାଯାଇଛି । ସିଧା ଭାବରେ କହିଲେ ପାରମ୍ପରିକ ପଦ୍ଧତି ଓ ଔଷଧୀୟ ବୃକ୍ଷର ଉପାଦାନକୁ ବ୍ୟବହାର କରି ଏହି ଟୁଥପେଷ୍ଟ ପ୍ରସ୍ତୁତ କରାଯାଇଛି, ଯାହା ଶରୀର ପାଇଁ ଉପଯୋଗୀ । ସେହିଭଳି ଲାଲ୍ ରଙ୍ଗର ପଟି ଥିବା ଟୁଥପେଷ୍ଟ ଟ୍ୟୁବର ଅର୍ଥ ହେଉଛି ଏହା କେବଳ ପ୍ରାକୃତିକ ଉପାୟରେ ପ୍ରସ୍ତୁତ ହୋଇନାହିଁ । ଏଥିରେ ଆବଶ୍ୟକ ପରିମାଣର ରସାୟନିକ ଉପାଦାନ ମିଶ୍ରଣ କରାଯାଇଛି ।
ସେହିପରି ଟ୍ୟୁବ୍ ଉପରେ ଥିବା କଳା ରଙ୍ଗର ପଟି ଅର୍ଥ ହେଉଛି ଟ୍ୟୁବ ଭିତରେ ଥିବା ଟୁଥପେଷ୍ଟ ହେଉଛି ସମ୍ପୂର୍ଣ୍ଣ ଭାବେ କେମିକାଲଯୁକ୍ତ ଟୁଥ୍‌ପେଷ୍ଟ । ଅର୍ଥାତ ସ୍ଥଳବିଶେଷରେ ଏହା ମଣିଷ ପାଇଁ ବ୍ୟବହାର ଉପଯୋଗୀ ନ ହୋଇ ପାରେ । ଚର୍ଚ୍ଚା ଚଳି ଆସୁଛି ଯେ, କେବଳ ନିଳ ଓ ସବୁଜ ରଙ୍ଗର ଚିହ୍ନ ଥିବା ଟୁଥ୍‌ପେଷ୍ଟ ବ୍ୟବହାର କରିବା ହିଁ ସ୍ୱାସ୍ଥ୍ୟପକ୍ଷେ ହିତକାରକ । ତେବେ ଏଭଳି ଚର୍ଚ୍ଚାର ବାସ୍ତବତା ନାହିଁ ବୋଲି ଆମେରିକାର ଏକ ସାଇଂଟିଫିକ୍ ଟିମ୍ ଦାବି ରଖନ୍ତି । ସାଇଂଟିଫିକ୍ ଆମେରିକାନ ୱେବସାଇଟ୍‌ରେ ଦର୍ଶାଯାଇଥିବା ତଥ୍ୟ ଅନୁସାରେ, ଦୁନିଆରେ ଉପଲବ୍ଧ ସମସ୍ତ ପ୍ରକାର ଟୁଥପେଷ୍ଟ ଅଳ୍ପବହୁତେ କେମିକାଲ ଯୁକ୍ତ । ଅର୍ଥାତ୍ ସବୁ ପ୍ରାକୃତିକ ସାମଗ୍ରୀରେ ନିର୍ମିତ ଟୁଥପେଷ୍ଟର ଉପାଦାନ ରସାୟନିକ ପଦାର୍ଥକୁ ବାଦ୍ ଦେଇ କଳ୍ପନା କରାଯାଇ ନ ପାରେ । ତେବେ ଏହି ସାଇଂଟିଫିକ ଟିମ୍ ସ୍ପଷ୍ଟ କରିଛି ଯେ, ଟୁଥପେଷ୍ଟ ଟ୍ୟୁବରେ ଦିଆଯାଇଥିବା ବିଭିନ୍ନ ରଙ୍ଗର ପଟି ଚିହ୍ନ କେବଳ ଟୁଥପେଷ୍ଟ ପ୍ରସ୍ତୁତକାରୀ ମେଶିନରେ ଥିବା ଲାଇଟ୍ ସେନ୍‌ସର ଲାଗି ଉଦିଷ୍ଟ ।

Leave A Reply

Your email address will not be published.