Latest Odisha News

[ଶୁଣନ୍ତୁ] ଦିନର ଟପ୍ ହେଡଲାଇନ୍ସ

୧) ହୀରାକୁଦ ଡ୍ୟାମର ଜଳସ୍ତର ବଢ଼ିବା ପରେ ୩୧ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ କରାଯାଉଛି । ପୂର୍ବରୁ ୨୬ଟି ଗେଟ୍ ଖୋଲିଥିବା ବେଳେ ଏବେ ଆଉ ୫ଟି ଗେଟ୍ ଖୋଲା ଯାଇଛ । ମୋଟ ୪୦ଟି ଗେଟ୍ ଖୋଲାଯିବ ବୋଲି ସୂଚନା ଦେଇଛନ୍ତି ସର୍ବୋଚ୍ଚ ଯନ୍ତ୍ରୀ । ହୀରାକୁଦରୁ ପାଣି ଛଡ଼ା ଯାଉଥିବା ବେଳେ ମହାନଦୀ ସହ ବୈତରଣୀ ଓ ବିଭିନ୍ନ ଶାଖା ନଦୀରେ ଜଳସ୍ତର ବଢ଼ୁଛି ।

୨) ବନ୍ୟାଜଳର ସଠିକ୍‌ ତଥ୍ୟ ଦେଉନାହିଁ ଛତିଶଗଡ଼ । ଯଦି ଠିକ୍‌ ସମୟରେ ସଠିକ୍‌ ତଥ୍ୟ ଛତିଶଗଡ଼ ଦେଇଥାନ୍ତା । ତେବେ ବନ୍ୟା ପରିଚାଳନାର ମଡ୍ୟୁଲ ଠିକ୍‌ ରହିଥାନ୍ତା ବୋଲି କହିଛନ୍ତି ସ୍ୱତନ୍ତ୍ର ରିଲିଫ୍‌ କମିଶନର । ଛତିଶଗଡ଼ ସଠିକ୍‌ ଭାବେ ତଥ୍ୟ ଦେଉ ନଥିବାରୁ ବନ୍ୟା ନିୟନ୍ତ୍ରଣରେ ଅନେକ ଅସୁବିଧା ହେଉଛି । ଆମେ କେବଳ ଆମର ପୂର୍ବ ଅଭିଜ୍ଞତା, CWC ଡାଟା, ଫିଲ୍ଡ ଇଂଞ୍ଜିନିୟରଙ୍କ ଡାଟାରୁ ପ୍ଲାନ ପ୍ରସ୍ତୁତ କରି ବନ୍ୟା ପରିଚାଳନା କରୁଛି ବୋଲି ଏସଆରସି କହିଛନ୍ତି ।

୩) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବନ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି । ଜୀବନ ହାନୀ ରୋକିବା ସହ ସାଧାରଣ ଜୀବନଯାତ୍ରାରେ କୌଣସି ବ୍ୟାପକ ଅସୁବିଧା ସୃଷ୍ଟି ନ ହେବା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ମହାନଦୀ ଅବବାହିକା ଅଞ୍ଚଳର ୧୦ଟି ଜିଲ୍ଲାରେ ବନ୍ୟା ହେବାର ସମ୍ଭାବନା ଦେଖାଦେଇଛି । ତେଣୁ ଏହି ୧୦ଟି ଜିଲ୍ଲାର ଜିଲ୍ଲାପାଳ ମାନେ ସତର୍କ ରହିବା ସହିତ ବନ୍ୟା ପରିସ୍ଥିତିକୁ ରୋକିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

୪) ବୁଧବାର ଜଗତସିଂହପୁର ଜିଲ୍ଲାର ସମସ୍ତ ବନ୍ୟାଞ୍ଚଳରେ ଥିବା ସ୍କୁଲକୁ ଛୁଟି ଘୋଷଣା କରିଛି ପ୍ରଶାସନ । ବନ୍ୟା ପାଣି ପଶିଥିବା ଓ ପାଣି ପସିବାର ସମ୍ଭାବନା ଥିବା ସ୍କୁଲଗୁଡ଼ିକ ବନ୍ଦ ରହିବା ନେଇ ଜିଲ୍ଲା ପ୍ରଶାସନ କହିଛି । ଜଗତସିଂହପୁର ଜିଲ୍ଲାରେ ମହାନଦୀ ଓ ଦେବୀ ନଦୀରେ ବନ୍ୟା ଜଳ ବୃଦ୍ଧି ପାଇବାରେ ଲାଗିଛି । ଅନେକ ଗାଁ ପାଣି ଘେରରେ ରହିଛି । ବଡ଼ବାଲିକଣି ଠାରେ ଏକ ବିରାଟ ଘାଇ ସୃଷ୍ଟି ହେବା ପରେ ୪ରୁ ୫ଟି ଗାଁ ଜଳବନ୍ଦୀ ହୋଇ ରହିଛି ।

୫) ସେପଟେ ନୟାଗଡ଼ରେ ୩୦ ବିଦ୍ୟାଳୟକୁ ଛୁଟି ଘୋଷଣା କରାଯାଇଛି । ମହାନଦୀରେ ବନ୍ୟାଜଳ ବଢୁଥିବା ଯୋଗୁଁ ନୟାଗଡ଼ରେ ୩୦ ବିଦ୍ୟାଳୟକୁ ଛୁଟି ଘୋଷଣା କରିଛି ଜିଲ୍ଲା ପ୍ରଶାସନ । ଛୁଟି ଘୋଷଣା ହୋଇଥିବା ସ୍କୁଲ ମଧ୍ୟରେ ଗଣିଆ ବ୍ଲକର ୯ଟି , ଭାପୁର ବ୍ଲକର ୧୨ ଏବଂ ଖଣ୍ଡପଡା ବ୍ଲକର ୯ଟି ରହିଛି । ମହାନଦୀରେ ଜଳସ୍ତର ବଢିବା ପରେ ନୟାଗଡ଼ ଗଣିଆ ଓ ଭାପୁର ବ୍ଲକରେ ପାଣି ପଶିଛି ।

୬) ବର୍ଷା ପରେ ବନ୍ୟା ସ୍ଥିତି ଜଟିଳ ହେଉଥିବା ବେଳେ ପୁଣି ଭିଜିବ ଓଡ଼ିଶା । ୧୯ ତାରିଖ ବେଳକୁ ଉତ୍ତର-ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି । ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ହେବ । ୧୮ ତାରିଖରୁ ବଢ଼ିବ ବର୍ଷାର ପରିମାଣ । ଲଘୁଚାପ ପ୍ରଭାବରେ ୨୧ ତାରିଖ ଯାଏ ବର୍ଷା ଲାଗି ରହିବା ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

୭) ପ୍ରଧାନ ଶିକ୍ଷକଙ୍କ ମାନସିକ ଚାପରେ ଅତିଷ୍ଠ ହୋଇ ବିଷ ପିଇଲେ ଶିକ୍ଷୟିତ୍ରୀ । ବିଷ ପିଇ ଅସୁସ୍ଥ ହୋଇଥିବା ଶିକ୍ଷୟିତ୍ରୀ ବାଲୁଗାଁ ମେଡିକାଲରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି । ଖୋର୍ଦ୍ଧା ଜିଲ୍ଲାର ଆଙ୍କୁଲାଚଟି ସ୍ଥିତ ପଞ୍ଚୁପଲୀ ସୋମନାଥ ସରକାରୀ ଉଚ୍ଚ ବିଦ୍ୟାଳୟରେ ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ମିଳିଥିବା ସୂଚନା ଅନୁସାରେ ଶିକ୍ଷୟିତ୍ରୀ ସନ୍ତୋଷୀ ବେହେରା ସ୍କୁଲରେ ବିଷ ପିଇଥିଲେ । ତାଙ୍କୁ ଉଦ୍ଧାର କରାଯାଇ ବାଲୁଗାଁ ମେଡିକାଲରେ ଭର୍ତ୍ତି କରାଯାଇଛି ।

୮) ମହଙ୍ଗା ମାଡରେ କଲବଲ ସାଧାରଣ ଜନତାଙ୍କୁ ଆଉ ଏକ ଝଟକା । ଆଉ ଦୁଇ ଟଙ୍କା ବଢିବ ଅମୂଲ ଏବଂ ମଦର ଡାଏରୀର କ୍ଷୀର ପକେଟ୍ ଦାମ । ନୂଆ ଦର ଅଗଷ୍ଟ ୧୭ରୁ ଲାଗୁ ହେବ । ପୁଣି ଥରେ ଦାମ ବଢିବା ଲୋକଙ୍କ ରୋଷେଇ ଘରର ବଜେଟ୍‌କୁ ଆହୁରି ବିଗାଡିବ। ଏହା ପୂର୍ବରୁ ମଦର ଡାଏରୀ ମାର୍ଚ୍ଚ ୭ରେ ଏକ ଲିଟର କ୍ଷୀର ପକେଟ୍‌ର ଦାମ ୨ ଟଙ୍କା ବଢାଇଥିଲା ।

୯) ଜମ୍ମୁ-କାଶ୍ମୀରର ପହଲଗାମରେ ବଡ଼ ଧରଣର ଦୁର୍ଘଟଣା ଘଟିଛି । ନଦୀକୁ ITBP ଯବାନଙ୍କ ବସ୍ ଖସି ପଡ଼ିଛି । ତାଜା ସୂଚନା ଅନୁସାରେ ଦୁର୍ଘଟଣାରେ ୬ ଜଣ ITBP ଯବାନ ସହିଦ ହୋଇଛନ୍ତି । ଏକାଧିକ ଯବାନ ଆହତ ହୋଇଛନ୍ତି । ସେମାନଙ୍କୁ ଆର୍ମି ହସ୍ପିଟାଲକୁ ଏୟାରଲିଫ୍ଟ କରାଯାଇଛି । ଅମରନାଥ ଯାତ୍ରାରେ ମୁତୟନ ହୋଇଥିବା ITBP ଯବାନ  ଏକ ବସରେ ଚନ୍ଦନୱାରୀରୁ ପହଲଗାମ ଅଭିମୁଖେ ଯାଉଥିଲେ ।

୧୦) ଜମ୍ମୁ-କାଶ୍ମୀରରେ ପୁଣି ଥରେ ଆତଙ୍କବାଦୀମାନେ କାଶ୍ମୀର ପଣ୍ଡିତଙ୍କୁ ଟାର୍ଗେଟ୍ କରିଛନ୍ତି । ଦକ୍ଷିଣ କାଶ୍ମୀରର ସୋପିଆନରେ ଆତଙ୍କବାଦୀମାନେ ଦୁଇ କାଶ୍ମୀର ପଣ୍ଡିତ ଭାଇଙ୍କୁ ଗୁଳିମାଡ କରିଛନ୍ତି । ସେମାନଙ୍କୁ ଆତଙ୍କୀମାନେ ଆଖିବୁଜା ଗୁଳିମାଡ କରିବା ପରେ ଜଣଙ୍କ ମୃତ୍ୟୁ ଘଟିଛି । ତାଙ୍କ ଭାଇ ଗୁରୁତର ହୋଇଛନ୍ତି । ତାଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

୧୧) ନୀତିଶ କୁମାରଙ୍କ ନୂଆ ଟିମ୍ । ମନ୍ତ୍ରୀ ଭାବେ ଶପଥ ନେଲେ ୩୧ ବିଧାୟକ । ବିହାରରେ ସରକାର ପରିବର୍ତ୍ତନ ପରେ ମଙ୍ଗଳବାର ମନ୍ତ୍ରିମଣ୍ଡଳର ବିସ୍ତାର ହୋଇଛି । ୩୧ ଜଣ ବିଧାୟକ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ରାଜ୍ୟପାଳ ସେମାନଙ୍କୁ ଶପଥ ପାଠ କରାଇଛନ୍ତି । ନୂଆକରି ମନ୍ତ୍ରୀ ଭାବେ ଶପଥ ନେଇଥିବା ବିଧାୟକଙ୍କ ତାଲିକାଲେ ଲାଲୁ ଯାଦବଙ୍କ ପୁଅ ତେଜପ୍ରତାପ ଯାଦବ ରହିଛନ୍ତି । ଜେଡିୟୁକୁ ଆରଜେଡି ଅପେକ୍ଷା ଅଧିକ ମନ୍ତ୍ରୀପଦ ମିଳିଛି

୧୨) ୟୁକ୍ରେନ ଏବଂ ରୁଷ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଏହା ମଧ୍ୟରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ବଡ଼ ଘୋଷଣା କରିଛନ୍ତି । ଲାଟିନ୍ ଆମେରିକୀୟ ଦେଶ, ଏସିଆ ଏବଂ ଆଫ୍ରିକାର ଦେଶଗୁଡିକ ସହିତ ନିଜର ସଂପର୍କ ଋଷ ନିବିଡ଼ କରିବ । ଏପରିକି ସମାନ ଚିନ୍ତାଧାରା ରଖୁଥିବା ସହଯୋଗୀ ଦେଶଗୁଡିକୁ ରୁଷର ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ଏବଂ ଜ୍ଞାନ କୌଶଳ ଯୋଗାଇ ଦିଆଯିବ ବୋଲି ପୁଟିନ୍ କହିଛନ୍ତି ।

୧୩) ଭାରତୀୟ ଫୁଟବଲ୍ ଫେଡେରେସନକୁ FIFA ନିଲମ୍ବିତ କରିଛି । ଫଳରେ ଅନିଶ୍ଚିତତା ମଧ୍ୟକୁ ଚାଲି ଯାଇଛି କଳିଙ୍ଗ ଷ୍ଟାଡିୟମରେ ଅକ୍ଟୋବରରେ ହେବାକୁ ଥିବା ଫିଫା ଅଣ୍ଡର-୧୭ ମହିଳା ବିଶ୍ୱକପ୍ ଆୟୋଜନ । AIFFକୁ FIFA ନିଲମ୍ବିତ କରିବା ପରେ କଳିଙ୍ଗ ଷ୍ଟାଡିୟମରେ ଅନ୍ତର୍ଜାତୀୟ ସ୍ତରର ଫୁଟବଲ୍ ମ୍ୟାଚ୍ ଆୟୋଜନ ନେଇ ଆଶଙ୍କା ପ୍ରକାଶ ପାଇଛି ।

୧୪) ବଲିଉଡ ଅଭିନେତ୍ରୀ ବିପାଶା ବସୁ ମାଆ ହେବାକୁ ଯାଉଛନ୍ତି । ବିପାଶା ଓ ତାଙ୍କ ସ୍ୱାମୀ କରଣ ସିଂ ଗ୍ରୋଭରଙ୍କ ଜୀବନରେ ଆସିବାକୁ ଯାଉଛନ୍ତି ନୂଆ ଅତିଥୀ । ବିପାଶା ବସୁ ତାଙ୍କ ଇନଷ୍ଟାଗ୍ରାମ ପୋଷ୍ଟରେ ତାଙ୍କର ପ୍ରେଗନେନ୍ସି ଥିବା ଖବରକୁ ନିଶ୍ଚିତ କରିଛନ୍ତି । ଏପ୍ରିଲ୍ ୨୦୧୬ରେ କରଣ ସିଂ ଗ୍ରୋଭର ଏବଂ ବିପାଶା ବସୁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ବିବାହର ୬ ବର୍ଷ ପରେ, ବର୍ତ୍ତମାନ ଏହି ଦୁଇ ଦମ୍ପତ୍ତିଙ୍କ ପିତାମାତା ହେବାର ଖବର ସାମ୍ନାକୁ ଆସିଛି ।

୧୫) ସୁପର ଡୁପର ହିଟ୍ ଫିଲ୍ମ ଦେଉଥିବା ଆମୀର କିଛି ସମୟ ହେବ ପାଇ ପାରୁ ନାହାନ୍ତି ସଫଳତା ।  ‘ଠଗ୍ସ ଅଫ୍ ହିନ୍ଦୁସ୍ତାନ୍’ ଫ୍ଲପ୍ ହେବା ପରେ ସେ ‘ଲାଲ୍ ସିଂହ ଚଡ୍ଡା’ରେ ପୁଣି ହିଟ୍ ଆଶାରେ କମ୍ ବ୍ୟାକ୍ କରିଥିଲେ ଆମୀର ।  ଫିଲ୍ମ ତିଆରିରେ ଦୀର୍ଘ ଦିନ ସମୟ ଲାଗିଥିଲା । କିନ୍ତୁ ଫିଲ୍ମ ୫ ଦିନରେ କମାଇଛି ପାଖାପାଖି ୪୮ କୋଟି ଟଙ୍କା । ଆମୀରଙ୍କ ଫିଲ୍ମ ଭଲ ପ୍ରଦର୍ଶନ କରିପାରି ନାହିଁ । ତେଣୁ ସେ ଡିଷ୍ଟ୍ରବ୍ୟଟର୍ସଙ୍କୁ ଟଙ୍କା ଫେରାଇବାକୁ ନିଷ୍ପତ୍ତି ନେଇଛନ୍ତି ।

Leave A Reply

Your email address will not be published.