Latest Odisha News

BREAKING NEWS

[ଶୁଣନ୍ତୁ] ଦିନର ଟପ୍ ହେଡଲାଇନ୍ସ

୧) ରାଷ୍ଟ୍ରପତି ନିର୍ବାଚନରେ ଦ୍ୱିତୀୟ ରାଉଣ୍ଡ ଭୋଟ୍ ଗଣତି ସରିଛି । ଦ୍ୱିତୀୟ  ରାଉଣ୍ଡରେ ମୋଟ ୧୦ଟି ରାଜ୍ୟର ଭୋଟ ଗଣତି ହୋଇଛି । ଦ୍ୱିତୀୟ ରାଉଣ୍ଡ ଶେଷ ସୁଦ୍ଧା ଦ୍ରୌପଦୀ ମୁର୍ମୁ ବହୁ ଭୋଟରେ ଆଗୁଆ ରହିଛନ୍ତି । ମୁର୍ମୁଙ୍କୁ ଦ୍ୱିତୀୟ ରାଉଣ୍ଡରେ ୮୦୯ ଖଣ୍ଡ ଭୋଟ୍ ମିଳିଥିବା ବେଳେ ଯଶୱନ୍ତ ସିହ୍ନାଙ୍କୁ ମିଳିଛି ୩୨୯ ଭୋଟ୍ । ପ୍ରଥମ ରାଉଣ୍ଡରେ ଦ୍ରୌପଦୀ ମୁର୍ମୁଙ୍କୁ ୫୪୦ ଖଣ୍ଡ ଭୋଟ୍ ମିଳିଥିବା ବେଳେ ମିଳିତ ବିରୋଧୀ ଦଳର ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ମିଳିଛି ୨୦୮ ଭୋଟ୍ । ସମୁଦାୟ ଭୋଟରୁ ୧୫ଟି ଭୋଟ୍ ନାକଚ ହୋଇଥିଲା ।

୨) ଦ୍ରୌପଦୀ ମୁର୍ମୁ ଦ୍ୱିତୀୟ ରାଉଣ୍ଡରେ ଆଗୁଆ ପରେ ବିଜୟ ନେଇ ଆଶା ଉଜ୍ଜୀବିତ ହୋଇଛି । ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ସହ ସାରା ରାଜ୍ୟରେ ଖୁସି ଖେଳି ଯାଇଛି । ବିଭିନ୍ନ ସ୍ଥାନରେ ଲୋକେ ମିଠା ବାଣ୍ଟିଛନ୍ତି । ଓଡ଼ିଶା ବିଜେପି କାର୍ଯ୍ୟାଳୟରେ ମଧ୍ୟ ସେଲିବ୍ରେସନ୍ ଆରମ୍ଭ ହୋଇଛି । ଆସନ୍ତା ୨୪ ତାରିଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ସରିବ । ୨୫ ତାରିଖରେ ଦେଶର ୧୫ତମ ରାଷ୍ଟ୍ରପତି ଶପଥ ଗ୍ରହଣ କରିବେ ।

୩) ଇଡିରେ ହାଜର ହେଲେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ନ୍ୟାସନାଲ ହେରାଲ୍ଡ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସୋନିଆ ଗାନ୍ଧୀଙ୍କୁ ପଚରାଉଚରା କରିଛି । ସୋନିଆଙ୍କୁ ଇଡି ଜେରା କରୁଥିବା ବେଳେ ବାହାରେ ପ୍ରିୟଙ୍କା ଗାନ୍ଧୀ ଓ ରାହୁଲ ଗାନ୍ଧୀ ଅପେକ୍ଷା କରି ରହିଥିଲେ । ପଚରାଉଚରା ପାଇଁ ସୋନିଆଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସମନ ଜାରି କରିଥିଲା । କଂଗ୍ରେସ ପକ୍ଷରୁ ଏହାକୁ ବିରୋଧ କରି ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଭୁବନେଶ୍ୱରରେ ରାଜ୍ୟ କଂଗ୍ରେସ ପକ୍ଷରୁ ଇଡି ଅଫିସ୍ ଆଗରେ ବିରୋଧ ପ୍ରଦର୍ଶନ କରାଯାଇଛି ।

୪) ପ୍ରିୟଙ୍କା ଗାନ୍ଧୀଙ୍କ ପରେ ଏବେ ସ୍ୱାମୀ ରବର୍ଟ ଭଦ୍ରା ବି ରାଜନୀତିରେ ଏଣ୍ଟ୍ରି କରିପାରନ୍ତି । ଆଜି ଇଡି ସୋନିଆ ଗାନ୍ଧୀଙ୍କୁ ଜେରା କରିବା ଉପରେ ପ୍ରତିକ୍ରିୟା ଦେଇ ଏପରି ସଂକେତ ଦେଇଛନ୍ତି ଭଦ୍ରା । ବିଜେପି କେନ୍ଦ୍ରୀୟ ଏଜେନ୍ସିର ଅପବ୍ୟବହାର କରୁଛି । ଯଦି ଆବଶ୍ୟକ ପଡ଼େ ତେବେ ସେ ରାଜନୀତିରେ ଆସିପାରନ୍ତି ବୋଲି ପରୋକ୍ଷରେ ଭଦ୍ରା ସୂଚନା ଦେଇଛନ୍ତି । ଏନେଇ ସେ କହିଛନ୍ତି ମୋତେ ଗୋଟିଏ ବିଜେପି ନେତାଙ୍କ ନାଁ କୁହନ୍ତୁ ଯାହାକୁ ଇଡି ଡାକି ପ୍ରଶ୍ନ କରିଛି। ପ୍ରତ୍ୟେକ ସମୟରେ ବିଜେପି ଅନୁଭବ କରୁଛି ଯେ ବିଜେପି ପଲିସି ପାଇଁ ଦେଶବାସୀ ଦୁଃଖୀ ଅଛନ୍ତି ।

୫) ସୋନିଆଙ୍କୁ ଇଡିର ଜେରା ନେଇ ଆଜି ପ୍ରଶ୍ନକାଳ ପରେ ଗୃହ ଆଉ ଚାଲି ପାରିନି । ଶୂନ୍ୟକାଳରେ ଇଡିର ଜେରାକୁ ନେଇ ବିଧାନସଭାରେ ବିରୋଧୀ ବିଜେପି ଓ କଂଗ୍ରେସ ସଦସ୍ୟ ମୁହାଁମୁହିଁ ହୋଇଥିଲେ । ଏପିରିକି ବାଚସ୍ପତିଙ୍କ ପୋଡିୟମ୍‌ ନିକଟକୁ ଆସି ହୋ ହାଲ୍ଲା କରିଥିଲେ କଂଗ୍ରେସ ସଦସ୍ୟ । ବାଚସ୍ପତି ୪ଟା ଯାଏ ଗୃହକୁ ମୁଲତବି ଘୋଷଣା କରିଥିଲେ ।

୬) ବିଧାୟକ ପାଣ୍ଠି ବୃଦ୍ଧି କରିବା ନେଇ ଗୃହରେ ସରଗରମ ଆଲୋଚନା ହୋଇଛି । ଉଭୟ ଶାସକ ଓ ବିରୋଧୀ ଦଳର ସଦସ୍ୟଙ୍କ ବିଧାୟକ ପାଣ୍ଠି ବୃଦ୍ଧି ପାଇଁ ଦାବି କରିଛନ୍ତି । ବର୍ତ୍ତମାନ ବିଧାୟକମାନଙ୍କର ପାଣ୍ଠି ୩ କୋଟି ରହିଛି । ସେଥିରୁ ୨ କୋଟି ସାଧାରଣରେ ଏବଂ ଉଚ୍ଚଶିକ୍ଷା ପାଇଁ ୫୦ ଲକ୍ଷ ଏବଂ ରାସ୍ତାଘାଟ ନିର୍ମାଣ ପାଇଁ ୫୦ ଲକ୍ଷ ଦିଆଯାଉଛି । ଯୋଜନା ଓ ସଂଯୋଜନା ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ କହିଛନ୍ତି, ବର୍ତ୍ତମାନ ବିଧାୟକ ପାଣ୍ଠି ବଢ଼ାଇବାର କୌଣସି ପ୍ରସ୍ତାବ ନାହିଁ । ସମୟ ଆସିଲେ ବିଚାର କରାଯିବ ।

୭) ଭୁବନେଶ୍ୱର ହୋଟେଲ ନିମନ୍ତ୍ରଣରେ ଘୋଟାଲା । ବନ୍ଧାହେଲେ OTDC ମ୍ୟାନେଜର ଓ ଠିକା କର୍ମଚାରୀ । ମ୍ୟାନେଜର ରାଜ୍ ଅର୍ଦ୍ଧେନ୍ଦୁ ଶେଖର ମହାନ୍ତି ଓ ଠିକା କର୍ମଚାରୀ ସୁନିଲ ଘଡେଇ ଗିରଫ ହୋଇଛନ୍ତି । ସୂଚନା ଅନୁଯାୟୀ, ଗତ ୬ ମାସରେ ୧୭ ଲକ୍ଷ ୫୦ ହଜାର ଟଙ୍କା ଆତ୍ମସାତ କରିଥିଲେ । ପ୍ରତିଦିନ ଆୟର ୫୦ ପ୍ରତିଶତ ଟଙ୍କା ନିଜ ଆକାଉଣ୍ଟକୁ ନେଇ ଯାଉଥିଲେ ଦୁଇ କର୍ମଚାରୀ । ଅଡିଟ୍ ବେଳେ ଏଭଳି ତଥ୍ୟ ଜଣାପଡ଼ିବା ପରେ ସହିଦନଗର ଥାନାରେ ଅଭିଯୋଗ ହୋଇଥିଲା । ପୋଲିସ ଘଟଣାର ତଦନ୍ତ କରି OTDC ମ୍ୟାନେଜର ଏବଂ ଠିକା କର୍ମଚାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

୮) ପୁରୀରେ ବଢ଼ୁଛି ନିଶା କାରବାରଷ ମହିଳାଙ୍କୁ ଢାଲ କରି ନିଶା କାରବାର କରୁଛନ୍ତି ମାଫିଆ । ପୁରୀ ବାସେଳି ଥାନା ଅନ୍ତର୍ଗତ ନୋଳିଆ ସାହି ଅଞ୍ଚଳରୁ ୨୭୬ ଗ୍ରାମ ବ୍ରାଉନସୁଗର ଜବତ କରିଛି ପୋଲିସର ସ୍ପେଶାଲ୍ ସ୍କ୍ୱାଡ୍ । କାରବାରରେ ସମ୍ପୃକ୍ତ ନୋଳିଆ ସାହିର ୫ ମହିଳାଙ୍କ ସହ ୮ ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ଠାରୁ ୨୬ ଲକ୍ଷ ମୂଲ୍ୟର ବ୍ରାଉନସୁଗର ସହ ୩୫ ହଜାର ଟଙ୍କା, ୫ଟି ମୋବାଇଲ ଓ ଗୋଟିଏ ବାଇକ୍ ଜବତ ହୋଇଛି ।

୯) ଅସୁରିକ୍ଷତ ଗଜରାଜ । ଗଞ୍ଜାମ ଜିଲା ଉତ୍ତର ଘୁମୁସର ବନଖଣ୍ଡ ଝାଡ଼ଭୂମି ପଞ୍ଚାୟତ କନ୍ଧନୂଆପଲ୍ଲୀ ଗାଁ ନିକଟ କାଜୁ ଜଙ୍ଗଲ ଭିତରୁ ଗୋଟିଏ ଦନ୍ତାହାତୀର ଗଳିତ ଶବ ଉଦ୍ଧାର ହୋଇଛି । ଦନ୍ତା ଶରୀରର ପଛଭାଗରେ ଏକ ଛିଦ୍ର ରହିଥିବା ବେଳେ ଡାହାଣ ଦାନ୍ତଟି ନାହିଁ । ଫଳରେ ତାକୁ ଗୁଳି କରି ଶିକାରୀମାନେ ଦାନ୍ତ ନେଇଯାଇଥିବା ସନ୍ଦେହ କରାଯାଉଛି । ମୃତ ଦନ୍ତାଟିର ବୟସ ଆନୁମାନିକ ୪୦ ବର୍ଷ ହେବ । ବନ ବିଭାଗର ଅଧିକାରୀ ମାନେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

୧୦) ପରଲୋକରେ ଅଭିନେତ୍ରୀ ରାଜେଶ୍ୱରୀ । ଜୀବନ ଯୁଦ୍ଧରେ ହାରିଗଲେ କ୍ୟାନସର ପୀଡ଼ିତା ଟେଲି ଅଭିନେତ୍ରୀ ରାଜେଶ୍ୱରୀ ରାୟ । ବୁଧବାର ବିଳମ୍ବିତ ରାତିରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି । ମସ୍ତିଷ୍କ ଓ ଫୁସ୍‌ଫୁସ୍‌ କ୍ୟାନସରରେ ପୀଡିତ ଥିଲେ ରାଜେଶ୍ୱରୀଷ କ୍ୟାନସରରୁ ଭଲ ମଧ୍ୟ ହୋଇ ଯାଇଥିଲେ । ହେଲେ ହଠାତ୍ ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ମେଡିକାଲ ଭର୍ତ୍ତି କରାଯାଇଥିଲା । ପରେ ଚିକିତ୍ସାଧିନ ଅବସ୍ଥାରେ ବୁଧବାର ରାତିରେ ତାଙ୍କର ଦେହାନ୍ତ ହୋଇଯାଇଛି ।

୧୧) କାଶୀପୁରରେ ହଇଜା ଥମିବାର ନାଁ ନେଉନି । ସଚେତନତା ସତ୍ତ୍ୱେ ଡାଇରିଆ ନିୟନ୍ତ୍ରଣକୁ ଆସୁନି । ଗୋଟିଏ ପରେ ଗୋଟିଏ ଗାଁକୁ ହଇଜା ବ୍ୟାପୁଥିବା ବେଳେ ୮ ଜଣଙ୍କ ଜୀବନ ଗଲାଣି । ଯାଞ୍ଚରୁ ଜଣାପଡ଼ିଛି ଦୂଷିତ ପାଣି ପାଇଁ ହଇଜା ବ୍ୟାପୁଛି । ଆଜି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ଗ୍ରାଉଣ୍ଡରେ ସ୍ଥିତି ପରଖିଛନ୍ତି । ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ନେତୃତ୍ୱରେ ଏକ ଟିମ୍ କାଶୀପୁର ବ୍ଲକର ବିଭିନ୍ନ ଗାଁରେ ଆକ୍ରାନ୍ତଙ୍କ ପରିବାକୁ ଭେଟି ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି । କାଶୀପୁରର ୨୦ ଗାଁକୁ ହଇଜା ବ୍ୟାପିଥିବା ଜଣାପଡ଼ିଛି ।

୧୨) ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ ହଜାରେ ଉପରେ ରହିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୧୧୯୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ଶୂନରୁ ୧୮ ବର୍ଷ ମଧ୍ୟରେ ୧୬୯ ଜଣ ସଂକ୍ରମିତ ଥିବା ବେଳେ କ୍ୱାରେଣ୍ଟାଇନରୁ ୬୯୯ ଓ ୪୯୭ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ପୂର୍ବଭଳି ଦୈନିକ ସଂକ୍ରମଣରେ ଖୋର୍ଦ୍ଧା ଜିଲ୍ଲା ଏବେ ଶୀର୍ଷରେ ରହିଛି । ଖୋର୍ଦ୍ଧା ଜିଲ୍ଲାରୁ ୩୧୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏବେ ବି ରାଜ୍ୟରେ ଟେଷ୍ଟ ପଜିଟିଭିଟ୍ ରେଟ୍ (TPR) ୫ ପ୍ରତିଶତ ଉପରେ ରହିଛି । ଖୋର୍ଦ୍ଧା, ଗଜପତି, ବୌଦ୍ଧ, ସୋନପୁର, ସମ୍ବଲପୁର, ସୁନ୍ଦରଗଡ଼ ଜିଲ୍ଲା ରେଡ୍ ଜୋନରେ ରହିଛି । ମୟୂରଭଞ୍ଜ, ଜଗତସିଂହପୁର ଓ କଟକ ଜିଲ୍ଲା ୟେଲୋ ଜୋନରେ ରହିଛି ।

୧୩) ଆସନ୍ତା ୨୪ ତାରିଖ ଯାଏ ରାଜ୍ୟରେ ନିର୍ଧୁମ ବର୍ଷିବ । ଓଡ଼ିଶା ଉପରେ ହେବାକୁ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ୨୨ରୁ ପ୍ରବଳ ବର୍ଷା ହେବ । ଉପକୂଳ ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଅତ୍ୟଧିକ ବର୍ଷା ହେବ । ଭୁବନେଶ୍ୱରର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଏହି ପୂର୍ବାନୁମାନ କରିଛି । ଏହାକୁ ନେଇ ସ୍ୱତନ୍ତ୍ର ରିଲିଫ କମିଶନର(ଏସ୍‌ଆରସି) ସତର୍କ ସୂଚନା ଜାରି କରିଛନ୍ତି । ଝାଡ଼ଖଣ୍ଡ ଓ ଏହାର ପାଶ୍ୱର୍ବର୍ତ୍ତୀ ଅଞ୍ଚଳ ଉପରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ବର୍ଷା ବଢ଼ିବ । ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ହେବ ।

୧୪) ଇରାକର କୁର୍ଦିସ୍ଥାନ ଅଞ୍ଚଳରେ ତୁର୍କୀର କାର୍ଯ୍ୟାନୁଷ୍ଠାର ଥମୁନାହିଁ । ତୁର୍କୀ ଉତ୍ତର ଇରାକର କୁର୍ଦ ବହୁଳ ଅଞ୍ଚଳରେ ବୋମାମାଡ କରିଛି । ଏଥିରେ ୮ ଜଣ ପ୍ରାଣ ହରାଇଥିବା ଜଣାପଡିଛି ।ଏହାସହ ୨୩ ଜଣ ଆହତ ହୋଇଛନ୍ତି । ଏହି ଆକ୍ରମଣ ଉତ୍ତର ଇରାକର ଦୋହୁକ ପ୍ରାନ୍ତରେ ହୋଇଥିଲା । ଇରାକ ମିଡିଆ ଅନୁସାରେ, କୁର୍ଦିସ୍ଥାନ ଓ ତୁର୍କୀ ସୀମାରେ ଥିବା ଜାଖୋ ସହରର ଏକ ରିସୋର୍ଟରେ ବୋମାମାଡ କରାଯାଇଥିଲା । ଯେଉଁଥିରେ ୮ ଜଣ ପ୍ରାଣ ହରାଇଛନ୍ତି ।

୧୫) ଆନ୍ତର୍ଜାତୀୟସ୍ତରରେ ଭାରତୀୟ ଆଥଲେଟଙ୍କ ପ୍ରଦର୍ଶନରେ ସୁଧାର ଆସୁଛି । ଚଳିତ ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପରେ ପ୍ରଥମ ଭାରତୀୟ ମହିଳା ଜାଭେଲିନ ଥ୍ରୋୟର ଭାବେ ଅନ୍ନୁ ରାନୀ ଫାଇନାଲରେ ପ୍ରବେଶ କରିଛନ୍ତି । ଗ୍ରୁପ ବି ଯୋଗ୍ୟତା ପର୍ଯ୍ୟାୟରେ ସେ ୫୯.୬୦ ମିଟର ଦୂରତାକୁ ଜାଭେଲିନ ଫିଙ୍ଗି ଏହି କୀର୍ତିମାନ ସ୍ଥାପନ କରିଛନ୍ତି । ଅନ୍ନୁ ଆରମ୍ଭ ୨ଟି ଥ୍ରୋ ଭଲ କରି ନ ଥିଲେ । ଶେଷ ଥ୍ରୋରେ ସେ ଗ୍ରୁପ ବିରେ ୫ମ ସ୍ଥାନରେ ଏବଂ ୩ଟି ଯାକ ଗ୍ରୁପର ଫଳାଫଳ ବିଚାରକୁ ନେଲେ ସେ ୧୨ଜଣଙ୍କ ମଧ୍ୟରେ ୮ମ ସ୍ଥାନରେ ରହିଛନ୍ତି ।

Leave A Reply

Your email address will not be published.