Latest Odisha News

[ଶୁଣନ୍ତୁ] ଦିନର ଟପ୍ ହେଡଲାଇନ୍ସ

୧) ଭାରତୀୟ ଇତିହାସରେ ସବୁଠୁ ଯୁବ ରାଷ୍ଟ୍ରପତି । ଦେଶର ପ୍ରଥମ ଆଦିବାସୀ ମହିଳା ଭାବେ ରାଷ୍ଟ୍ରପତି ସ୍ୱାଧୀନ ଭାରତରେ ଜନ୍ମିତ ପ୍ରଥମ ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି ଦ୍ରୌପଦୀ ମୁର୍ମୁ । ଦେଶର ପଞ୍ଚଦଶତମ ରାଷ୍ଟ୍ରପତି ଭାବେ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ ଶପଥ ନେଇଛନ୍ତି । ସଂସଦ ଭବନର ସେଣ୍ଟ୍ରାଲ୍ ହଲରେ ପ୍ରଧାନ ବିଚାରପତି ଜଷ୍ଟିସ୍ ଏନ.ଭି ରମଣା ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଏଥିସହ ଭାରତୀୟ ଇତିହାସରେ ଲେଖା ହୋଇଛି ନୂଆ ଅଧ୍ୟାୟ ।

୨) ଶପଥ ପାଠ ପରେ ଅଭିଭାଷଣ ରଖିଥିଲେ ରାଷ୍ଟ୍ରପତି । କହିଥିଲେ, ଦେଶର ସର୍ବକନିଷ୍ଠ ରାଷ୍ଟ୍ରପତି ଭାବରେ  ସୌଭାଗ୍ୟ ମନେ କରୁଛି । ଓଡ଼ିଶାର ଏକ ଛୋଟ ଆଦିବାସୀ ଗାଁରୁ ରାଜନୈତିକ ଜୀବନ ଆରମ୍ଭ ହୋଇଥିଲା । ସେ ହେଉଛନ୍ତି ତାଙ୍କ ଗାଁର ପ୍ରଥମ କଲେଜ୍ ଯାଇଥିବା ଝିଅ। କାଉନସିଲରରୁ ରାଷ୍ଟ୍ରପତି ହେବାର ସୌଭାଗ୍ୟ ତାଙ୍କୁ ମିଳିଛି । ଏବେ ଗୋଟିଏ ଗରିବ ପରିବାରର ପିଲା ବି ସ୍ୱପ୍ନ ଦେଖିବାରେ ସକ୍ଷମ ହେବ । ସମସ୍ତେ ଏକଜୁଟ ହୋଇ ଆତ୍ମନିର୍ଭର ଭାରତ ଗଢ଼ିବାକୁ ଆହ୍ୱାନ ଦେଇଥିଲେ ରାଷ୍ଚ୍ରପତି ।

୩) ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପାଇଁ ବିଧାନସଭାରେ ଆସିବ ସଂକଳ୍ପ ପ୍ରସ୍ତାବ । ବିଧାନସଭାର ଶୂନ୍ୟ କାଳରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଏ ନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଓଡ଼ିଆ ଝିଅ ରାଷ୍ଟ୍ରପତି ଭାବେ ସୋମବାର ଶପଥ ନେଇଛନ୍ତି । ଯାହା ଆମ ପାଇଁ ଗୌରବର ବିଷୟ । ଆଜି ଓଡ଼ିଶା ପାଇଁ ଗର୍ବ ଓ ଗୌରବର ଦିନ । ତେଣୁ ଏଥିପାଇଁ ବିଧାନସଭା ପକ୍ଷରୁ ସର୍ବ ସମ୍ମତି କ୍ରମେ ସଂକଳ୍ପ ପ୍ରସ୍ତାବ ଅଣାଯିବ ବୋଲି ବାଚସ୍ପତି କହିଛନ୍ତି ।

୪) ରାଜ୍ୟରେ ପ୍ରତିଷ୍ଠା ହେବ ଆଉ ୧୨ଟି ନୂଆ ଇସ୍ପାତ କାରଖାନା । ବିଧାନସଭାରେ ବିଜେଡି ବିଧାୟକ ଧ୍ରୁବଚରଣ ସାହୁଙ୍କ ପ୍ରଶ୍ନରେ ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଲିଖିତ ଉତ୍ତର ରଖିଛନ୍ତି । ପ୍ରତିଷ୍ଠା ହେବାକୁ ଯାଉଥିବା ଇସ୍ପାତ କାରଖାନା ମଧ୍ୟରେ ସୁନ୍ଦରଗଡରେ ସର୍ବାଧିକ ୩ଟି ରହିଥିବା ବେଳେ ଯାଜପୁରରେ ରହିଛି ୨ଟି କାରଖାନା । ସେହିପରି ଅନୁଗୁଳ, କେନ୍ଦ୍ରାପଡା, ଝାରସୁଗୁଡା, ଢେଙ୍କାନାଳ, କେନ୍ଦୁଝର, ଜଗତସିଂହପୁର ଓ ଅନୁଗୋଳ ଜିଲ୍ଲାରେ ଗୋଟିଏ ଲେଖାଏ ଇସ୍ପାତ କାରଖାନା ପ୍ରତିଷ୍ଠା ହେବାକୁ ଯାଉଛି ।

୫) ଭୁବନେଶ୍ୱର ୟୁନିଟ୍-୨ରେ ଭଙ୍ଗାଯିବ ୪୧୦ଟି ସରକାରୀ କ୍ୱାର୍ଟର । ବିଧାନସଭାରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହୀନିପତିଙ୍କ ପ୍ରଶ୍ନରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲିଖିତ ଉତ୍ତର ରଖିଛନ୍ତି । ଏହିସବୁ କ୍ୱାର୍ଟରକୁ ଭାଙ୍ଗି ପିପିପି ମୋଡ୍‌ରେ ପୁନଃନିର୍ମାଣ କରିବା ଲାଗି ରାଜ୍ୟ ସରକାରଙ୍କ ଯୋଜନା ରହିଛି । ୟୁନିଟ୍-୬ ଅନ୍ତର୍ଗତ ୫୦ଟି କ୍ୱାର୍ଟର ଭଙ୍ଗାଯାଇ ପୋଷ୍ଟ ଗ୍ରାଜୁଏଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ଏଜୁକେସନ ଆଣ୍ଡ୍ ରିସର୍ଚ୍ଚ, କ୍ୟାପିଟାଲ ହସ୍ପିଟାଲ ନିର୍ମାଣ ହେବ ।

୬) ଅଭିଯୋଗ ଶୁଣାଣି ବେଳେ ଦିବ୍ୟାଙ୍ଗ ଅଭିଯୋଗକାରୀଙ୍କ ଆତ୍ମାହୂତି ଉଦ୍ୟମ । ଦିଗପହଣ୍ଡି ବ୍ଲକ୍ ସମ୍ମିଳନୀ କକ୍ଷରେ ଗଞ୍ଜାମ ଜିଲ୍ଲାପାଳ ଏବଂ ବ୍ରହ୍ମପୁର ଆରକ୍ଷୀ ଅଧୀକ୍ଷକଙ୍କ ମିଳିତ ଅଭିଯୋଗ ଶୁଣାଣି ଚାଲିଥିଲା । ଏହି ସମୟରେ ଜଣେ ଦିବ୍ୟାଙ୍ଗ ଅଭିଯୋଗକାରୀ ବାଳକୃଷ୍ଣ ଦୋରା ବିଷ ପିଇ ଦେଇଥିଲେ । ସେ ପ୍ରଶାସନ ନିକଟରେ ବହୁବାର ଅଭିଯୋଗ କରିବା ପରେ କେହି ନ ଶୁଣିବାରୁ ବିଷ ପିଇଦେଇଥିଲେ । ଦିବ୍ୟାଙ୍ଗ ଗୁରୁତର ହେବାରୁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି ।

୭) ପ୍ରତି ଜିଲ୍ଲାରେ ୭୫ କିଲୋମିଟର ପଦଯାତ୍ରା କରିବ କଂଗ୍ରେସ । ଏ ନେଇ ସୂଚନା ଦେଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ସେ କହିଛନ୍ତି, ଅଗଷ୍ଟ ୯ରୁ ୧୪ ତାରିଖ ପର୍ଯ୍ୟନ୍ତ ପଦଯାତ୍ରା କରିବ କଂଗ୍ରେସ l ଦେଶ ସ୍ୱାଧୀନତାର ୭୫ବର୍ଷ ପୂରଣ ହେଉଥିବାରୁ ଏଆଇସିସି ଏହି ନିଷ୍ପତ୍ତି ନେଇଛି । ପଦଯାତ୍ରା ମାଧ୍ୟମରେ ଲୋକଙ୍କୁ ସଚେତନ କରିବ କଂଗ୍ରେସ । ଏହି ପଦଯାତ୍ରାରେ ସ୍ଥାନୀୟ ବିଧାୟକ, ବରିଷ୍ଠ ନେତା, ସାଂସଦ ପ୍ରାର୍ଥୀ, ବ୍ଲକ୍ ଅଧ୍ୟକ୍ଷଙ୍କ ସମେତ ବରିଷ୍ଠ ନେତା ଯୋଗଦେବେ ।

୮) ଶିକ୍ଷା ବିଭାଗ ଘୋଟାଲା ମାମଲାରେ ଗିରଫ ପଶ୍ଚିମବଙ୍ଗ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଭୁବନେଶ୍ବର ଏମ୍ସରେ ଭର୍ତ୍ତି ହୋଇଛନ୍ତି । ସୋମବାର ଭୁବନେଶ୍ବର ବିମାନବନ୍ଦରରେ ଆଣିବା ପରେ ଏମ୍ସରେ ଭର୍ତ୍ତି କରାଯାଇଛି । ଗିରଫ ପାର୍ଥ ଚାଟାର୍ଜୀ ଅସୁସ୍ଥ ଥିବାରୁ ଭୁବନେଶ୍ୱର ଏମ୍ସରେ ଚିକିତ୍ସା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପଶ୍ଚିମବଙ୍ଗ ବିଚାରପ । ସକାଳୁ ପାର୍ଥ ଚଟାର୍ଜୀଙ୍କୁ ଏୟାର ଆମ୍ବୁଲାନ୍ସ ଜରିଆରେ ଭୁବନେଶ୍ୱର ଅଣାଯାଇଥିଲା । ଏମ୍ସ ହସ୍ପିଟାଲରେ ଥିବା ଅନେକ ବଙ୍ଗୀୟ ରୋଗୀଙ୍କ  ସମ୍ପର୍କୀୟ ପାର୍ଥଙ୍କ ବିରୋଧରେ ନାରାବାଜି କରିଛନ୍ତି ।

୯) ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଜାମିନ୍ । ସୁପ୍ରିମକୋର୍ଟରୁ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ସର୍ତ୍ତମୂଳକ ଜାମିନ୍ ମିଳିଛି । କିନ୍ତୁ ବର୍ଷେ ଯାଏ ନିର୍ବାଚନ ମଣ୍ଡଳୀକୁ ଯାଇ ପାରିବେ ନାହିଁ ପ୍ରଶାନ୍ତ ଜଗଦେବ । ଯଦି ଯିବେ ତାହେଲେ ଜିଲ୍ଲାପାଳଙ୍କ ଅନୁମତି ନେବାକୁ ପଡ଼ିବ । ୫ ଜଣଙ୍କଠାରୁ ଅଧିକ ଲୋକଙ୍କୁ ନେଇ ଜଗଦ୍ଦେବ କୌଣସି ସମାବେଶ କରିପାରିବେ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି । ଏନେଇ ସୂଚନା ଦେଇଛନ୍ତି ଆଇନଜୀବୀ ମାନସ ଚାନ୍ଦ । ମାର୍ଚ୍ଚ ୨୨ରେ ଗିରଫ ହୋଇଥିଲେ ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ।

୧୦) ଠକେଇ ଅଭିଯୋଗରେ ଚାଟାର୍ଡ ଆକାଉଣ୍ଟାଣ୍ଟ ଗିରଫ । ଦିଲ୍ଲୀ ଉତ୍ତମ ନଗରର ଚାଟାର୍ଡ ଆକାଉଣ୍ଟାଣ୍ଟ ନୀରଜ କୁମାରଙ୍କୁ ଗିରଫ କରିଛି ଅର୍ଥନୈତିକ ଅପରାଧ ଶାଖା । ୬ କୋଟି ୧୮ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଗିରଫ ହୋଇଛନ୍ତି ନୀରଜ । ନୀରଜଙ୍କୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ଭୁବନେଶ୍ବର ଅଣାଯାଇ SDJMଙ୍କ କୋର୍ଟରେ ହାଜର କରାଯିବ ।

୧୧) ଦେଶରେ ମଙ୍କିପକ୍ସ ମାମଲା ବଢ଼ିବାରେ ଲାଗିଛି । କେରଳ, ଦିଲ୍ଲୀ ପର ତେଲଙ୍ଗାନାରେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବିଭିନ୍ନ ରାଜ୍ୟରେ ମଙ୍କିପକ୍ସ ମାମଲା ସାମ୍ନକୁ ଆସୁଥିବା ବେଳେ ସଜାଗ ଅଛନ୍ତି ରାଜ୍ୟ ସରକାର । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସମସ୍ତ ମେଡିକାଲ କଲେଜ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, ବିଶେଷଜ୍ଞ ଡାକ୍ତରମାନଙ୍କୁ ମଙ୍କିପକ୍ସ ବାବଦରେ ସଚେତନ କରାଇବା ସହ ଗାଇଡଲାଇନ ବିଷୟରେ ପୂର୍ବରୁ ଅବଗତ କରାଯାଇଛି । ଯେଉଁମାନେ ବାହାରୁ ଆସୁଛନ୍ତି ସେମାନଙ୍କ ଉପରେ ନଜର ରଖିବାକୁ ଜିଲ୍ଲାଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଉଛି ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ।

୧୨) ରାଜ୍ୟରେ କରୋନା ସଂକ୍ରମଣ ସାମାନ୍ୟ ହ୍ରାସ ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭୩୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୩୨ ଜଣ କ୍ୱାରେଣ୍ଟାଇନରୁ ରହିଥିବା ବେଳେ ୩୦୭ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୯୫ ଜଣ ସଂକ୍ରମିତ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୭ ହଜାର ୨୪୯କୁ ବୃଦ୍ଧି ପାଇଛି ।

୧୩) ବାଣ ତିଆରି ବେଳେ ବିସ୍ଫୋରଣ ହୋଇ ୬ ଜଣଙ୍କ ମୃତ୍ୟୁ ହୋଇଛି । ବିହାରର ସାରଣ ଜିଲ୍ଲା ଛାପ୍ରାସ୍ଥିତ ଖୋଦାଇବାଗ ଅଞ୍ଚଳରେ ଏହି ଅଘଟଣ ଘଟିଛି । ଏକ ଘରେ ବାଣ ଭିଡ଼ିବା ବେଳେ ଜୋରଦାର ବିସ୍ଫୋରଣ ହୋଇ ଘରର ଛାତ ଉଡ଼ିଯାଇଥିଲା । ଏଥିରେ ୬ ଜଣ ଲୋକ ଘଟଣାସ୍ଥଳରେ ପ୍ରାଣ ହରାଇ ଥିବା ବେଳେ ୮ ଜଣ ଆହତ ହୋଇଛନ୍ତି । ବିସ୍ଫୋରଣରେ ୩ ମହଲାବିଶିଷ୍ଟ ଘର ଭୁଶୁଡ଼ି ପଡ଼ିବାରୁ ଭଗ୍ନାବଶେଷ ତଳେ ଅନେକ ଲୋକ ରହି ଯାଇଥିଲେ । ବିସ୍ଫୋରଣ ପାଖାପାଖି ୧ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ହୋଇଥିଲା । ୩ କିଲୋମିଟର ପର୍ଯ୍ୟନ୍ତ ଏହାର ଶବ୍ଦ ଶୁଭିଥିଲା ।

୧୪) ଦ୍ବିତୀୟ ଦିନିକିଆରେ ଭାରତ ଦମଦାର ବିଜୟ ହାସଲ କରିଛି । ଓ୍ବେଷ୍ଟଇଣ୍ଡିଜକୁ ୨ ୱିକେଟରେ ପରାସ୍ତ କରିଛି ଶେଖରବାହିନୀ । ରୋମାଞ୍ଚକର ମ୍ୟାଚରେ ଶେଷ ଓଭରରେ ଜିତିଛି ଟିମ୍ ଇଣ୍ଡିଆ । ଭଲ ଖେଳି ଅକ୍ଷର ପଟେଲ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ପାଇଛନ୍ତି । ପୋର୍ଟ ଅଫ୍‌ ସ୍ପେନ୍‌ରେ ଖେଳାଯାଇଥିବା ଦ୍ବିତୀୟ ଦିନିକିଆରେ ୱେଷ୍ଟଇଣ୍ଡିଜ ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୬ ୱିକେଟ୍‌ ହରାଇ ୩୧୧ ରନ୍‌ ସଂଗ୍ରହ କରିଥିଲା।

୧୫) ଆଜି ପବିତ୍ର ଶ୍ରାବଣ ମାସର ଦ୍ୱିତୀୟ ସୋମବାର । ଶ୍ରାବଣ ମାସର ଦ୍ୱିତୀୟ ସୋମବାରରେ ବିଭିନ୍ନ ଶୈବପୀଠରେ ମହାଦେବଙ୍କୁ ଜଳ ଲାଗି କରିଛନ୍ତି କାଉଡ଼ିଆ । ଦୀର୍ଘ ଦୁଇ ବର୍ଷର କୋଭିଡ୍ କଟକଣା ପରେ ବାବା ଧବଳେଶ୍ୱରଙ୍କ ପୀଠରେ ଜଳ ଲାଗି କରିବାର ସୁଯୋଗ ପରେ କାଉଡ଼ିଆଙ୍କ ଭିଡ଼ ଜମିଛି । ଧବଳେଶ୍ୱର ପୀଠକୁ ବାହୁଙ୍ଗି ସମ୍ପୁର୍ଣ୍ଣ ବାରଣ କରାଯାଇଛି । ଝୁଲାପୋଲ ଦେଇ କେବଳ ପାଣି କଳସ ଓ ଭୋଗ ନେଇ ଶ୍ରଦ୍ଧାଳୁ ମନ୍ଦିରକୁ ଯାଇ ପୂଜା କରୁଛନ୍ତି ।

Leave A Reply

Your email address will not be published.