Latest Odisha News

BREAKING NEWS

[ଶୁଣନ୍ତୁ] ଦିନର ଟପ୍ ହେଡଲାଇନ୍ସ

୧) ରାୟଗଡ଼ା ପରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଝାଡ଼ାବାନ୍ତି ବ୍ୟାପୁଥିବା ବେଳେ ସରକାରୀ ସପ୍ଲାଇ ପାଣିରେ ଝାଡ଼ାବାନ୍ତି ସୃଷ୍ଟିକାରୀ କୋଲିଫର୍ମ ବ୍ୟାକ୍ଟେରିଆ ଠାବ ହୋଇଛି । ମୋହନା ବ୍ଲକ ଗୋବିନ୍ଦପୁର ଗାଁରେ ସପ୍ଲାଇ ପାଣିରେ ଝାଡ଼ାବାନ୍ତି ସୃଷ୍ଟିକାରୀ ଘାତକ କୋଲିଫର୍ମ ବ୍ୟାକ୍ଟେରିଆ ମିଳିଛି । ଗାଁରେ ଝାଡ଼ାବାନ୍ତି ବ୍ୟାପିବା ପରେ ପାଣି ନମୁନା ପରୀକ୍ଷା ହୋଇଥିଲା । ୮ଟି ପାଣି ନମୁନାରୁ ୨ଟିରେ କୋଲିଫର୍ମ ବ୍ୟାକ୍ଟେରିଆ ମିଳିଥିଲା । ସପ୍ଲାଇ ପାଣିରୁ ମିଳିଥିବା ମାଇକ୍ରୋବାୟୋଲୋଜିଷ୍ଟଙ୍କ ରିପୋର୍ଟରୁ ଜଣାପଡ଼ିଛି ।

୨) ରାୟଗଡ଼ା ଜିଲ୍ଲାରେ ଥମିବାର ନାଁ ନେଉନି ଝାଡ଼ାବାନ୍ତି । ଆଜି କଲେରାରେ ଆଉ ଜଣଙ୍କ ଜୀବନ ଯାଇଛି । ଏଥିସହ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇ ୧୩ରେ ପହଞ୍ଚିଛି । ଆଜି ଟିକିରାପଡ଼ା ଗାଁର ଗୁରୁବାରି ଦୋରାଙ୍କ ଝାଡ଼ାବାନ୍ତିରେ ମୃତ୍ୟୁ ହୋଇଛି । ସେ ଗତ ତିନି ଦିନ ଧରି ଝାଡ଼ାବାନ୍ତିରେ ପୀଡ଼ିତ ଥିବାବେଳେ ଆଜି ଘରେ ପ୍ରାଣ ହାରିଛନ୍ତି । କାଶୀପୁର ବ୍ଲକର ୨୦ରୁ ଅଧିକ ଗାଁରେ ଝାଡ଼ାବାନ୍ତି ବ୍ୟାପିଥିବା ଦୂଷିତ ଜଳ ହିଁ ଏହାର ମୁଖ୍ୟ କାରଣ ବୋଲି ଜଣାପଡ଼ିଛି ।

୩) ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଜିଲ୍ଲା ଝାରସୁଗୁଡ଼ାରେ ମଧ୍ୟ ଝାଡ଼ାବାନ୍ତିରେ ବାପ, ପୁଅଙ୍କ ମୃତ୍ୟୁ ହୋଇଛି । ଦିନକ ତଳେ ଝାରସୁଗୁଡ଼ା ସହର ୧୩ ନମ୍ବର ୱାର୍ଡର ଦେବାଡିହି ଗାଁର ଅକୁର ପ୍ରଧାନଙ୍କ ଝାଡ଼ାବାନ୍ତିରେ ମୃତ୍ୟୁ ହୋଇଥିଲା । ଆଜି ବାପା ଶ୍ରୀପ୍ରସାଦ ପ୍ରଧାନ ମଧ୍ୟ ଝାଡ଼ାବାନ୍ତିରେ ଆଖି ବୁଜିଛନ୍ତି । ଏବେବି ଗାଁର ୮ରୁ ୧୦ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି ।

୪) ସୁବର୍ଣ୍ଣପୁର ଜିଲ୍ଲାରେ ଝାଡ଼ାବାନ୍ତିରେ ଜଣଙ୍କର ଜୀବନ ଯାଇଛି । ତରଭା ଥାନା ସୁର୍ଜିମୁଣ୍ଡା ଗାଁର ଧନଦେଇ ସାହୁଙ୍କ ମୃତ୍ୟୁ ହୋଇଥିବା ବେଳେ ଗାଁରେ ୨୫ରୁ ଅଧିକ ଲୋକେ ଅସୁସ୍ଥ ହୋଇ ପଡ଼ିଛନ୍ତି । ଡାକ୍ତରୀ ଦଳ ଗାଁରେ ଅସ୍ଥାୟୀ କ୍ୟାମ୍ପ କରି ଚିକିତ୍ସା ଜାରି ରଖିଛନ୍ତି । ପିଇବା ପାଣିରୁ ଝାଡ଼ାବାନ୍ତି ବ୍ୟାପିଥିବା ଅନୁମାନ କରୁଛି ସ୍ୱାସ୍ଥ୍ୟ ବିଭାଗ ତେବେ ଗାଁରେ ଝାଡ଼ାବାନ୍ତି କାହିଁକି ବ୍ୟାପିଲା ତାହା ସ୍ପଷ୍ଟ ହୋଇ ନାହିଁ ।

୫)  ଚେଙ୍କ ଚିକିତ୍ସା ଯୋଗୁ ଛୁଆର ମୃତ୍ୟୁ । ନବରଙ୍ଗପୁର ଜିଲ୍ଲା ରାଇଘର କସକଙ୍ଗା ଜଡ଼ାପାରାରେ ଚେଙ୍କ ଚିକିତ୍ସା ନେଇଛି ୯ ମାସ ଶିଶୁପୁତ୍ରର ଜୀବନ । ଛୁଆଟି ଜର ଓ ଥଣ୍ଡାରେ ପୀଡ଼ିତ ଥିଲା । ହେଲେ ବାପା ଶୁକଦେବ ମେଡିକାଲ ନନେଇ ଜଣେ ବୃଦ୍ଧାଙ୍କୁ ଡାକି ଚିକିତ୍ସା ଆରମ୍ଭ କରିଥିଲେ । ଦିଶାରୀର ଚେଙ୍କ ଚିକିତ୍ସାରେ ଆହୁରି ଅସୁସ୍ଥ ହୋଇ ପଡ଼ିଥିଲା ଶିଶୁଟି । ପରେ ଆଶା ଛୁଆକୁ ମେଡିକାଲରେ ଭର୍ତ୍ତି କରିଥିବା ବେଳେ ଘର ଲୋକ ଲୁଚି କରି ନେଇ ଆସିଥିବା ବେଳେ ମୃତ୍ୟୁ ହୋଇଛି ।

୬) ଜୟ ନାରାୟଣ ମିଶ୍ର ହୋଇଛନ୍ତି ନୂଆ ବିରୋଧୀ ଦଳ ନେତା । ବିରୋଧୀ ଦଳ ନେତା ଭାବେ ଜୟ ନାରାୟଣଙ୍କ ନାଁ ଘୋଷଣା କରିଛନ୍ତି ରାଜ୍ୟ ବିଜେପି ସହପ୍ରଭାରୀ । ସମ୍ବଲପୁର ବିଧାୟକ ତଥା ବରିଷ୍ଠ ବିଜେପି ନେତା ଜୟ ନାରାୟଣ ମିଶ୍ର ପ୍ରଦୀପ୍ତ ନାଏକଙ୍କ ସ୍ଥାନରେ ବିରୋଧୀ ଦଳ ନେତା ହୋଇଛନ୍ତି । ପୂର୍ବରୁ ବିରୋଧୀ ଦଳ ନେତା ଥିବା ପ୍ରଦୀପ୍ତ ନାଏକ ଦୀର୍ଘ ଦିନରୁ ଅସୁସ୍ଥ ଥାଇ ଚିକିତ୍ସାଧୀନ ଅଛନ୍ତି । ବିରୋଧୀ ଦଳ ହେବା ପରେ ଜୟ ନାରାୟଣ ମିଶ୍ର କହିଛନ୍ତି, ପାରୁ ପର୍ଯ୍ୟନ୍ତ ଗୁରୁଦାୟିତ୍ୱ ତୁଲାଇବାକୁ ଚେଷ୍ଟା କରିବି ।

୭) ବିଧାୟକଙ୍କ ଦରମା ବୃଦ୍ଧି ଦାବିରେ ବିଧାନସଭାରେ ଏକାଠି ହୋଇଛନ୍ତି ସବୁ ଦଳ । ଶୂନ୍ୟକାଳରେ ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗ ବିଜେପି, କଂଗ୍ରେସ ଓ ବିଜେଡି ସଦସ୍ୟ ଉଠାଇଛନ୍ତି । ପ୍ରଥମେ ଦରମା ବୃଦ୍ଧି ପ୍ରସଙ୍ଗ ଉଠାଇଥିଲେ ମୋହନ ମାଝୀ । କହିଥିଲେ ୨୦୧୭ରେ ବିଧାୟକଙ୍କ ଦରମା ଶେଷ ଥର ବଢ଼ିଥିଲା । ଦରମା ସହ ପେନ୍‌ସନ୍ ବଢ଼ାଇବାକୁ ଦାବି କରିଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀପତି । ଶାସକ ଦଳର ସଦସ୍ୟ ଅମର ଶତପଥୀ ମଧ୍ୟ ଦରମା ବୃଦ୍ଧି ଦାବି କରିଛନ୍ତି । ଏନେଇ ବିଚାର କରିବା ଲାଗି ସରକାରଙ୍କୁ ପରାମର୍ଶ ଦେଇଛନ୍ତି ବାଚସ୍ପତି ବିକ୍ରମ କେଶରୀ ଆରୁଖ ।

୮) ପୂର୍ବତନ କଟକ-ଚୌଦ୍ୱାର ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ସମ୍ପତ୍ତି ଇଡି ଆଟାଚ୍ କରିଛି । ପ୍ରଭାତ ବିଶ୍ୱାଳଙ୍କ ୩ କୋଟି ୯୨ ଲକ୍ଷ ଟଙ୍କାର ସମ୍ପତ୍ତି ED ଆଟାଚ୍ କରିଥିବା ଜଣାପଡ଼ିଛି । ମନି ଲଣ୍ଡରିଂ ଆକ୍ଟ ଅନୁସାରେ ସମ୍ପତ୍ତି ଆଟାଚ୍ କରିଛି ED । ଅଣ ବ୍ୟାକିଙ୍ଗ ସଂସ୍ଥା ଜରିଆରେ ଟଙ୍କା ଆଦାୟ କରିଥିବାରୁ ଆଟାଚ୍ କରାଯାଇଛି । ୟୁପି ନୋଏଡାରେ ଥିବା ପ୍ରଭାତଙ୍କ ମିଡିଆ ଗ୍ରୁପର ସମ୍ପତ୍ତି ଆଟାଚ୍ କରିଛି ଇଡି । କଟକ ଏସବିଆଇ ବ୍ୟାଙ୍କ ଆକାଉଣ୍ଟରେ ଥିବା ୨୫ ଲକ୍ଷ ଟଙ୍କା ଆଟାଚ୍ ହୋଇଛି । ଚିଟଫଣ୍ଡ ସଂସ୍ଥା ସିସୋର ଲିଙ୍କରେ ପୂର୍ବରୁ ସିବିଆଇ ପ୍ରଭାତଙ୍କୁ ଗିରଫ କରିଥିଲା ।

୯) ପାରିବାରିକ ବିବାଦକୁ ନେଇ ଫସିଥିବା ଓଲିଉଡ ଅଭିନେତା ବାବୁଶାନ ଥାନାରେ ହାଜର ହୋଇଛନ୍ତି । ଜନ୍ମଦିନରେ ମାଆ ଅପରାଜିତା ଓ ଅଭିନେତା ରବି ମିଶ୍ରଙ୍କ ସହ ବାବୁଶାନ ଖାରବେଳ ନଗର ଥାନାକୁ ଯାଇଥିବା ବେଳେ ପୋଲିସ ବୟାନ ରେକର୍ଡ କରିଛି । ପାରିବାରିକ କଳହକୁ ନେଇ ପତ୍ନୀ ତୃପ୍ତି ଶତପଥୀ ବାବୁଶାନଙ୍କ ବିରୋଧରେ ୪୯୮ ଏ ଦଫାରେ ମାମଲା ରୁଜୁ କରିଥିଲେ । ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ସହ ବାବୁଶାନଙ୍କ ସମ୍ପର୍କକୁ ନେଇ ବିବାଦ ସୃଷ୍ଟି ହୋଇଥିଲା ।

୧୦) ବିଶ୍ୱରେ ମଙ୍କିପକ୍ସ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ଏବେ ଜଣଙ୍କର ମୃତ୍ୟୁ ହୋଇଛି । ମଙ୍କିପକ୍ସରେ ସର୍ବାଧିକ ପ୍ରଭାବିତ ସ୍ପେନରେ ପ୍ରଥମ ମୃତ୍ୟୁ ଘଟିଛି । ବର୍ତ୍ତମାନ ସୁଦ୍ଧା ସ୍ପେନରେ ପାଖାପାଖି ୪୨୯୮ ଜଣ ମକ୍ସିପକ୍ସରେ ସଂକ୍ରମିତ ହୋଇଛନ୍ତି । WHO ମଙ୍କିପକ୍ସକୁ ଅନ୍ତର୍ଜାତୀୟ ସ୍ୱାସ୍ଥ୍ୟ ସଂକଟ ଘୋଷଣା କରିଥିବା ବେଳ ଆମ ଦେଶର ବିଭିନ୍ନ ରାଜ୍ୟରେ ମଧ୍ୟ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

୧୧) ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତ ପାଇଁ ପ୍ରଥମ ପଦକ ଜିତିଛନ୍ତି ସଙ୍କେତ ସରଗର । ଭାରୋତୋଳନ ୫୫ କିଗ୍ରା ବିଭାଗରେ ସେ ରୌପ୍ୟ ପଦକ ହାସଲ କରିଛନ୍ତି । ସଙ୍କେତ ସ୍ନାଚରେ ୧୧୩ ଓ କ୍ଲିନ ଆଣ୍ଡ ଜର୍କରେ ୧୩୫ କିଗ୍ରାର ଭାର ଉଠାଇଥିଲେ । ପ୍ରତିଯୋଗିତା ବେଳେ ତାଙ୍କ ହାତ ମୋଡି ହୋଇ ଯାଇଥିଲା । ତଥାପି ସେ ଏହାକୁ ଖାତିର ନ କରି ଦେଶ ପାଇଁ ରୌପ୍ୟ ପଦକ ଜିତିଥିବାରୁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି ।

୧୨) ରାଜ୍ୟରେ ମୌସୁମୀ ଦୁର୍ବଳ ହେବା ପରେ ବଢୁଛି ତାପମାତ୍ରା । ସ୍ୱାଭାବିକ ଠାରୁ ୪.୨ ଡିଗ୍ରୀ ପର୍ଯ୍ୟନ୍ତ ବଢିଛି ପାରଦ  । ତେବେ ୭୦ ପ୍ରତିଶତ ହ୍ୟୁମିଡିଟି ମିଶି ୪୫ ଡିଗ୍ରୀରୁ ଅଧିକ ତାତି ଅନୁଭବ ହେଉଛି । ମୌସୁମୀ ନିମ୍ନ ଚାପରେଖାର ଉତ୍ତରାୟଣ ଗତି ପାଇଁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦୁର୍ବଳ ହୋଇଛି । ଫଳରେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

୧୩) ପର୍ଯ୍ୟଟକଙ୍କ ପାଇଁ ଖୁସିର ଖବର । ଖୁବଶୀଘ୍ର ଖୋଲିବ ଭିତରକନିକା । ଗତ ୩ ମାସ ଧରି କୁମ୍ଭୀର ପ୍ରଜନନ ପାଇଁ ବନ୍ଦ ରହିଥିଲା ଏହି ବିଶ୍ୱପ୍ରସିଦ୍ଧ ଜାତୀୟ ଉଦ୍ୟାନ । ମେ ୧ ତାରିଖରୁ କୁମ୍ଭୀର ପ୍ରଜନନ ଋତୁ ପାଇଁ ବନ୍ଦ ରହିଥିଲା ଭିତରକନିକା । ଏବେ ଭିତରକନିକା ଖୋଲିବା ପାଇଁ ନିଷ୍ପତ୍ତି ହୋଇଛି । ଆସନ୍ତା ଅଗଷ୍ଟ ୧ ତାରିଖରେ ଭିତରକନିକା ଖୋଲିବା ନେଇ ସୂଚନା ଦେଇଛନ୍ତି ରାଜନଗର ବନ ଖଣ୍ଡ ଅଧିକାରୀ ।

୧୪) ରାଜକୁମାର ରାଓ ତାଙ୍କ ପତ୍ନୀ ପତ୍ରଲେଖାଙ୍କ ସହ ମିଶି ମୁମ୍ବାଇର ଜୁହୁରେ ଏକ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ କିଣିଛନ୍ତି । ମିଡିଆ ରିପୋର୍ଟ ଅନୁଯାୟୀ ରାଜକୁମାର ଏହି ଆପାର୍ଟମେଣ୍ଟକୁ ବଲିଉଡର ସୁନ୍ଦରୀ ତଥା ଚୁଲ୍‌ବୁଲି ଅଭିନେତ୍ରୀ ଜାହ୍ନବୀ କପୁରଙ୍କଠାରୁ କିଣିଛନ୍ତି । ତାହା ପୁଣି ୪୪ କୋଟି ଟଙ୍କାରେ । ଏହି ଫ୍ଲାଟ ୩୪୫୬ ବର୍ଗଫୁଟରେ ରହିଛି । ରାଜକୁମାର ରାଓ ବର୍ଗଫୁଟ ପ୍ରତି ପ୍ରାୟ ୧.୨୭ ଲକ୍ଷରେ ଫ୍ଲାଟ କିଣିଛନ୍ତି । ଜାହ୍ନବୀ ଡିସେମ୍ବର ୨୦୨୦ରେ ଏହାକୁ କିଣିଥିଲେ । ସେହି ସମୟରେ ଜାହ୍ନବୀ ଫ୍ଲାଟ ପାଇଁ ୩୯ କୋଟି ଟଙ୍କା ଦେଇଥିଲେ ।

୧୫) ୬ ବର୍ଷ ପରେ ପୁଣି ଥରେ ଟେଲି ପରଦାକୁ ଫେରିବାକୁ ଯାଉଛି କଲର୍ସ ଟିଭିର ରିଅଲିଟି ଶୋ ‘ଝଲକ ଦିଖଲା ଜା’ । ସେଲିବ୍ରିଟି ଡ୍ୟାନ୍ସ ଶୋ ’ଝଲକ ଦିଖଲା ଜା’ର ୧୦ମ ସଂସ୍କରଣ  ହେବ । ଏହି ଶୋ’କୁ ହିଟ୍ କରିବା ପାଇଁ ନିର୍ମାତା ସମସ୍ତ ପ୍ରକାର ଚେଷ୍ଟା କରୁଛନ୍ତି । ଅନୁପମା ଫେମ୍‌ ଅଭିନେତା ପରାସ ଏବଂ ନିଆ ଶର୍ମାଙ୍କ ଠାରୁ ନୀତିଙ୍କ ପର୍ଯ୍ୟନ୍ତ ଏହି ଶୋ’ର ଏକ ଅଂଶ ହେବାର ଖବର ସାମ୍ନାକୁ ଆସିଛି । କିନ୍ତୁ ବର୍ତ୍ତମାନ ଶୁଣିବାକୁ ମିଳୁଛି କି ‘ଭାବିଜୀ ଘର ପର ହେଁ’ ଫେମ୍‌ ଶିଳ୍ପା ସିନ୍ଦେ ମଧ୍ୟ ଏହି ଶୋ’ରେ ସାମିଲ୍‌ ହେବ ।

Leave A Reply

Your email address will not be published.