ଗଜପତି: ମୋହନା ଜେଏମ୍ଏଫ୍ସି କୋର୍ଟରେ ହାଜର ହେଲେ ଟପ୍ ମାଓ ନେତା ଆଜାଦ ଓରଫ୍ ଡୁନା କେଶବ ରାଓ l ପୋଲିସ ହାର୍ଡକୋର୍ ମାଓବାଦୀ ଆଜାଦଙ୍କୁ ରିମାଣ୍ଡରେ ଆଣି ବୁଧବାର ମୋହନା ଜେଏମ୍ଏଫ୍ସି କୋର୍ଟରେ ହାଜର କରିଛି । ତାଙ୍କ ନାଁରେ ୨୦୦୮, ୨୦୦୯ ଏବଂ ୨୦୧୧ରେ ସମୁଦାୟ ୧୭ଟି ମାମଲା ରହିଛି । ଗଜପତି ଜଲାର ବିଭିନ୍ନ ସ୍ଥାନରେ ମାଓ ହିଂସା ଘଟାଇ ଥିବା ସୂଚନା ରହିଛି ।
ଅଡବା ଥାନା ଅଞ୍ଚଳରେ ଅନ୍ଧାରୀ ଘାଟିରେ ସୁରକ୍ଷା କର୍ମୀଙ୍କୁ ଟାର୍ଗେଟ କରି କଲଭର୍ଟକୁ ଲ୍ୟାଣ୍ଡମାଇନରେ ବିସ୍ଫୋରଣ କରିବା, ତେଲେଙ୍ଗାପଦା ଓ ମନ୍ଦ୍ରାବାଜୁରେ ସୁରକ୍ଷା କର୍ମୀଙ୍କ ସହ ଗୁଳି ବିନିମୟ, ପାଣିଗଣ୍ଡା ଫରେଷ୍ଟ ବିଟ୍ ହାଉସ୍କୁ ବିସ୍ଫୋରଣରେ ଉଡ଼ାଇବା, ବିଭିନ୍ନ ସ୍ଥାନରେ ଟାୱାର ପୋଡି, ରାଇପଙ୍କାରେ ସରକାରୀ ବସ୍ ପୋଡ଼ି ସମେତ ଠିକାଦାର ମାନଙ୍କ କ୍ୟାମ୍ପ ଭଙ୍ଗାରୁଜା ସହ ବିଭିନ୍ନ ହିଂସାକାଣ୍ଡରେ ଜଡ଼ିତ ଥିବା ଜଣାପଡ଼ିଛି l
ନୟାଗଡ଼ ଜିଲା ପୋଲିସ ଷ୍ଟେଶନରେ ନିଆଁ ଲଗାଇବା ସହ ଅସ୍ତ୍ର ଶସ୍ତ୍ର ଚୋରି ଘଟଣାରେ ୨୦୧୧ରେ ଆଜାଦଙ୍କୁ ଗିରଫ କରାଯାଇଥିଲା । ଗିରଫ ପରେ ତାଙ୍କୁ ଭୁବନେଶ୍ବର ଝାରପଡ଼ା ଜେଲରେ ରଖା ଯାଇଥିଲା । କେଶବ ରାଓ ଓରଫ ଆଜାଦ ମାଓବାଦୀ ସବ୍ୟସାଚୀ ପଣ୍ଡାଙ୍କ ଡାହାଣ ହାତ ବୋଲି କୁହାଯାଏ ।
ଦୀର୍ଘ ୧୪ ବର୍ଷ ପରେ ସୁପ୍ରିମ କୋର୍ଟରେ ପିଟିସନ ଦାଖଲ କରିଥିଲେ ଆଜାଦ। ଫଳରେ ଆଜି କଡ଼ା ସୁରକ୍ଷା ବଳୟରେ ତାଙ୍କୁ ମୋହନା କୋର୍ଟରେ ହାଜର କରାଯାଇଛି । ସୁପ୍ରିକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଏହି ସମସ୍ତ ମାମଲାର ଶୀଘ୍ର ଶୁଣାଣି ପାଇଁ ଚଳିତ ମାସ ୨ ତାରିଖରେ ପାରଳାଖେମୁଣ୍ଡିରେ ସତନ୍ତ୍ର କୋର୍ଟ ଖୋଲାଯାଇଛି । ଯାହାକୁ ନେଇ ଆଜାଦଙ୍କୁ ମୋହନା କୋର୍ଟରେ ହାଜର କରାଯାଇଥିଲା । ସମସ୍ତ ମାମଲା ସଙ୍ଗୀନ ରହିଥିବା ହେତୁ ପାରଳାଖେମୁଣ୍ଡିରେ ସତନ୍ତ୍ର ଭାବେ ଶୁଣାଣି କରାଯିବା ନେଇ ଆଜାଦଙ୍କ ଓକିଲ ସନ୍ତୋଷ କୁମାର ପାଢ଼ୀ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇଛନ୍ତି ।
Comments are closed.