Latest Odisha News

BREAKING NEWS

ମୋ ସ୍କୁଲ ଅଭିଯାନ: ସରକାରୀ ସ୍କୁଲକୁ ପୌଷ୍ୟ ଭାବରେ ଗ୍ରହଣ କରୁଛନ୍ତି ଆଇଏଏସ୍ ଅଫିସର

ଭୁବନେଶ୍ୱର: ବିଭିନ୍ନ ଜିଲ୍ଲାରେ ସରକାରୀ ସ୍କୁଲକୁ ପୌଷ୍ୟ ଭାବରେ ଗ୍ରହଣ କରୁଛନ୍ତି ବରିଷ୍ଠ ଆଇଏଏସ୍ ଅଫିସର । ମୋ ସ୍କୁଲ କାର୍ଯ୍ୟକ୍ରମ ଅଧୀନରେ ଏହି ମହତ ଅଭିଯାନରେ ମୁଖ୍ୟ ଶାସନ ସଚିବଙ୍କଠାରୁ ଆରମ୍ଭ କରି ଅନେକ ଅଫିସର ନିଜକୁ ସାମିଲ କରିଛନ୍ତି । ମିଳିଥିବା ସୂଚନା ଅନୁସାରେ, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର କେନ୍ଦୁଝ ଜିଲ୍ଲାର ଡିଏନ୍ ହାଇସ୍କୁଲକୁ ପୌଷ୍ୟ ଭାବରେ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛନ୍ତି । ସେଠାରେ ତିନି ବର୍ଷ ପଢ଼ିଥିଲେ ମୁଖ୍ୟ ଶାସନ ସଚିବ ।

ସେହିପରି ମୁଖ୍ୟମନ୍ତ୍ରୀ ଅତିରିକ୍ତ ସଚିବ ରୁପା ରୋଶନ ସାହୁ ଢେଙ୍କାନାଳ ଜିଲ୍ଲାର ବି. ବି. ହାଇସ୍କୁଲକୁ ପୌଷ୍ୟ ଭାବରେ ଗ୍ରହଣ କରିବେ । ଶକ୍ତି ସଚିବ ଏନ. ଧଳ ଯାଜପୁର ଜିଲ୍ଲାର ସହିୟପୁରରେ ଥିବା ବିଏସ୍ ହାଇସ୍କୁଲରୁ ଗ୍ରହଣ କରିବେ । ସେଠାରେ ସେ ପାଞ୍ଚ ବର୍ଷ ପଢିଥିଲେ ।

ପଞ୍ଚାୟତିରାଜ ନିର୍ଦ୍ଦେଶକ (ସ୍ୱତନ୍ତ୍ର ପ୍ରକଳ୍ପ) ଅରବିନ୍ଦ ଡାକୁଆ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସ୍ଥିତ ଉପେନ୍ଦ୍ର ଭଞ୍ଜ ହାଇସ୍କୁଲକୁ ପୌଷ୍ୟ ଭାବରେ ଗ୍ରହଣ କରିବେ । ସେହିପରି ଗଜପତି ଜିଲ୍ଲାର ଏମ୍‌. ଆର୍‌. ବାଳକ ଓ ବାଳିକା ହାଇସ୍କୁଲକୁ ପୋଷ୍ୟ ଭାବେ ଗ୍ରହଣ କରିବେ ପୂର୍ତ୍ତ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ।

ଗଜପତି ଜିଲ୍ଲାପାଳ ଅନୁପମ ଶାହ କଳାହାଣ୍ଡି ଜିଲ୍ଲାର କେସିଙ୍ଗା ବିଦ୍ୟାପୀଠକୁ ବାଛିଛନ୍ତି । ସେଠାରେ ସେ ଅଷ୍ଟମରୁ ଦଶମ ଯାଏ ପାଠ ପଢିଥିଲେ । ମୋ ସ୍କୁଲ କାର୍ଯ୍ୟକ୍ରମ ଜରିଆରେ ରାଜ୍ୟ ସରକାର ସରକାରୀ ସ୍କୁଲର ବିକାଶ ପାଇଁ କାମ କରୁଛନ୍ତି । ଏହି ଅଭିୟାନରେ ସ୍କୁଲ ପୁରାତନ ଛାତ୍ରଛାତ୍ରୀଙ୍କୁ ସାମିଲ କରାଯାଉଛି । ବିଭିନ୍ନ ସ୍କୁଲକୁ ପୌଷ୍ୟ ଭାବରେ ଗ୍ରହଣ କରି ଏହି ମହତ ଅଭିଯାନରେ ବରିଷ୍ଠ ପ୍ରଶାସନିକ ଅଧିକାରୀ ସାମିଲ ହୋଇଛନ୍ତି ।

Leave A Reply

Your email address will not be published.