Latest Odisha News

BREAKING NEWS

ଡାନ୍ସ ବାର୍…ବନ୍ଦ ସହଜ କି ?

ଭୁବନେଶ୍ବର: ରାଜ୍ୟରେ ଚାଲିବନି ଡାନ୍ସ ବାର୍। ସଂପୂର୍ଣ୍ଣ ଭାବେ ଡାନ୍ସ ବାର ବନ୍ଦ କରିବାକୁ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ବିଧାନସଭାରେ କହିଛନ୍ତି । ତେବେ ପ୍ରଶ୍ନ ଉଠୁଛି, ଡାନ୍ସ ବାର ବନ୍ଦ ସହଜ କି ? କାରଣ ମୁମ୍ବାଇରେ ଡାନ୍ସ ବାର ବନ୍ଦ କରିବାକୁ ବର୍ଷ ବର୍ଷ ଧରି ଉଦ୍ୟମ ହୋଇଥିଲେ ବି ଶେଷରେ ସୁପ୍ରିମକୋର୍ଟ ବାର୍ ଚଳାଇବା ପାଇଁ ସର୍ତ୍ତମୂଳକ ଅନୁମତି ଦେଇଥିଲେ । ପରେ ଅର୍କେଷ୍ଟ୍ରା ବାର୍ ନାଁରେ କମବ୍ୟାକ୍ କରିଥିଲା ମୁମ୍ବାଇ ଡାନ୍ସ ବାର୍ । ଓଡିଶାରେ ମଧ୍ୟ ଡାନ୍ସ ବାର ଚଲାଇବା ନେଇ ବିଭିନ୍ନ କଟକଣା ରହିଛି । ଏହାପରେ ବି ଅନେକ ସମୟରେ ଅବକାରୀ ନୀତିର ଉଲ୍ଲଂଘନ ଅଭିଯୋଗ ହେଉଥିଲା । ତେବେ ପ୍ରଶ୍ନ ଉଠୁଛି, ରାଜ୍ୟରେ ସଂପୂର୍ଣ୍ଣ ଭାବେ ଡାନ୍ସ ବାର ବନ୍ଦ କରିବା ସମ୍ଭବ କି?

ଅପସଂସ୍କୃତି ବାହକ ଡାନ୍ସ ବାର !

ରାଜ୍ୟରେ ତଥା ରାଜଧାନୀ ଭୁବନେଶ୍ବରରେ ଡାନ୍ସ ବାର ସଂସ୍କୃତି ନୂଆ ନୁହେଁ । ରାତି ଅଧ ଯାଏଁ ଚାଲୁଥିବା ଡାନ୍ସ ବାର ଅପସଂସ୍କୃତିର ବାହକ ବୋଲି ଅନେକ ଅଭିଯୋଗ କରୁଛନ୍ତି । ତେବେ ପୂର୍ବ ସରକାର ସମୟରେ ଡାନ୍ସ ବାର ପାଇଁ ଅବକାରୀ ନୀତିରେ ସ୍ବତନ୍ତ୍ର ନିୟମ ରହିଥିଲା । ବାର୍ ବନ୍ଦ କରିବା ସମୟ, ବାର ଗାର୍ଲ ନିଯୁକ୍ତି, ଗ୍ରାହକଙ୍କ ସୁରକ୍ଷା ନେଇ ନିୟମ ଥିଲା। ତେବେ ଅନେକ ସମୟରେ ଏହାକୁ ଡାନ୍ସ ବାର ଗୁଡିକ ଉଲ୍ଲଂଘନ କରୁଥିବା ଅଭିଯୋଗ ବି ହେଉଥିଲା। କଞ୍ଚା ପଇସା ରୋଜଗାର ପାଇଁ ନିୟମକୁ ବାର୍ ମାଲିକ ଫୁ କରି ଦେଉଥିଲେ । ଏଥିସହ ଡାନସରଙ୍କୁ ନିର୍ଯାତନା, ଅନୈତିକ ସଂପର୍କ ପାଇଁ ବାଧ୍ୟ କରିବା , ନମାନିଲେ ଧମକ ଚମକ ଦେବା ଭଳି ବିଭିନ୍ନ ଅଭିଯୋଗ ଅନେକ ସମୟରେ ଆସିଛି। ଏହା ଉପରେ ରୋକ୍ ଲଗାଇବା ପାଇଁ ପୂର୍ବ ସରକାର ପକ୍ଷରୁ ରେଡ୍ ସହ ଧରାପଡିଲେ ଆକ୍ସନ୍, ଲାଇସେନ୍ସ ରଦ୍ଦ ଓ ଗିରଫଦାରୀ ପାଇଁ ନିୟମ ରହିଥିଲା । ତେବେ ଡାନ୍ସ ବାର ଓଡିଆ ଅସ୍ମିତା ବିରୋଧୀ, ଓଡିଆ ସଂସ୍କୃତି ବିରୋଧୀ । ତେଣୁ ଏହାକୁ ସଂପୂର୍ଣ୍ଣ ବ୍ୟାନ୍ କରାଯିବ ବୋଲି ଅବକାରୀ ମନ୍ତ୍ରୀ କହିଛନ୍ତି ।

ବାର୍ ବନ୍ଦ…ପେଟକୁ ଲାତ !

ଡାନ୍ସ ବାର ଦ୍ବାରା ଯୁବକ ଯୁବତୀଙ୍କ ଉପରେ ଖରାପ ପ୍ରଭାବ ପଡିବା ସହ ଅପସଂସ୍କୃତିର ପ୍ରଚାର ହେଉଥିବା ନେଇ ଅଭିଯୋଗ ହେଉଛି । ହେଲେ ଡାନ୍ସ ବାର ଦ୍ବାରା ଅନେକ ଲୋକଙ୍କ ପରିବାର ଚଳୁଛି । ବାର ମ୍ୟାନେଜର ହୁଅନ୍ତୁ କି ଡାନ୍ସର । ବାର ବନ୍ଦ ହେଲେ ସେମାନଙ୍କ ଦାନାପାଣି ବନ୍ଦ ହୋଇଯିବ। ତେଣୁ ରାଜ୍ୟ ସରକାର କେବଳ ବାର୍ ବନ୍ଦ କରିବାକୁ କହିଦେଲେ ହେବନି, ବାର ଉପରେ ନିର୍ଭରଶୀଳ ଲୋକଙ୍କ ଭରଣ ପୋଷଣ ପାଇଁ ବି ପଦକ୍ଷେପ ନେବାକୁ ପଡିବ । ଅଧିକାଂଶ ବାର ଡାନସର ଗରିବ ପରିବାରର ହୋଇଥିବା ବେଳେ ସେମାନଙ୍କ ରୋଜଗାର ଉପରେ ପରିବାର ନିର୍ଭରଶୀଳ ରହିଥାନ୍ତି । ତେଣୁ ସେମାନଙ୍କୁ ଥଇଥାନ କରିବା ରାଜ୍ୟ ସରକାରଙ୍କ ପାଇଁ ବଡ ଚ୍ୟାଲେଞ୍ଜ ହୋଇପାରେ ।

ମୁମ୍ବାଇ ଡାନ୍ସ ବାର୍…ଲମ୍ବା ଲଢେଇ

ଓଡିଶାରେ ଡାନ୍ସ ବାର ବନ୍ଦ କରିବାକୁ ସରକାର ଘୋଷଣା କରିଥିବା ବେଳେ ମୁମ୍ବାଇ ଡାନ୍ସ ବାର କାହାଣୀ ଉପରେ ନଜର ପକାଇବା ଜରୁରୀ । ୨୦୦୫ ମସିହାରେ ମହାରାଷ୍ଟ୍ରର ତତ୍କାଳୀନ ଗୃହମନ୍ତ୍ରୀ ଆରଆର ପାଟିଲ ଡାନ୍ସ ବାର ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏଥସହ ଗରିବ ପରିବାରରୁ ଆସିଥିବା ବାର ଡାନ୍ସରଙ୍କୁ ଥଇଥାନ କରିବାକୁ କୁହାଯାଇଥିଲା । ତେବେ ପାଟିଲଙ୍କ ଏଭଳି ନିର୍ଦ୍ଦେଶକୁ ଖାରଜ କରିଥିଲେ କୋର୍ଟ । ୨୦୧୯ରେ ପୁଣି ଡାନ୍ସ ବାର ଖୋଲିବାକୁ ସର୍ତ୍ତମୂଳକ ଅନୁମତି ଦେଇଥିଲେ ସୁପ୍ରିମକୋର୍ଟ । ବାର୍ ମଧ୍ୟରେ ସିସିଟିଭି କ୍ୟାମେରା ଲଗାଇବା ସହ ଡାନସରଙ୍କ ଉପରେ ନୋଟ୍ ବର୍ଷା ନକରିବାକୁ କୋର୍ଟ କହିଥିଲେ । ସେହିପରି ବାର୍ ମାଲିକ ଓ ଡାନସରଙ୍କ ମଧ୍ୟରେ କଣ୍ଟ୍ରାକ୍ଟକୁ ବାଧ୍ୟତାମୂଳକ କରିଥିଲେ ସର୍ବୋଚ୍ଚ କୋର୍ଟ ।

ଡାନ୍ସ ବାରକୁ ଯେତେ ବିରୋଧ ହେଲେ ବି, ଏହାକୁ ସଂପୂର୍ଣ୍ଣ ରୂପେ ବନ୍ଦ କରିବା ରାଜ୍ୟ ସରକାରଙ୍କ ପାଇଁ ବଡ ଚ୍ୟାଲେଞ୍ଜ ହୋଇପାରେ । ଆଇନଗତ ଲଢେଇ ସାଙ୍ଗକୁ ରୋଜଗାର ହରାଉଥିବା କର୍ମଚାରୀ ଓ ଡାନସର ବି ରାସ୍ତାକୁ ଓହ୍ଲାଇ ପାରନ୍ତି ।

Comments are closed.