ମହିମା ଧର୍ମର ଏନ୍ତୁଡ଼ିଶାଳ ଢେଙ୍କାନାଳ । ସାହିତ୍ୟ ବିଭବ, ସଂସ୍କୃତି, ଲୋକକଳା ଏହାର ଐତିହାସିକ ପୃଷ୍ଠଭୂମିକୁ ସମୃଦ୍ଧ କରିଛି । ବ୍ରାହ୍ମଣୀର ପାଣି, ଖଣିଜ ସମ୍ପଦ ଜନଜୀବନକୁ ପରିପୁଷ୍ଟ କରି ଗଢ଼ିତୋଳିଛି ଏଠାରେ । ଜୈବ ବିବିଧତା, ଶତାଧିକ ପ୍ରଜାତିର ବନ୍ୟଜନ୍ତୁ ସଂରକ୍ଷିତ ଜଙ୍ଗଲରେ ହସ୍ତୀମାନଙ୍କ ବିଚରଣ ପର୍ଯ୍ୟଟନର ଗୋଟିଏ ଗୋଟିଏ ସୁନ୍ଦର ଦସ୍ତାବିଜ ଏହି ଢେଙ୍କାନାଳ ଜିଲ୍ଲା ।
ଆରାଧ୍ୟ ଦେବତା ପ୍ରଭୁ ବଳରାମ ଢେଙ୍କାନାଳ ସହରବାସୀଙ୍କ ଧାର୍ମିକ ଭାବଧାରାକୁ ଅଧିକ ରୁଦ୍ଧିମନ୍ତ କରିଛନ୍ତି । ସର୍ବୋପରି ଏଠାକାର ସ୍ଵାଦିଷ୍ଟ ବରାର ବାସ୍ନା ଆଜିବି ଲୋକଙ୍କ ମନ ଜିଣୁଛି।
ସାହିତ୍ୟର ଏକାଧିକ ବିନ୍ଧାଣି ଏହି ମାଟିକୁ ପ୍ରାଣବନ୍ତ କରିଛନ୍ତି । ଲୋକକଳାର ପ୍ରଚାର ପ୍ରସାରରେ ରାଜ୍ୟ ସାଂସ୍କୃତିକ ରଥର ସାରଥି ସାଜିଛି ଢେଙ୍କାନାଳ।
ଭଗବତ ଗୀତାର ଟୀକାକାର ଶ୍ରୀଧର ସ୍ଵାମୀଙ୍କ ସାଧନା ପୀଠ, କପିଳାସର ଶ୍ରୀଶ୍ରୀ ଚନ୍ଦ୍ରଶେଖରଜୀଉ, ପର୍ଯ୍ୟଟନସ୍ଥଳୀ ସପ୍ତଶଯ୍ୟା ପାଇଁ ସୁନାମ ଅର୍ଜିଛି ଏହି ସହର । ଏ ମାଟିର କବି ବ୍ରଜନାଥ ବଡ଼ଜେନା, ୬ଟି ଭାଷାରେ ପାରଦର୍ଶିତା ଲାଭ କରି କିମ୍ବଦନ୍ତୀ ପୁରୁଷ ପାଲଟିଛନ୍ତି ।
ରାଜବଂଶର ମହନୀୟ ପରମ୍ପରା ଆଜି ବି ଅନେକ ସ୍ମୃତିକୁ ଉଜ୍ଜୀବିତ କରେ । ସହରବାସୀଙ୍କ ସରଳ ଜୀବନଯାପନ, ପରିବ୍ୟାପ୍ତ ସାହିତ୍ୟ କ୍ଷେତ୍ର, ଏକାଧିକ ସାଂସ୍କୃତିକ ଅନୁଷ୍ଠାନ, ମଠ, ମନ୍ଦିର, ଐତିହାସିକ କାର୍ତ୍ତିରାଜି, ପୋଖରୀ, ବିଜ୍ଞାନ କେନ୍ଦ୍ର, ଦୂରଦର୍ଶନ କେନ୍ଦ୍ରକୁ ଦେଖିଲେ ଆପେ ଆପେ ମନ କୁଣ୍ଢେମୋଟ ହୋଇଯାଏ ।
କପିଳାସ:
ପ୍ରକୃତିର ବରଦାନ କପିଳାସ ଢେଙ୍କାନାଳ ସହରଠାରୁ ମାତ୍ର ୨୫ କିମି ଦୂରରେ ଅବସ୍ଥିତ। ଶ୍ରୀଶ୍ରୀ ଚନ୍ଦ୍ରଶେଖରଜୀଉଙ୍କ ପାଇଁ କପିଳାସ ପୀଠର ଆଧ୍ୟାତ୍ମିକ ଗୁରୁତ୍ଵ ସର୍ବାଧିକ। ପୀଠକୁ ଯିବା ପାଇଁ ବାରବାଙ୍କ ଘାଟିରାସ୍ତା ରହିଛି। ସେହିପରି ପାଦରେ ଚାଲିଯିବା ପାଇଁ ୧୩୫୨ ପାହାଚ ରହିଛି । ଦ୍ଵାଦଶ ଶତାବ୍ଦୀ ଠାରୁ ଏହି ଶୈବପୀଠରେ ଶ୍ରୀଚନ୍ଦ୍ରଶେଖରଜୀଉ ମହାଦେବ ମା’ ପାର୍ବତୀଙ୍କ ସହିତ ପୂଜା ପାଉଛନ୍ତି ।
କପିଳାସ ପୀଠ ପରିସରରେ ମା’ ପାର୍ବତୀ, ମା’ ଭୁବନେଶ୍ୱରୀ, କାଶୀ ବିଶ୍ଵନାଥ, ହନୁମାନ, ନାରାୟଣଙ୍କ ମନ୍ଦିର ରହିଛି । ଥଣ୍ଡା ପରିବେଶ ସାଙ୍ଗକୁ ପ୍ରବାହିତ ଝରଣା ଆକୃଷ୍ଟ କରେ । ପର୍ଯ୍ୟଟକଙ୍କ ମନୋରଞ୍ଜନ ପାଇଁ କପିଳାସ ପାଦ ଦେଶରେ ରହିଛି ମିନି ଚିଡ଼ିଆଖାନା, ସାଇନ୍ସ ପାର୍କ । ଚିଡ଼ିଆଖାନାରେ ହରିଣ, ଶମ୍ବର, ଭାଲୁ, ମିଥୁନ, ଗାଈ, କୁମ୍ଭୀର, ହାତୀ, ବିରଳ ପେଚା, ମୟୂର, ମୂଷା, ଠେକୁଆ, ସରୀସୃପ, ପିଲାଙ୍କ ଖେଳିବା ପାଇଁ ଦୋଳି ରହିଛି। ପର୍ଯ୍ୟଟନ ଋତୁରେ କପିଳାସ ପୀଠ ପର୍ଯ୍ୟଟକଙ୍କ ଗହଳିଚହଳିରେ ମୁଖରିତ ହୋଇଉଠେ ।
ଶ୍ରୀ ବଳରାମ ମନ୍ଦିର:
ଢେଙ୍କାନାଳ ସହରର ଆରାଧ୍ୟ ଦେବତା ଶ୍ରୀ ବଳଦେବ । ଏହି ମନ୍ଦିରର ସ୍ଵାତନ୍ତ୍ରତା ହେଉଛି ଏଠାରେ ପୂଜା ପାଉଥିବା ଶ୍ରୀବଳରାମ ଠାକୁର ପାଷାଣ ବିଗ୍ରହ ।
ମହାପ୍ରଭୁ ବଳରାମ ଭଉଣୀ ସୁଭଦ୍ର, ଭାଇ ଶ୍ରୀକୃଷ୍ଣ, ଋକ୍ମିଣୀ ଓ ଲକ୍ଷ୍ମୀଙ୍କ ସହ ମୁଖ୍ୟ ମନ୍ଦିରରେ ପୂଜା ପାଉଛନ୍ତି । ମନ୍ଦିର ପରିସରରେ ପୂଜିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର ଅନ୍ୟତମ ଆକର୍ଷଣ ।
ମହିମା ଧର୍ମପୀଠ ଯୋରନ୍ଦା:
ମହିମାଧର୍ମର ଧାର୍ମିକ ଓ ଐତିହାସିକ ମଧ୍ୟସ୍ଥଳ ଜୋରନ୍ଦା ମହିମା ଗୋସାଇଁ ସମାଧିପୀଠ, ଶୂନ୍ୟମନ୍ଦିର ଅନ୍ୟମନ୍ଦିର ଗାଦିମନ୍ଦିର ଏବଂ ଅନେକ ସାଧୁମାନଙ୍କର ମଧ୍ୟ ରହିଛି। ମାଘ ପୁର୍ଣିମା ସଭା ସାଧାରଣ ଭାବରେ ଇ॰ରାଜୀ ଜାନୁୟାରୀ ଓ ଫେବୃଆରୀ ମାସରେ ପଡିଥାଏ। ଏହିସମୟରେ ଯୋରନ୍ଦାରେ ବିଶ୍ଵପ୍ରସିଦ୍ଧ ମାଘମେଳା ହୋଇଥାଏ। ମହଣ ମହଣ ଘୃତ ବିଶ୍ବବାସୀଙ୍କ ମଙ୍ଗଳ ନିମନ୍ତେ ବିଶ୍ବବାସୀଙ୍କ ଉଦେଶ୍ୟରେ ଜଳାଯାଇଥାଏ। ରାଜ୍ୟ ଓ ରାଜ୍ୟ ବାହାରୁ ବହୁ ପର୍ଯ୍ୟଟକ ଯୋରନ୍ଦା ମହିମାଗାଦିକୁ ପରିଦର୍ଶନରେ ଆସିଥାନ୍ତି। ଏହି ଧର୍ମର ମୁଖ୍ୟପ୍ରଚାରକ ମହିମା ଧର୍ମକୁ ସ୍ଵତନ୍ତ୍ର ପରିଚୟ ଆଣିଦେଇଛି।
ସପ୍ତ ପାହାଡ଼ର ସମାଗମ ସପ୍ତଶଯ୍ୟା:
ଢେଙ୍କାନାଳ ସହରରୁ ମାତ୍ର ୧୨କିମି ଦୂରରେ ରହିଛି ପ୍ରକୃତିରାଜିର ଗନ୍ତାଘର ସପ୍ତଶଯ୍ୟା । ସପ୍ତଋଷିଙ୍କ ସାଧନାର ପୀଠ କୁହାଯାଉଥିବା ସପ୍ତଶଯ୍ୟାରେ ୧୯୫୬ରେ ରାଜମାତା ରତ୍ନ ପ୍ରଭା ଦେବୀଙ୍କ ଦ୍ଵାରା ମହାପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ମନ୍ଦିର ପ୍ରତିଷ୍ଠା ହୋଇଛି । ଏଠାରେ ୨୨୫୦ ହେକ୍ଟର ପରିଧାରେ ରହିଛି ଘଞ୍ଚ ଶାଗୁଆନ ଜଙ୍ଗଲ। ପରିବେଶ ପର୍ଯ୍ୟଟନ ଏବଂ ନିକଟରେ ଥିବା ଡୋକ୍ରା ଗ୍ରାମ ହସ୍ତଶିଳ୍ପ ଗ୍ରାମ ସଦେଇ, ବେରେଣୀ, ନବଜୀବନପୁର ପର୍ଯ୍ୟଟକଙ୍କ ଦୃଷ୍ଟି ଆକର୍ଷଣ କରିଚାଲିଛି ।
ଦଣ୍ଡାଧାର:
ଢେଙ୍କାନାଳଠାରୁ ୬୭ କିମି ଓ କାମାକ୍ଷାନଗର ଠାରୁ ୩୦ କିମି ଦୂରରେ ଦଣ୍ଡାଧାର ଜଳସେଚନ ପ୍ରକଳ୍ପ ଅବସ୍ଥିତ। ରାମିଆଲ ନଦୀରେ ଅବସ୍ଥିତ ଏହି ପ୍ରକଳ୍ପ ପର୍ଯ୍ୟଟକଙ୍କ ବଣଭୋଜି ପାଇଁ ଉକୃଷ୍ଟ ସ୍ଥାନ । ବିସ୍ତୃତ୍ଵ ଜଳରାଶି ଏବଂ ସୂର୍ଯ୍ୟାସ୍ତ ଉପତ୍ୟକାରେ ଅବସ୍ଥିତ ଏହି ଅଞ୍ଚଳ ଦର୍ଶକ ମାନଙ୍କ ଭିତରେ ସିଂହରଣ ସୃଷ୍ଟି କରିଥାଏ। ଶୀତଦିନେ ଅର୍ଥାତ ଡିସେମ୍ବର ରୁ ଫେବୃଆରୀ ମାସରେ ଏଠାକୁ ବୁଲିଆସିବା ଓ ବଣଭୋଜି କରିବାର ଉକୃଷ୍ଟ ସମୟ ଅଟେ। ଭୁବନେଶ୍ବରରୁ ଟ୍ରେନ କିମ୍ବା ଟ୍ଯାକ୍ସି ଯୋଗେ ଢେଙ୍କାନାଳ ପହଞ୍ଚି ସେଠାରୁ ବସଯୋଗେ କାମାକ୍ଷାନଗର ଓ ପରେ ସେଠାରୁ ଟ୍ଯାକ୍ସି କିମ୍ବା ବସଯୋଗେ ଦଣ୍ଡାଧାର ଯାଇହେବ।
ସରାଙ୍ଗ:
ଢେଙ୍କାନାଳ ଠାରୁ ୬୭ କିମି ଦୂର ଓ ଅନୁଗୁଳ ଠାରୁ ୨୩ କିମି ତଥା ତାଳଚେର ଠାରୁ ୩ କିମି ଦୂରରେ ସରାଙ୍ଗ ଅବସ୍ଥିତ। ବ୍ରାହ୍ମଣୀ ନଦୀର ପଥୁରୁଆ ଅବବାହିକାରେ ଭଗବାନ ବିଷ୍ଣୁଙ୍କର ଅନନ୍ତଶୟନ ମୁଦ୍ରାରେ ରହିଛନ୍ତି ନାଗରାଜ ଅନନ୍ତଙ୍କ ଫଣା ଭଗବାନ ବିଷ୍ଣୁଙ୍କ ମୁକୁଟ ସଦୃଶ ପ୍ରଣୟ ମନରୁ ଓ ଭଗବାନଙ୍କ ନାଭିରୁ ଉତ୍ପନ ପଦ୍ମ ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କୁ ଧାରଣ କରିଛି। ଭଗବାନ ବିଷ୍ଣୁଙ୍କର ଅହି ଅନନ୍ତ ଶୟନ ମୁଦ୍ରା ବ୍ରାହ୍ମଣୀ ନଦୀର ଜଳରାଶି ଦ୍ଵାରା ପ୍ଳାବିତ ହୋଇଥାଏ। ଏହି ସ୍ଥାନକୁ ଆସିବାକୁ ହେଲେ ଢେଙ୍କାନାଳ ଠାରୁ ବସ କିମ୍ବା ଟ୍ଯାକ୍ସି ଯୋଗେ ଯାଇ ସରାଙ୍ଗର ଏହି ଅପୂର୍ବ ଦୃଶ୍ୟ ଦେଖିହେବ। ସେପ୍ଟେମ୍ବରରୁ ଫେବ୍ରୁଆରୀ ମଧ୍ୟରେ ପରିଦର୍ଶନ ଯିବାର ଉକୃଷ୍ଟ ସମୟ ଅଟେ।
Comments are closed.