Latest Odisha News

BREAKING NEWS

ପର୍ଯ୍ୟଟନ ମାନଚିତ୍ରରେ ଯାଜପୁର; ପୁରାତନ କୀର୍ତ୍ତିରାଜିର ଗନ୍ତାଘର

ଯାଜପୁର: ଯାଜପୁର ଜିଲ୍ଲାର କୋଣ ଅନୁକୋଣରେ ରହିଛି ପ୍ରାଚୀନ ସଂସ୍କୃତିର ଛାପ । ଐତିହ୍ୟ କୀର୍ତ୍ତିରାଜି କୁ ନେଇ ଏହି ପର୍ଯ୍ୟଟନ କ୍ଷେତ୍ର ଶୋଭିତ । ପ୍ରାଚୀନ ଉତ୍କଳର ରାଜଧାନୀ ଥିବା ଯାଜପୁରର ଗଳିକନ୍ଦିରେ ପୌରାଣିକ ଓ ଐତିହାସିକ କଳାକୃତି ବିଦ୍ୟମାନ । ସାରା ଜିଲ୍ଲାରେ ରହିଛି ଅନେକ ବୌଦ୍ଧକୀର୍ତ୍ତିର ଭାଗନ୍ନାବିବେଶ। ଏଠାରେ ଥିବା ରତ୍ନଗିରି, ଉଦୟଗିରି, ଲାଙ୍ଗୁଡ଼ିର ପ୍ରତ୍ନତାତ୍ତିକ ସମ୍ପଦ ବିଶ୍ୱବାସୀଙ୍କୁ ଆକର୍ଷିତ କରିଥାଏ । ମା ବିରଜା, ଶ୍ରୀ ବରାହ, ସର୍ବଧର୍ମ ସମନ୍ଵୟର ପୀଠ ଓଳାଶୁଣୀ ଗୁମ୍ପା, ମାଳିକା ବଣ୍ଡିତ ଛତିଆ ବଟ, ପ୍ରାଚୀନ ଦୁର୍ଗ ଅମରାବତୀ କଟକ, ପବିତ୍ର ଦଶାଶ୍ୱମେଧ ଘାଟ, ସପ୍ତମାତୃକା ମନ୍ଦିର, ସୁପ୍ରସିଦ୍ଧ । ଶୈବପୀଠ ବରୁଣେଶ୍ୱର, ଗୋକର୍ଣ୍ଣେଶ୍ଵର, ତ୍ରିଲୋଚନେଶ୍ୱର, ସିଦ୍ଧେଶ୍ଵର, ମହାବିନାୟକ ପୀଠ, ଚଣ୍ଡିଖୋଲର ଚଣ୍ଡିମନ୍ଦିର, ଅଶୋକଝର, ବ୍ୟାସରୋବର ଭଳି ମନୋରମ ପ୍ରାକୃତିକ ପର୍ଯ୍ୟଟନ କେନ୍ଦ୍ର ବେଶ୍ ଆକର୍ଷଣୀୟ ।

ପ୍ରାକୃତିକ ତଥା ଐତିହ୍ୟମୟ ପର୍ଯ୍ୟଟନ କ୍ଷେତ୍ର ସହିତ ଏବେ ଯୋଡ଼ି ହୋଇଛି ସଦ୍ୟ ନିର୍ମିତ କୁସୁମା ପୁଷ୍କରିଣୀ ପର୍ଯ୍ୟଟନ ପ୍ରକଳ୍ପ ।

ପୁରାତନ ତନ୍ତ୍ରପୀଠ ମା ବିରଜାଙ୍କ କ୍ଷେତ୍ର:

ଯାଜପୁରକୁ ବିରଜା କ୍ଷେତ୍ର କୁହାଯାଏ । ପ୍ରାଚୀନ ଧର୍ମକ୍ଷେତ୍ର ସମ୍ପର୍କରେ ଆଲୋଚନା କଲା ବେଳେ ଯାଜପୁର ସହରର ଅଧିଷ୍ଠାତ୍ରୀ ଦେବୀ ଆଦ୍ୟାଶକ୍ତି ବିରଜା ଦେବୀଙ୍କ ବିଷୟରେ ଆଲୋଚନା ହୁଏ । ବିରଜା ଦେବୀଙ୍କ ଅବସ୍ଥିତି ହେତୁ ଯାଜପୁରର ନାମ ବିରଜା କ୍ଷେତ୍ର ହୋଇଛି । ଭାରତବର୍ଷରେ ଥିବା ଦୁର୍ଗା ବିଗ୍ରହମାନଙ୍କ ମଧ୍ୟରେ ଦେବୀ ବିରଜାଙ୍କ ବିଗ୍ରହ ସର୍ବ ପ୍ରାଚୀନ । ଏହି କ୍ଷେତ୍ର )ରେ ଦେବୀଙ୍କୁ ବୈଦିକ, ତାନ୍ତ୍ରିକ ବିଧିରେ ପୂଜାର୍ଚ୍ଚନା କରଯାଏ।

ବିଂଝାରପୁରର ଐତିହ୍ୟ ଶ୍ରୀ ବରୁଣେଶ୍ୱର ପୀଠ:

ବିଂଝାରପୁର ବ୍ଲକ ଅନ୍ତର୍ଗତ ଅରେଇ ଗ୍ରାମରେ ରହିଛି ସୁପ୍ରସିଦ୍ଧ ବରୁଣେଶ୍ଵର ମନ୍ଦିର। ଏହି ଶୈବ ମନ୍ଦିରରେ ପାତାଳୀ ଶିବଲିଙ୍ଗ ଜଳ ଭିତରେ ହିଁ ରହିଥାଆନ୍ତି । ଏହି ମନ୍ଦିର ସଂଲଗ୍ନ ମା ବିରଜାଙ୍କ ମନ୍ଦିର ପରିସରରେ ଭୌମକର ସମୟର ଅନେକ କୀର୍ତ୍ତିରାଜିର ସ୍ମାରକୀ ମଧ୍ୟ ରହିଛି । କୁଶଭଦ୍ରା ଶ୍ରୀ ଗଣେଶ, କାର୍ତ୍ତିକ, ଆସ୍ତିକ ଜରିତ୍କାରୁଙ୍କ ବିଗ୍ରହ ମଧ୍ୟ ରହିଛି । ମନ୍ଦିରରେ ଥିବା ବୃଷ ସ୍ତମ୍ଭଟି କାରୁକାର୍ଯ୍ୟ ବିମଣ୍ଡିତ । ପ୍ରତିବର୍ଷ ମକର ସଂକ୍ରାନ୍ତିରେ ବରୁଣେଶ୍ୱର ମେଳା ଆୟୋଜିତ ହୋଇଥାଏ । ଏହି ମେଳାରେ ଯାଜପୁର ଜିଲ୍ଲା ସମେତ ଆଖପାଖ ଅଂଚଳର ହଜାର ହଜାର ତୀର୍ଥଯାତ୍ରୀ ଓ ଶ୍ରଦ୍ଧାଳୁ ସାମିଲ ହୁଅନ୍ତି ।

ବୌଦ୍ଧକୀର୍ତ୍ତିର ବିରଳ ଐତିହ ଉଦୟଗିରି:

ଯାଜପୁରର ଉଦୟଗିରି ପାହାଡ଼ ଘେରା ଅଂଚଳରେ ଅବସ୍ଥିତ ବୌଦ୍ଧପୀଠ ଭାରତ ବର୍ଷରେ ଅଦ୍ଵିତୀୟ ପର୍ଯ୍ୟଟନ କ୍ଷେତ୍ର ଭାବେ ଆଦର ଲାଭ କରିଛି। ଉଦୟଗିରି ଠାରେ ରହିଛି ବୌଦ୍ଧ ବଜ୍ରଯାନ ଯୁଗର ପ୍ରାଚୀନ ଦ୍ଵିତଳ ବୌଦ୍ଧ ବିହାର, ଯାହାକି ପଞ୍ଚରଥ ଶୈଳୀରେ ନିର୍ମିତ। ଉଦୟଗିରିରେ ଉତଖନନରୁ ଆବିଷ୍କୃତ ହୋଇଛି ପ୍ରାଚୀନ ମାଧବପୁର ବୌଦ୍ଧ ବିହାର ଓ ଏକ ବିଶାଳ ମହାସ୍ତୁପ ଅଷ୍ଟମ-ନବମ ଶତାବ୍ଦୀରେ ନିର୍ମିତ ଏହି ବୌଦ୍ଧ ସ୍ଥାପତ୍ୟ ମଧ୍ୟରେ ଏକ ବିରଳତମ ଚୈତ୍ୟଗୃହ କଂପ୍ଲେକ୍ସ ଓ ଦ୍ଵିତଳ ସିଂହପ୍ରସ୍ଥ ମହାବିହାର ମାଟିତଳୁ ବାହାରିଛି ।

ଭାରତ ବର୍ଷର ପ୍ରାଚୀନ ବୌଦ୍ଧ ଶିକ୍ଷାକେନ୍ଦ୍ର ରତ୍ନଗିରି:

ଯାଜପୁର ଜିଲ୍ଲା ରତ୍ନଗିରି ଠାରେ ରହିଛି ପ୍ରାଚୀନ ବୌଦ୍ଧଯୁଗୀୟ ବିଶ୍ୱ ବିଦ୍ୟାଳୟ, ବହୁ ପୁରାତନ ମହା ବିହାର, ଇଟା ନିର୍ମିତ ଏକ ବିଶାଳ ମହାସ୍ତୁପ, ମହାକାଳଙ୍କ ପବିତ୍ର ମନ୍ଦିର । ରତ୍ନଗିରି ଏକଦା ବୌଦ୍ଧ କାଳଚକ୍ରଯାନ ଓ ଯୋଗାଚାର ବିଜ୍ଞାନବାଦର ଏକ ମହିମା ମଣ୍ଡିତ ପୀଠ ଭାବେ ମଧ୍ୟଯୁଗୀୟ ସମୟରେ ସୁପରିଚିତ ଥିଲା । ବିଶ୍ୱର ବିଭିନ୍ନ ସ୍ଥାନରୁ ଆସୁଥିବା ବିଦ୍ୟାର୍ଥୀମାନଙ୍କ ପାଇଁ ରତ୍ନଗିରି ବୌଦ୍ଧ ମହାବିହାର ଥିଲା ପୁରାତନ ଭାରତବର୍ଷର ଏକ ପ୍ରାଚୀନତମ ବୌଦ୍ଧ ଶିକ୍ଷାକେନ୍ଦ୍ର ।

ଗୁପ୍ତ ସମ୍ରାଟ ନରସିଂହଗୁପ୍ତ ବାଳାଦିତ୍ୟ ଏହି ବିଖ୍ୟାତ ବୌଦ୍ଧପୀଠରେ ବୌଦ୍ଧଶ୍ରମଣ ଏବଂ ବିଦ୍ୟାର୍ଥୀ ମାନଙ୍କ ପାଇଁ ସୁବିଶାଳ ବୌଦ୍ଧ ମହାବିହାର ଓ ସଂଘରାମ ନିର୍ମାଣ କରିଥିଲେ ।

ମହାଭାରତ ଯୁଗର ମହନୀୟ ସଂସ୍କୃତିର ପୀଠ ବ୍ୟାସରୋବର:

ବ୍ୟାସନଗରରେ ରହିଛି ମହର୍ଷି ବ୍ୟାସଦେବ ମହାମୁନିଙ୍କ ଐତିହ୍ୟପୀଠ ବ୍ୟାସ ସରୋବର । ବେଦବ୍ୟାସ ଏହି ସ୍ଥାନରେ ବସି ମହାକାବ୍ୟ ମହାଭାରତ ରଚନା କରିଥିବାର କିମ୍ବଦନ୍ତୀରହିଛି ।

ଲୋକମୁଖରେ ପ୍ରଚଳିତ ରହିଛି ଯେ, ୧୮ ଦିନର ମହାଭାରତ ଯୁଦ୍ଧର ମୂକସାକ୍ଷୀ ବ୍ୟାସ ସରୋବର ଅଂଚଳରେ ପାଣ୍ଡବଭ୍ରାତା ଭୀମଙ୍କ ଗଦାଘାତରେ କୁରୁରାଜ ଦୁର୍ଯ୍ୟୋଧନଙ୍କ ଜାନୁ ଭଙ୍ଗ ହୋଇଥିଲା । । ବ୍ୟାସସରୋବର ସନ୍ନିକଟସ୍ଥ ଏକ ବଉଳ ଗଛତଳେ ପଡ଼ିଥିବା ଏକ ବିଶାଳ ପ୍ରସ୍ତର ଖଣ୍ଡଟି ମହାମାନୀ ଦୁର୍ଯ୍ୟୋଧନଙ୍କ ଜାନୁଭଶ୍ଵର ଶେଷ ସ୍ମାରକୀ ବୋଲି ଲୋକମୁଖରେ ଆଲୋଚନା ହୁଏ । ବ୍ୟାସସରୋବରରେ ପ୍ରାଚନ ଗୁପ୍ତଗଙ୍ଗା ରହିଛି । ବହୁ ପୁରାତନ କାଳରୁ ଭୌମ ଏକାଦଶୀ ତିଥିରେ ବ୍ୟାସସରୋବର ମେଳା ଅନୁଷ୍ଠିତ ହୋଇଥାଏ । ମହାଭାରତ ଯୁଗର ଏକ ମହନୀୟ ସଂସ୍କୃତିର ପୀଠ ଭାବେ ବ୍ୟାସସରୋବର ଏକ ପାବନ ତୀର୍ଥକ୍ଷେତ୍ର ।

ଧର୍ମଶାଳାର ପ୍ରାଚୀନ ବୌଦ୍ଧ ଭାସ୍କର୍ଯ୍ୟ:

ଯାଜପୁରର ଲାଙ୍ଗୁଡ଼ି ପାହାଡରେ ପ୍ରାଚୀନ ବୌଦ୍ଧକୀର୍ତ୍ତିର ଅମ୍ଳାନ ସ୍ମାରକୀ ଆବିଷ୍କୃତ ହୋଇଛି । ଲାଙ୍ଗୁଡ଼ି ପାହାଡ଼ରେ ରହିଛି ପ୍ରସ୍ତର ଖୋଦିତ ବହୁ ବୌଦ୍ଧ ବିଗ୍ରହ, ପଦ୍ମପାଣି ବୁଦ୍ଧ, ତାରା, ଅବଲୋକିତେଶ୍ଵର, ପ୍ରଜ୍ଞାପାରମିତା, ଅନେକ ଗୁଡ଼ିକ ପ୍ରସ୍ତର କଟା ସ୍ତୁପ, ଅନାବିଷ୍କୃତ ଏକ ବିଶାଳ ବୌଦ୍ଧସ୍ତପ ଓ ଅନେକ ବୌଦ୍ଧ ବିହାର । ଲାଙ୍ଗୁଡ଼ି ବୌଦ୍ଧ ବିହାରରୁ ଆବିଷ୍କୃତ ପ୍ରସ୍ତରକଟା ବୌଦ୍ଧ ଭାସ୍କର୍ଯ୍ୟ ଭାରତବର୍ଷର ଏକ ବିରଳତମ ଆବିଷ୍କାର । ଲାଙ୍ଗୁଡ଼ି ବୌଦ୍ଧ ବିହାର ନିକଟରେ ରହିଛି ଐତିହ୍ୟର ଗ୍ରାମ ରାଧାନଗର । ଏହି ପ୍ରାଚୀନ ଗ୍ରାମକୁ ପରିବେଷ୍ଟନୀ କରି ରହିଛି ବିଶାଳ ବୌଦ୍ଧ ଐତିହ୍ୟର ଭଣ୍ଡାର । ବିଶାଳ ଇଟା ପ୍ରାଚୀର ମାଟିତଳେ ପୋତିହୋଇ ରହିଛି । ପ୍ରତ୍ନତାତ୍ତିକ ଖନନରୁ ଶିଶୁପାଳଗଡ଼, ଜଉଗଡ଼, ଅସୁରଗଡ଼ ଭଳି ଏଠାରେ ପ୍ରାଚୀନ କୂପ, ମୁଦ୍ରା, ଅଳଙ୍କାର, ସ୍ତୁପ ବିହାର କୀର୍ତ୍ତିରାଜି ମିଳିଛି ।

ପଞ୍ଚକ୍ଷେତ୍ର ଶ୍ରୀ ମହାବିନାୟକ:

ପୁରାଣ ବର୍ଣ୍ଣିତ ପଞ୍ଚ କ୍ଷେତ୍ର ମଧ୍ୟରେ ଶ୍ରୀ ଗଣେଶଙ୍କ କ୍ଷେତ୍ର ଓ ଶୈବକ୍ଷେତ୍ର ମହାବିନାୟକ ପୀଠ ଅନ୍ୟତମ। ବିଶାଳ ଶିବଲିଙ୍ଗ ଦେହରେ ଗଣେଶ, ଭାସ୍କର, ବିଷ୍ଣୁ, ଶିବ, ଦୁର୍ଗାପୂଜା ପାଇବା ଏକ ବିରଳ ଘଟଣା । ଶ୍ରୀକ୍ଷେତ୍ରରେ ବିଷ୍ଣୁ ଜଗନ୍ନାଥ ରୂପରେ, ଅର୍କକ୍ଷେତ୍ର କୋଣାର୍କରେ ସୂର୍ଯ୍ୟ, ଶୈବକ୍ଷେତ୍ର ଭୁବନେଶ୍ଵରରେ ଶ୍ରୀ ଲିଙ୍ଗରାଜ, ଶକ୍ତିକ୍ଷେତ୍ର ଯାଜପୁରର ଶକ୍ତିଦାତ୍ରୀ ମା’ ବିରଜାଙ୍କ ପରି ସିଦ୍ଧକ୍ଷେତ୍ର ମହାବିନାୟକ ପୀଠରେ ଶ୍ରୀ ଗଣେଶ ଏହି ପଞ୍ଚ ଦେବାଦେବୀଙ୍କର ଆବିର୍ଭାବ ଘଟିଛି ।

ଦ୍ଵିତୀୟ ଶ୍ରୀକ୍ଷେତ୍ର ଛତିଆବଟ:

ଛତିଆ ଠାରେ ରହିଛି ମହାପୁରୁଷ ହାଡ଼ିଦାସଙ୍କ ସାଧନା, ସିଦ୍ଧି ଓ ସମାଧି ପୀଠ ଓଡ଼ିଶାର ଦ୍ଵିତୀୟ ଶ୍ରୀକ୍ଷେତ୍ର ଭାବରେ ବର୍ଣ୍ଣିତ ଏହି ପୀଠ ମହାପୁରୁଷ ହାଡ଼ିଦାସଙ୍କ ଦେହାବସାନ ପରେ ତାଙ୍କୁ ଯେଉଁ ଠାରେ ସମାଧି ଦିଆଯାଇଛି ତା’ ଉପରେ ନିର୍ମିତ ମନ୍ଦିର ହେଉଛି ଛତିଆ ବଟ ।

ଅଶୋକଝର:

ଅଶୋକଝର ଏକ ମନୋରମ ପ୍ରାକୃତିକ ପର୍ଯ୍ୟଟନ କ୍ଷେତ୍ର ଭାବରେ ବେଶ୍ ସୁପରିଚିତ । ମହାଗିରି ପର୍ବତ ଶଂଖଳରୁ ବାହାରିଥିବା ଏହି ପ୍ରାକୃତିକ ଝରଣା ମହାଗିରି ଗୁମ୍ଫା ନିକଟରୁ ବାହାରି ପାହାଡ଼ ପାଦଦେଶକୁ ବୋହି ଯାଇଛି ।
ଝରଣାର ପାଦ ଦେଶରେ ଶ୍ରୀରାମ ମନ୍ଦିର ଓ ଶିବ ମନ୍ଦିର ରହିଛି । ଅଶୋକଝର ଏକ ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ଭାବେ ମାନ୍ୟତା ପାଇଛି।

ନଜରଲାଖି କୁସୁମା:

ଯାଜପୁର ଇତିହାସର କିମ୍ବଦନ୍ତୀ ନଗରବଧୂ କୁସୁମାର କାହାଣୀକୁ ପାଥେୟ କରି ନୂଆକରି ଗଢ଼ା ଯାଇଛି କୁସୁମା ପୁଷ୍କରିଣୀ। ଏହା, ଯାଜପୁରର ସଂସ୍କୃତି, ଐତିହ୍ୟ,ସର୍ବଧର୍ମ, ଶାନ୍ତି, ଭାଇଚାରାର ଝଲକ କୁସୁମା ପ୍ରକଳ୍ପରେ ସ୍ଥାନ ପାଇଛି । ଯାଜପୁରର ଐତିହ୍ୟର ପ୍ରତୀକ ରୂପେ ସପ୍ତର ପ୍ରକଳ୍ପ କୁସୁମା ଏବେ ମାନ୍ୟତା ପାଇ ସାରିଛି ।

Leave A Reply

Your email address will not be published.