ମୁମ୍ବାଇ: ମହାରାଷ୍ଟ୍ରର ପାଲଘର ଜିଲ୍ଲାରେ ଏକ ରାସାୟନିକ ୟୁନିଟ୍ରୁ ଓଲିୟମ୍ ଗ୍ୟାସ୍ ଲିକ୍। ଏହି ଘଟଣାରେ ୧,୬୦୦ ଛାତ୍ରଙ୍କ ସମେତ ୨୦୦୦ରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଅଧିକାରୀମାନେ ନିଶ୍ଚିତ କରିଛନ୍ତି ଯେ ଗ୍ୟାସ୍ ଲିକ୍ ହେବା ଫଳରେ ପାଞ୍ଚ କିଲୋମିଟର ବ୍ୟାସାର୍ଦ୍ଧ ମଧ୍ୟରେ ଘନ ଧଳା ଧୂଆଁ ବ୍ୟାପିଯାଇଥିଲା। ବୋଇସର MIDC ଶିଳ୍ପ ଅଞ୍ଚଳର ଭାଗେରିଆ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ରେ ଅପରାହ୍ନ ପ୍ରାୟ ୨ଟା ବେଳେ ଏହି ଲିକ୍ ହୋଇଥିଲା।
ପାଲଘର ଜିଲ୍ଲା କଲେକ୍ଟର ଡକ୍ଟର ଇନ୍ଦୁ ରାଣୀ ଜାଖର, ଯିଏ ଭୂମିରେ କାର୍ଯ୍ୟ ତଦାରଖ କରୁଥିଲେ, କହିଛନ୍ତି ଯେ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ଯୋଜନା ତୁରନ୍ତ ସକ୍ରିୟ କରାଯାଇଥିଲା। ପିଟିଆଇର ଏକ ରିପୋର୍ଟ ଅନୁଯାୟୀ, “ସମସ୍ତ ସମ୍ପୃକ୍ତ ବିଭାଗ ସହିତ ସମନ୍ୱୟ ରଖି ପରିସ୍ଥିତି ଉପରେ ନିରନ୍ତର ନଜର ରଖାଯାଇଛି। ଲୋକମାନେ ଗୁଜବରେ ବିଶ୍ୱାସ କରିବା ଉଚିତ୍ ନୁହେଁ। ସେ ଲୋକମାନଙ୍କୁ ଘର ଭିତରେ ରହିବା ଏବଂ ସରକାରୀ ନିର୍ଦ୍ଦେଶ ପାଳନ କରିବାକୁ ନିବେଦନ କରିଛନ୍ତି।”
ବୋଇସର ସହର ଉପରେ ଧୂଆଁର ମେଘ ସୃଷ୍ଟି ହୋଇଛି ଏବଂ ସ୍ଥାନୀୟ ବାସିନ୍ଦାଙ୍କୁ ସେହି ସ୍ଥାନରୁ ସ୍ଥାନାନ୍ତର କରାଯାଉଛି। ଉକ୍ତ ଅଞ୍ଚଳକୁ ସିଲ୍ ମଧ୍ୟ କରାଯାଇଛି। ଗତକାଲି ଅପରାହ୍ନ ପ୍ରାୟ ୨ଟା ସମୟରେ ବୋଇସରର ଭାଗେରିଆ କେମିକାଲ୍ସ କମ୍ପାନୀରେ ଓଲିୟମ୍ ଗ୍ୟାସ୍ ଲିକ୍ ହୋଇଥିବା ଖବର ମିଳିଥିଲା। ପୋଲିସ ଅଧିକ୍ଷକ ଯତୀଶ ଦେଶମୁଖ କହିଛନ୍ତି ଯେ ଜିଲ୍ଲା ପ୍ରଶାସନ ଏବଂ ଅଗ୍ନିଶମ ବାହିନୀ ଗ୍ୟାସ ଲିକ୍ ନିୟନ୍ତ୍ରଣ କରିବା ପାଇଁ ଏକ ଅଭିଯାନ ଚଳାଇଛନ୍ତି। ଲୋକଙ୍କୁ ପବନ ଏବଂ ଧୂଆଁର ବିପରୀତ ଦିଗରେ ସୁରକ୍ଷିତ ସ୍ଥାନକୁ ଯିବାକୁ ଏବଂ ଭୟଭୀତ ନ ହେବାକୁ ଅନୁରୋଧ କରାଯାଇଛି।