Latest Odisha News

BREAKING NEWS

ଟାଟା ପରିବାରର ବୋହୂ କାନ୍ଧରେ ଟୟୋଟା କମ୍ପାନୀର ଦାୟିତ୍ବ

ନୂଆଦିଲ୍ଲୀ: ଦେଶର ଅନ୍ୟତମ ପ୍ରତିଷ୍ଠିତ ବ୍ୟକ୍ତି ହେଉଛନ୍ତି ଟାଟା ଗ୍ରୁପର ଚେୟାରମ୍ୟାନ ତଥା ଶିଳ୍ପପତି ରତନ ଟାଟା। ଦେଶବାସୀଙ୍କ ପାଇଁ ଟାଟା ନାଁ କହିଲେ ଆଉ କିଛି ବ୍ୟାଖ୍ୟା କରିବାର ଆବଶ୍ୟକତା ନାହଁ। ଲୁଣଠାରୁ ଆରମ୍ଭ କରି କାର ତିଆରି କରେ ରତନ ଟାଟାଙ୍କ ନେତୃତ୍ବାଧୀନ କମ୍ପାନୀ ଟାଟା। କିନ୍ତୁ ଏହାରି ଭିତରେ ଏକ ଖବର ଆସିଛି ଯେଉଁଥିରେ କୁହାଯାଇଛି ଟାଟା ପରିବାରର ବୋହୂ ସମ୍ଭାଳିବେ ଅନ୍ୟତମ ଅଗ୍ରଣୀ ଅଟୋମୋବାଇଲ କମ୍ପାନୀ ଟୟୋଟାର ଦାୟିତ୍ୱ। ଯାହା ଜାଣିଲେ ଟିକିଏ ଅଜବ ଲାଗିଲେ ମଧ୍ୟ ସତ।

ପିଟିଆଇ ରିପୋର୍ଟ ଅନୁଯାୟୀ, ଗାଡି କମ୍ପାନୀ ଟୟୋଟା କିର୍ଲୋସ୍କର ମୋଟର ପ୍ରତିଷ୍ଠାତା ବିକ୍ରମ କିର୍ଲୋସ୍କରଙ୍କ ଝିଅ ମାନସୀ ଟାଟାଙ୍କୁ ଟୟୋଟା କିର୍ଲୋସ୍କର ଅଟୋ ପାର୍ଟସ (TKAP)ର ଭାଇସ ଚେୟାରମ୍ୟାନ୍ ଭାବେ ନିଯୁକ୍ତ କରାଯାଇଛି। ମାନସୀ ଟାଟାଙ୍କ ନିଯୁକ୍ତି ବିଷୟରେ କମ୍ପାନୀର ନିର୍ଦ୍ଦେଶକ ବୋର୍ଡ ଷ୍ଟକ୍ ମାର୍କେଟକୁ ସୂଚନା ଦେଇଛି।

ମାନସୀ ପୂର୍ବରୁ ଟୟୋଟା କିର୍ଲୋସ୍କର ମୋଟର ପ୍ରାଇଭେଟ ଲିମିଟେଡର ପରିଚାଳନା ବୋର୍ଡର ସଦସ୍ୟ ଥିଲେ। ଏହା ବ୍ୟତୀତ ସେ ଟୟୋଟା କିର୍ଲୋସ୍କାରର କର୍ପୋରେଟ୍ ନିଷ୍ପତ୍ତି ଏବଂ ରଣନୀତି ପ୍ରସ୍ତୁତ କରିବାରେ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି।

ଟାଟା ପରିବାରର ବୋହୂ ହେଉଛନ୍ତି ମାନସୀ ଟାଟା (୩୨)। ଆଜି ସେ ତାଙ୍କ ବାପାଙ୍କ ଉତ୍ତରାଧିକାରୀ ଗ୍ରହଣ କରିଛନ୍ତି। ବର୍ତ୍ତମାନ ସେ ତାଙ୍କ ବାପାଙ୍କ ଦ୍ୱାରା ସ୍ଥାପିତ କାର କମ୍ପାନୀର ଦାୟିତ୍ୱ ଗ୍ରହଣ କରିଛନ୍ତି। ତାଙ୍କ ବାପା ଜାପାନରୁ ଭାରତ ଆଣିଥିଲେ ଏହି କାର କମ୍ପାନୀକୁ।

ଟୟୋଟା କିର୍ଲୋସ୍କର ମୋଟର କମ୍ପାନୀର ମୁଖ୍ୟ ହେଉଛନ୍ତି ସ୍ବର୍ଗତ ବିକ୍ରମ କିର୍ଲୋସ୍କର । ତାଙ୍କ ଏକମାତ୍ର ଝିଅ ହେଉଛନ୍ତି ଟୟୋଟା କମ୍ପାନୀର ଉତ୍ତରାଧିକାରୀ। ଯିଏକି ଏବେ ଟାଟା ପରିବାରର ବୋହୂ। ମାନସୀ ୨୦୧୯ ରେ ରତନ ଟାଟାଙ୍କ ଭାଇ ନୋଏଲ୍ ଟାଟାଙ୍କ ପୁଅ ନେଭିଲଙ୍କୁ ବିବାହ କରିଥିଲେ। ଏହି ସମ୍ପର୍କ ସହିତ ସେ ଟାଟା ପରିବାରର ବୋହୂ।

ଉଲ୍ଲେଖଯୋଗ୍ୟ, ଗତ ବର୍ଷ ନଭେମ୍ବରରେ ବିକ୍ରମ କିର୍ଲୋସ୍କାର ହୃଦଘାତରେ ମୃତ୍ୟୁ ହୋଇଥିଲା।।

 

 

Leave A Reply

Your email address will not be published.