Latest Odisha News

BREAKING NEWS

ଋତୁସ୍ରାବଜନିତ ସ୍ୱାସ୍ଥ୍ୟ ଅଭିଯାନ; ୧୦ ହଜାରରୁ ଅଧିକ ମହିଳାଙ୍କୁ କିଟ୍ ଓ ସଚେତନତା ବାଣ୍ଟିଲା ଟିପିଏସ୍ଓଡିଏଲ୍

ବ୍ରହ୍ମପୁର: ଗୋଷ୍ଠୀ ସ୍ୱାସ୍ଥ୍ୟ, ସମାଜ କଲ୍ୟାଣ ଓ ଲିଙ୍ଗଗତ ସମାନତା ଭଳି କ୍ଷେତ୍ରକୁ ଅଗ୍ରାଧିକାର ଦେଇ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ ବ୍ୟାପକ ଋତୁସ୍ରାବ ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ୮ଟି ଜିଲ୍ଲାର ୧୦ ହଜାରରୁ ଅଧିକ କିଶୋରୀ ଓ ମହିଳମାନଙ୍କୁ ଏସମ୍ପର୍କରେ ସଚେତନ କରାଯାଇଛି । ଋତୁସ୍ରାବ ସମ୍ପର୍କିତ ସଠିକ ସୂଚନା ଦେବା ସହ ସ୍ୱଚ୍ଛତା ଅଭ୍ୟାସକୁ ପ୍ରୋତ୍ସାହିତ କରିବା, ଋତୁସ୍ରାବ ନେଇ ଥିବା ଭ୍ରାନ୍ତ ଧାରଣାକୁ ଦୂର କରିବା ଦିଗରେ କମ୍ପାନୀ ପକ୍ଷରୁ ମହିଳାମାନଙ୍କୁ ଅବଗତ କରାଯାଇଛି ।

ଋତୁସ୍ରାବ କିଶୋରୀଙ୍କ ସ୍ୱାସ୍ଥ୍ୟ ଓ ସାମାଜିକ ବିକାଶ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ । ବିଶେଷ କରି ଗ୍ରାମାଞ୍ଚଳ ତଥା ଛୋଟ ଛୋଟ ସହରଗୁଡ଼ିକରେ ଋତୁସ୍ରାବକୁ ନେଇ ଅନେକ ଭ୍ରାନ୍ତ ଧାରଣା ତଥା ସାମାଜିକ ଓ ପାରିବାରିକ କଟକଣା ରହିଛି । ଫଳସ୍ୱରୂପ କିଶୋରୀମାନଙ୍କର ବିଦ୍ୟାଳୟ ଉପସ୍ଥାନରେ ଏହାର ନକରାତ୍ମକ ପ୍ରଭାବ ଦେଖିବାକୁ ମିଳୁଛି । ଏଣୁ ବାଳିକାମାନଙ୍କୁ ଋତୁସ୍ରାବ ସମ୍ପର୍କରେ ସଠିକ ସୂଚନା ପ୍ରଦାନ କରିବା ସହ ପରିବାର ଓ ସମାଜ ମଧ୍ୟରେ ଏସମ୍ପର୍କିତ ଖୋଲା ବାର୍ତ୍ତାଳପକୁ ପ୍ରୋତ୍ସାହିତ କରିବା ଦିଗରେ କମ୍ପାନୀ ଉଦ୍ୟମ କରିଛି । ଏହା ଦ୍ୱାରା ଏକ ସଚେତନଶୀଳ ସମାଜ ଗଠନ ହୋଇପାରିବ ବୋଲି ଟିପିଏସ୍ଓଡିଏଲ ବିଶ୍ୱାସ କରୁଛି ।

ଦକ୍ଷିଣ ଓଡ଼ିଶାର ଘଞ୍ଚ ଜଙ୍ଗଲ ଓ ପାହାଡ଼ର ବଳୟ ଭିତରେ ରହୁଥିବା ଜନଜାତି ସଂପ୍ରଦାୟର ମହିଳା ଓ କିଶୋରୀମାନଙ୍କୁ କମ୍ପାନୀ ପକ୍ଷରୁ ସଚେତନ କରାଯାଇଛି । ବିକ୍ଷିପ୍ତ ଜନବସତି ଓ ଯୋଗାଯୋଗ ଆହ୍ୱାନକୁ ଦୃଷ୍ଟିରେ ରଖି ବ୍ୟାପକ ପ୍ରଚାର ପ୍ରସାର ସୁନିଶ୍ଚିତ କରିବା ନିମନ୍ତେ ସରକାରୀ ଓ ବେସରକାରୀ ବିଦ୍ୟାଳୟ, କମ୍ୟୁନିଟି ହଲ୍, ଅଙ୍ଗନଓ୍ୱାଡି କେନ୍ଦ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଗ୍ରାମ ଗୋଷ୍ଠୀ କେନ୍ଦ୍ରଗୁଡ଼ିକରେ ସଚେତନତା ଶିବିର ଓ ଅଧିବେଶନ ଆୟୋଜିତ ହୋଇଥିଲା ।

ଟିପିଏସ୍ଓଡିଏଲ୍ ପକ୍ଷରୁ ସମଗ୍ର ଦକ୍ଷିଣ ଓଡ଼ିଶାରେ ୭୭ଟି ଅଧିବେଶନ ଆୟୋଜିତ ହୋଇଥିବା ବେଳେ ଗଞ୍ଜାମରେ ସର୍ବାଧିକ ୧୨ଟି, କୋରାପୁଟରେ ୧୧ ଓ ମାଲକାନଗିରିରେ ୧୦ଟି ଅଧିବେଶନ ଅନୁଷ୍ଠିତ ହୋଇଥିଲା । ଗଜପତି, କନ୍ଧମାଳ, ନବରଙ୍ଗପୁର ଏବଂ ରାୟଗଡ଼ାଠାରେ ୯ଟି ଲେଖାଏ ଅଧିବେଶନ ଆୟୋଜନ କରିଥିବାବେଳେ ବୌଦ୍ଧ ୮ଟି ଅଧିବେଶନ ଆୟୋଜିତ ହୋଇଛି ।

ଡାକ୍ତର, ସହାୟକ ନର୍ସ (ଏଏନ୍ଏମ୍), ନର୍ସ, ଏନଜିଓ ପ୍ରତିନିଧି ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟ କର୍ମୀଙ୍କ ସମେତ ତାଲିମପ୍ରାପ୍ତ ବୃତ୍ତିଗତ କର୍ମଚାରୀମାନେ ଏହି ଅଧିବେଶନଗୁଡ଼ିକୁ ପରିଚାଳନା କରିଛନ୍ତି । ବ୍ରହ୍ମପୁର, ଭୁବନେଶ୍ୱର ଏବଂ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାର ଡାକ୍ତରମାନେ ସକ୍ରିୟ ଭାବରେ ଅଂଶଗ୍ରହଣ କରି ପିଲାମାନଙ୍କ ସହ ଆଲୋଚନା କରିଥିଲେ ଏବଂ ଋତୁସ୍ରାବ ସ୍ୱାସ୍ଥ୍ୟ, ସ୍ୱଚ୍ଛତା ଅଭ୍ୟାସ ଏବଂ ପ୍ରଜନନ ସ୍ୱାସ୍ଥ୍ୟ ବିଷୟରେ ସରଳ ଏବଂ ବୈଜ୍ଞାନିକ ଢଙ୍ଗରେ ବୁଝାଇଥିଲେ ।

ଗ୍ରାମ ପଞ୍ଚାୟତ ସ୍ତରର ମହାସଂଘ (ଜିପିଏଲଏଫ), ସ୍ୱୟଂ ସହାୟକ ଗୋଷ୍ଠୀ, ଗୋଷ୍ଠୀ ସମ୍ବଳ ବ୍ୟକ୍ତି (ସିଆରପି) ଏବଂ ମାଷ୍ଟର ବୁକ୍ କିପର (ଏମବିକେ) ସହାୟତାରେ ବିଦ୍ୟାଳୟ ବାହାରେ ଥିବା ବାଳିକା ଏବଂ ମହିଳାଙ୍କ ନିକଟରେ ପହଞ୍ଚିବା ପାଇଁ ଅନେକ ଗୋଷ୍ଠୀ ଭିତ୍ତିକ ଅଧିବେଶନ ମଧ୍ୟ ଆୟୋଜିତ ହୋଇଥିଲା | ଗଞ୍ଜାମ, କୋରାପୁଟ, କନ୍ଧମାଳ, ମାଲକାନଗିରି, ବୌଦ୍ଧ ଓ ନବରଙ୍ଗପୁର ସମେତ ବିଭିନ୍ନ ଜିଲ୍ଲାର ମହିଳାମାନଙ୍କ ପାଇଁ ୧୨ଟି ସ୍ୱତନ୍ତ୍ର ଅଧିବେଶନ ଆୟୋଜନ କରାଯାଇଥିଲା । ସ୍ୱଚ୍ଛତା ଅଭ୍ୟାସକୁ ଦୃଢ କରିବା ପାଇଁ ଅଧିବେଶନ ସମୟରେ ଋତୁସ୍ରାବ ସ୍ୱଚ୍ଛତା ସାମଗ୍ରୀ ବଣ୍ଟନ କରାଯାଇଥିଲା । କିଟ୍ ଗୁଡ଼ିକରେ କଭର ସହିତ ପୁନଃବ୍ୟବହାରଯୋଗ୍ୟ ସାନିଟାରୀ ପ୍ୟାଡ୍, ହ୍ୟାଣ୍ଡ ଟାୱେଲ, ତରଳ ସାବୁନ୍ କିମ୍ବା ସାନିଟାଇଜର ଏବଂ ସୂଚନାମୂଳକ ଲିଫଲେଟ୍ ରହିଥିଲା ।

ଏହି କାର୍ଯ୍ୟକ୍ରମରେ ୧୦,୧୧୦ ଜଣ ସାମିଲ ହୋଇଥିଲା ବେଳେ ତନ୍ମଧ୍ୟରେ ଗଞ୍ଜାମରୁ ସର୍ବାଧିକ ୧,୫୩୦ ଜଣ, ମାଲକାନଗିରିରୁ ୧,୪୨୯ ଏବଂ କୋରାପୁଟରୁ ୧,୩୯୮ ଜଣ ମହିଳା ଓ ବାଳିକା ରହିଛନ୍ତି । ସେହିପରି କନ୍ଧମାଳରେ ୧,୨୫୯ ଜଣ, ରାୟଗଡ଼ା ଏବଂ ନବରଙ୍ଗପୁରରେ ଯଥାକ୍ରମେ ୧,୨୨୦ ଏବଂ ୧,୧୯୭ ଏବଂ ବୌଦ୍ଧ ଏବଂ ଗଜପତିରେ ୧,୦୪୯ ଏବଂ ୧,୦୨୮ ଜଣ କମ୍ପାନୀର ଏହି କାର୍ଯ୍ୟକ୍ରମଗୁଡ଼ିକରେ ସାମିଲ ହୋଇଥିଲେ ।

ଟିପିଏସ୍ଓଡିଏଲ୍ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅମିତ କୁମାର ଗର୍ଗ କହିଛନ୍ତି – ମହିଳାଙ୍କ ସ୍ୱାସ୍ଥ୍ୟ, ସମ୍ମାନ ଓ ଆତ୍ମବିଶ୍ୱାସ ସୁନିଶ୍ଚିତ କରିବା ନିମନ୍ତେ ଋତୁସ୍ରାବଜନିତ ସ୍ୱାସ୍ଥ୍ୟ ସଚେତନତା ଏକାନ୍ତ ଆବଶ୍ୟକ । ଏଭଳି ପଦକ୍ଷେପ ମାଧ୍ୟମରେ କମ୍ପାନୀ ସଂପ୍ରଦାୟ ମଧ୍ୟରେ ଋତୁସ୍ରାବ ସମ୍ପର୍କିତ ଏକ ସୂଚନାପୂର୍ଣ୍ଣ ଆଲୋଚନାକୁ ପ୍ରୋତ୍ସାହିତ କରିବାରେ ସଫଳ ହେଉଛି । ଦକ୍ଷିଣ ଓଡ଼ିଶାର ଅତି ଦୁର୍ଗମ ତଥା ଜନଜାତିବହୁଳ ଅଞ୍ଚଳରେ ପହଞ୍ଚି ଋତୁସ୍ରାବ ସମ୍ପର୍କିତ ସଚେତନତା ସୃଷ୍ଟି କରିବା ଦିଗରେ ଆମେ ଦୃଢ଼ ପରିକର ଅଟୁ ।

Leave A Reply

Your email address will not be published.