Latest Odisha News

BREAKING NEWS

ଭରା ନଦୀରେ ଓଲଟି ପଡିଲା ଶ୍ରଦ୍ଧାଳୁଙ୍କୁ ନେଇ ଆସୁଥିବା ଟ୍ରାକ୍ଟର: ୮ ମୃତ, ୧୨ ନିଖୋଜ

ସହାରନପୁର: ଉତ୍ତର ପ୍ରଦେଶ ସହାରନପୁରରେ ବୁଧବାର ବିଳମ୍ବିତ ସନ୍ଧ୍ୟାରେ ଏକ ବଡ ଦୁର୍ଘଟଣା ଘଟି ଯାଇଛି ।  ଏକ ଟ୍ରାକ୍ଟର ଡାଲାରେ ଭକ୍ତମାନେ ଦର୍ଶନ ସାରି ଫେରୁଥିବାବେଳେ ଡାଲାଟି ନଦୀରେ ଓଲଟି ପଡିଛି । ଫଳରେ ୨ ଶିଶୁ ସମେତ ୮ ଜଣଙ୍କର ମୃତ୍ୟୁ ଘଟିଛି । ୧ ୨ରୁ ଅଧିକ ଲୋକ ନିଖୋଜ ଅଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସହାରନାପୁର ଦୁର୍ଘଟଣାରେ ଗଭୀର ଶୋକ ପ୍ରକାଶ କରିବା ସହ  ମୃତକଙ୍କ ପରିଜନଙ୍କୁ ଚାରି ଚାରି ଲକ୍ଷ  ଆର୍ଥିକ ସହାୟତା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ମିଳିଥିବା ସୂଚନା ଅନୁସାରେ, ବୁଧବାର ରାତିରେ ସହାରନପୁର ଅଞ୍ଚଳର ବୋନ୍ଦକୀ ଗ୍ରାମରେ ଏକ ଧାର୍ମିକ କାର୍ଯ୍ୟ ସାରି ୪୫ରୁ ଅଧିକ ଲୋକ ଏକ ଟ୍ରାକ୍ଟର ଡାଲାରେ ବସି ଫେରୁଥିଲେ । ଏହି ସମୟରେ ଡ୍ରାଇଭର ଗାଡି ଉପରୁ ନିୟନ୍ତ୍ରଣ ହରାଇଥିଲେ ଯାହାଫଳରେ  ଟ୍ରାକ୍ଟରର ଟ୍ରଲି ଢେମାଳ ନଦୀରେ ଖସି ପଡିଥିଲା । ନଦୀରେ ଭରପୂର ପାଣି ଥିବାବେଳେ ସ୍ରୋତ ମଧ୍ୟ ପ୍ରଖର ଥିଲା । ତା ସାଙ୍ଗକୁ ଅନ୍ଧାର । ଫଳରେ ବହୁ ଲୋକ ଭାସି ଯାଇଥିଲେ ।

ସ୍ଥାନୀୟ ଲୋକ ପୋଲିସକୁ ଖବର ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ଦୁର୍ଘଟଣାରେ ୨ ମହିଳା, ୨ ଶିଶୁଙ୍କ ସମେତ ୮ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି । ଅନେକ ଶ୍ରଦ୍ଧାଳୁ ନଦୀର ପ୍ରଖର ସ୍ରୋତରେ ଭାସି ଯାଇଥିଲେ । ୧୨ ଜଣଙ୍କର ଏବେ ସୁଦ୍ଧା କୌଣସି ଖୋଜ ଖବର ମିଳି ନାହିଁ । ବିଳମ୍ବିତ ରାତି ଯାଏ ଉଦ୍ଧାର କାର୍ଯ୍ୟ ଚାଲିଥିଲା ।

 

Leave A Reply

Your email address will not be published.