Latest Odisha News

BREAKING NEWS

ଆଧୁନିକତାର ଯୁଗରେ ଆଉ ନାହିଁ ପାରମ୍ପରିକ ବାଦ୍ୟର ଚାହିଦା

ପୂଜା, ବାହାଘର, ବ୍ରତ ସହ ଅନ୍ୟାନ୍ୟ ମାଙ୍ଗଳିକ କାର୍ଯ୍ୟକ୍ରମ ମାନଙ୍କରେ ବାଜା, ତୁରୀ, ମହୁରୀ, ତାସା ଓ ନିଶାନ ବାଜୁନଥିଲେ ଶୁଭ କାର୍ଯ୍ୟ ଆଗେଇ ପାରୁନଥିଲା । ଏସବୁ ବଜାଇବା ପାଇଁ କାହାର ଅନୁମତୀ ନେବାକୁ ପଡ଼ୁନଥିଲା । ଯେତେବେଳେ ଯିଏ ଇଚ୍ଛା କଲା ଏହି ପାରମ୍ପରିକ ବାଦ୍ୟତାଳରେ ନାଚିଉଠୁଥିଲା ।

ହେଲେ ଆଜିର ବିଜ୍ଞାନ,ଆଧୁନିକ ଯୁଗରେ ସମୟର ପରିବର୍ତ୍ତନ ଯୋଗୁଁ ଲୋକଙ୍କ ରୁଚି ଏବଂ ପସନ୍ଦ ଦିନକୁ ଦିନ ବଦଳି ଯାଉଥିବାର ଦେଖିବାକୁ ମିଳୁଛି । ଗ୍ରାମାଞ୍ଚଳର ଲୋକେ ଏବେ ପୂଜା,ବାହାଘର, ପର୍ବପର୍ବାଣୀ, ଯାତ୍ରା ଏବଂ ମାଙ୍ଗଳିକ କାର୍ଯ୍ୟ ମାନଙ୍କରେ ଆଉ ଖୋଜୁନାହାନ୍ତି ବାଜା, ମହୁରୀ, ତୁରୀ, ତାସା ଓ ନିଶାନ ଭଲି ପାରମ୍ପରିକ ବାଦ୍ୟକୁ ।

ଏବେ ମଣିଷ ନିଜକୁ ଉନ୍ନତ ଏବଂ ଉଚ୍ଚ ସଭ୍ୟତାର ପରିଚୟ ଦେଇ ନିଜର ବ୍ୟବହାର୍ଯ୍ୟ କାର୍ଯ୍ୟରେ ଆସୁଥିବା ପୁରୁଣା ଜିନିଷ ସବୁକୁ ଧିରେ ଧିରେ ଛାଡ଼ିବାରେ ଲାଗିଛି ।

ଏବେ ବାହାଘର ବେଳେ ଜୋରରେ ଶବ୍ଦ କରି ବଜାଇ ପାରୁଥିବା ଡିଜେ ସାଉଣ୍ଡ ସିଷ୍ଟମ ଥିବା ମୋବାଇଲ ମେଲୋଡି ପାର୍ଟିଙ୍କୁ ଉଚ୍ଚଦର ଦେଇ ବଜାଇବା ପାଇଁ ଆଣୁଛନ୍ତି । ଏହି ସାଉଣ୍ଡ ସିଷ୍ଟମର ଶବ୍ଦ ଭୟଙ୍କର ଥିବାବେଳେ, ଏହା ଶବ୍ଦ ପ୍ରଦୂଷଣ ମଧ୍ୟ କରୁଛି ।

ହେଲେ ବାଜା,ତୁରୀ ତଥା ନିଶାନର ଶବ୍ଦରେ ପ୍ରଦୂଷଣ ହେବାର ଭୟନଥିବା ବେଳେ ଅଧିକ ଖର୍ଚ୍ଚ ଚିନ୍ତା ମଧ୍ୟ ନଥାଏ ।

ତଥାପି ଲୋକେ ଉର୍ଚ୍ଚ ଦର ଦେଇ ଶବ୍ଦ ପ୍ରଦୂଷଣ କରୁଥିବା ବାଜାକୁ ଆଦର କରୁଛନ୍ତି । ଏହି ପାରମ୍ପରିକ ବାଦ୍ୟଯନ୍ତ୍ରକୁ କୌଳିକ ବୃତ୍ତିକରି ବଞ୍ଚିରହିଥିବା  ବୃତିଧାରୀ ଆଉ ଆଗଭଳି ଦୁଇ ପଇସା ରୋଜଗାର କରିନପାରିି ବେକାର ହୋଇ ବସି ରହୁଥିବା କହୁଛନ୍ତି ।

ବାଜା, ମହୁରୀ, ତୁରୀ, ତାସା ଓ ନିଶାନ ବଜାଉଥିବା ଲୋକେ, ଏବେ ଏହିସବୁ ବାଜା ବଜାଇଲେ ଆଉ ବିଶେଷ କିଛି ଲାଭ ହେଉନଥିବା ମଧ୍ୟ ପ୍ରକାଶ କରିଛନ୍ତି ।

ଅନ୍ୟପକ୍ଷରେ ମେଲୋଡି ପାର୍ଟିକୁ ଲୋକେ ପସନ୍ଦ କରୁଥିବାରୁ ପାରମ୍ପରିକ ବାଦ୍ୟର ବଜାର ଚାହିଦା ଧିରେ ଧିରେ କମିବାରେ ଲାଗିଛି । ଫଳରେ ଏମାନଙ୍କ ଦର ମଧ୍ୟ କମି କମି ଯାଉଛି ।

ଆଜିବି ଅନେକ ଲୋକ ଏହି ବୃତ୍ତି ଉପରେ ନିର୍ଭରଶୀଳ । ଏହାର ଚାହିଦା କିନ୍ତୁ ଆଗଭଳି ଆଉ ନଥିବାରୁ, ପରିବାର ଚଳାଇବାରେ ଏମାନେ ସକ୍ଷମ ହୋଇପାରୁ ନାହାନ୍ତି ।

ଅତ୍ୟାବଶ୍ୟକ ସାମଗ୍ରୀର ଦର ଦାମ ଦିନକୁ ଦିନ ହୁ ହୁ ଭାବରେ ବୃଦ୍ଧି ପାଉଥିବା ବେଲେ ପାରମ୍ପରିକ ବାଦକ ମାନଙ୍କ ପ୍ରାପ୍ୟ ସେହି କ୍ରମରେ ବୃଦ୍ଧିପାଉ ନାହିଁ । ଆଗଭଳି ଏମାନଙ୍କୁ ଆଉ ଖୋଜା ଯାଉନଥିବାରୁ ଏହାକୁ ଭରସା କରିକରି ବଞ୍ଚିଥିବା ଲୋକଙ୍କ ପାଇଁ ପରିବାର ଚଳାଇବା ଏକପ୍ରକାର କଷ୍ଟକର ହୋଇପଡ଼ିଲାଣି ।

ଆଜିର ହାଇଟେକ୍ ଯୁଗରେ ଗ୍ରାମାଞ୍ଚଳର ବାଜାବାଲା ମାନଙ୍କୁ ଖୋଜା ଯାଉନଥିବା ବେଳେ ମେଲୋଡି ପାର୍ଟି ମାଲିକ ମାନଙ୍କୁ ଉଚ୍ଚ ଦର ଦିଆଯାଇ ପୋଷା ଯାଉଛି କହିଲେ ଭୁଲ ହେବ ନାହିଁ । ଲୋକେ ଏବେ ଠାରୁ ସଚେତନ ନହେଲେ ଆଗାମୀ ଦିନରେ ଏହି ପାରମ୍ପରିକ ବାଦ୍ୟ ଲୋପ ପାଇଯିବ, ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ ।

Leave A Reply

Your email address will not be published.