ବେଙ୍ଗାଲୁର: ବେଙ୍ଗାଲୁରୁରେ ଭୋଟ ଗଣତି ଜାରି ରହିଛି। ପ୍ରାରମ୍ଭିକ ଭୋଟ ଗଣତିରେ ଏକାଧିକ ବୋଥ୍ରେ କଂଗ୍ରେସ ଆଗରେ ରହିଛି। କଂଗ୍ରେସର ବିଜୟ ଆଶା କରି କିଛି ଦଳୀୟ କର୍ମୀ ଉତ୍ସବ ପାଳନ କରିବା ଆରମ୍ଭ କରିଦେଇଛନ୍ତି। ଅନ୍ୟପଟେ ଦଳକୁ ଘୋଡ଼ା ବେପାର ଭୟ ଘାରିଛି। କାଳେ ବିଜେପି ଟଙ୍କା ଦେଇ ବିଧାୟକଙ୍କୁ କିଣିଥିବେ ଏଥିପାଇଁ ଦଳ ସମସ୍ତ ବିଧାୟକଙ୍କୁ ଆସନ୍ତାକାଲି ଦିନ ୧୨ ଟା ବେଳେ ଏକାଠି ହେବାକୁ ନିର୍ଦ୍ଦେଶ ଜାରି କରିଛି।
ଏପଟେ ରାଜନୈତିକ ସ୍ଥିତି ଉଷ୍ମ ଥିବାରୁ ରାଜଧାନୀ ବେଙ୍ଗାଲୁରୁରେ ଟ୍ରାଫିକ୍ ନିୟମ କଡ଼ାକଡ଼ି କରାଯାଇଛି। କିଛି ସ୍ଥାନରେ ୧୪୪ ଧାରା ଲଗାଯିବା ସହ ମଦ ବ୍ୟାନ୍ କରାଯାଇଛି। ବେଙ୍ଗାଲୁରୁର ଏକାଧିକ ସ୍ଥାନରେ ଟ୍ରାଫିକ୍ରେ ପରିବର୍ତ୍ତନ କରାଯାଇଛି। ମେ ୧୦ ତାରିଖରେ ରାଜ୍ୟରେ ଭୋଟ ହୋଇଥିଲା। ଆଜି ସକାଳ ୮ରୁ ଗଣତି ଚାଲିଥିବାରୁ ମାହୋଲ ସରଗରମ ରହିଛି।
ଭୋଟ ଗଣତି କେନ୍ଦ୍ର ପାଖରେ ପାର୍କିଂ ନିଷେଧାଦେଶ ଜାରି କରିଛି ପୁଲିସ। ଭୋଟ ଗଣତି କେନ୍ଦ୍ର ପରିସରରେ କୌଣସି ଗାଡ଼ିକୁ ପାର୍କ କରିବାକୁ ଅନୁମତି ଦିଆଯିବ ନାହିଁ ବୋଲି ଟ୍ୱିଟ୍ କରି କହିଛି ଟ୍ରାଫିକ ପୁଲିସ୍।
ବେଙ୍ଗାଲୁରୁ ପୁଲିସର ସୂଚନା ଅନୁସାରେ, ପୂରା ଜିଲ୍ଲାରେ ଶନିବାର ୧୪୪ ଧାରା ଲାଗୁ କରାଯାଇଛି। ସକାଳ ଶନିବାର ୬ରୁ ରବିବାର ଦିନ ୧୨ ଯାଏ ଧାରା ଲାଗୁ ରହିବ ବୋଲି ପୁଲିସ କହିଛି। ବେଙ୍ଗାଲୁରୁ ପୁଲିସ କମିଶନରେଟ ଅଞ୍ଚଳରେ ମଦ ବିକ୍ରି ବନ୍ଦ କରାଯାଇଛି। ସମ୍ଭାବ୍ୟ ହିଂସାକୁ ଦେଖି ସେନା ଯବାନଙ୍କୁ ସତର୍କ ରଖାଯାଇଛି। ମେ ୧୩ ଠାରୁ ୧୪ ତାରିଖ ଯାଏ ଆଲର୍ଟ ରଖାଯାଇଛି ବୋଲି କହିଛି।
Comments are closed.