Latest Odisha News

BREAKING NEWS

ରୋଗୀଣା ଝିଅକୁ ସାହାଯ୍ୟର ହାତ ବଢ଼ାଇଲେ କିନ୍ନର ସଂଘ

ଅନୁଗୁଳ: ଦୁଃଖିର ଦୁଃଖକୁ କେବଳ ଜଣେ ଦୁଃଖି ମଣିଷ ହିଁ ବୁଝିପାରେ। ଚିରା ଫଟା ପାଲ ତଳେ ତିନି ବର୍ଷ ହେଲାଣି କଟୁଛି ମାଆ ଓ ରୋଗୀଣା ଝିଅର ଜୀବନ। ଏଥିପ୍ରତି କୌଣସି ପ୍ରଶାସନ ବାବୁମାନଙ୍କର ପଡୁନି ଦୃଷ୍ଟି। ଏ ଦୃଶ୍ୟ ଦେଖି ସାହାଯ୍ୟର ହାତ ବଢ଼ାଇଲେ କିନ୍ନର ସଂଘ। ଅନୁଗୁଳ ଜିଲ୍ଲାର ଛେଣ୍ଡିପଦା ଅଞ୍ଚଳରେ ବାସ କରନ୍ତି ବୁଢି ମାଉସୀ ସୁମିତ୍ରା ପୁର୍ତି। ସେ ପ୍ରଥମେ ନାଲକୋ ଅଞ୍ଚଳରେ ସ୍ଵାମୀଙ୍କ ସହ ହସଖୁସିରେ ରହୁଥିଲେ। କୌଣସି କାରଣରୁ ସେଠାରୁ ସ୍ଵାମୀକୁ ଛାଡି ଚାଲିଆସି ଜିନ୍ଦଲ କମ୍ପାନୀରେ କାମ କରି ନିଜର ପେଟ ପୋଷୁଥିଲେ। ସେଠାରେ ତାଙ୍କର ଅନ୍ୟ ଏକ ବ୍ୟକ୍ତିଙ୍କ ସହ ଦେଖା ହୁଏ ଏବଂ ଉଭୟଙ୍କର ବିବାହ ହୁଏ। ଦୁଇଜଣ ମିଳିମିଶି ଜିନ୍ଦଲରେ କାମ କରନ୍ତି।

ସେଠାରେ ତାଙ୍କର ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ଜନ୍ମ ହୋଇଥିଲା। ସବୁ ଠିକ୍ ଠାକ୍ ଚାଲିଥିଲା। ହେଲେ କିଛି ବର୍ଷ ଗଲାପରେ ଏମାନଙ୍କୁ ଛାଡି ସ୍ଵାମୀ କୁଆଡେ ଫେରାର ମାରିଲେ। ସ୍ଵାମୀ ଛାଡି ପଳେଇ ଯିବା ପରେ ଏକା କାମକରି ପୁଅ ଝିଅଙ୍କୁ ପାଳନ୍ତି ସୁମିତ୍ରା। ପୁଅ ବଡ ହେବା ପରେ ସେ ମଧ୍ୟ ମାଆ ଓ ଭଉଣୀଙ୍କୁ ଛାଡି କୁଆଡେ ଚାଲିଗଲା। ଝିଅ ନବମ ଶ୍ରେଣୀରେ ପାଠ ପଢୁଥିଲା ବେଳେ ଏ ଅଜଣା ରୋଗ ଝିଅକୁ ମାଡିବସିଥିଲା। ଏବେ ଝିଅକୁ ୧୭ ବର୍ଷ। ଏହି ରୋଗ କାରଣରୁ ଦୁଇଟି ଗୋଡ ଅଚଳ ଏବଂ ଦୁଇ ଗୋଡରେ ଛିଡା ହେବା ମଧ୍ୟ କଷ୍ଟକର। ପୂର୍ବରୁ ମାଆ ଜିନ୍ଦଲରେ କାମ କରି ପିଲାଙ୍କ ଖାଇବା କଥା ବୁଝୁଥିଲେ କିନ୍ତୁ ଏବେ ଏ ରୋଗୀଣା ଝିଅକୁ ଛାଡି କୁଆଡେ କାମ କରି ଯାଇପାରୁନଥିବା ବେଳେ, ଏବେ କୁଆଡେ ଯିବେ ତାଙ୍କୁ କିଏ ସାହାଯ୍ୟ କରିବ ଏବଂ କ’ଣ ଖାଇ ଦୁଇଜଣ ବଞ୍ଚିବେ ସେ ଚିନ୍ତାରେ ସୁମିତ୍ରା।

ପାଖରେ ଅର୍ଥ ନାହିଁ ବୋଲି ମେଡିକାଲ ନେଇ ଝିଅର ଚିକିତ୍ସା ମଧ୍ୟ କରି ପାରୁନାହାନ୍ତି। ଖବର ପାଇ ଅନୁଗୋଳ ଛେଣ୍ଡିପଦା ବ୍ଲକର ଲକ୍ଷ୍ମୀ ନାରାୟଣ କିନ୍ନର ମହାସଂଘର କିଛି ସଦସ୍ୟ ଅନୁ କିନ୍ନରଙ୍କ ନେତୃତ୍ୱରେ, ବିଷ୍ଣୁ ପ୍ରିୟା, ବଡରାନୀ, ସାନରାନୀ, ବିଜୟିନୀ, ଶୀତଲ ଓ ଜୀନା କିନ୍ନର ଏ ଅସହାୟ ରୋଗୀଣା ଝିଅ ମାଆଙ୍କ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ। ଗୋଟେ ପାଲ, କିଛି ଡାଲି ଚାଉଳ ପନିପରିବା ଏବଂ ଝିଅର ଔଷଧ ଖର୍ଚ୍ଚ ପାଇଁ ଅର୍ଥ ସାହାଯ୍ୟ କରିବା ସହ ମେଡିକାଲ ନେଇ ଝିଅର ଚିକିତ୍ସା କରାଇବା ପାଇଁ ପ୍ରତିଶୃତି ଦେଇଛନ୍ତି ।

Comments are closed.