Latest Odisha News

BREAKING NEWS

ବୁଲି ଯାଆନ୍ତୁ ଦେବଗଡ଼ ଜିଲ୍ଲାର କୋରାଡ଼କୋଟ ଜଳପ୍ରପାତ

ଭୁବନେଶ୍ୱର: ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଆମ ରାଜ୍ୟ ଓଡିଶା। ଏହାର ପ୍ରତ୍ୟେକଟି କୋଣ ଅନୁକୋଣରେ ପ୍ରକୃତିରାଣୀ ବିଛେଇ ଦେଇଛି ତା’ର ସୌନ୍ଦର୍ଯ୍ୟର ଫୁଆରା। ଓଡ଼ିଶାର ଅନେକ ସ୍ଥାନ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇଥିବା ବେଳେ ଆଉ କିଛି ଏବେବି ଦୃଷ୍ଟି ଆଢୁଆଳରେ ରହି ଯାଇଛି।

ତେବେ ଆଜି ଆମେ ଆପଣଙ୍କୁ ବୁଲେଇ ନେବୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇଥିବା ଦେବଗଡ଼ ଜିଲାର ‘କୋରଡ଼କୋଟ’ ଜଳପ୍ରପାତ। ଏହା ପର୍ଯ୍ୟଟକମାନଙ୍କ ପାଇଁ ଏକ ଦର୍ଶନୀୟ ସ୍ଥାନ ହୋଇପାରିଛି। ଏହାର ପ୍ରାକୃତିକ ମନୋରମ ସୌନ୍ଦର୍ଯ୍ୟକୁ ଉପଭୋଗ କରିବାକୁ ବର୍ଷଯାକ ଏଠାକୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି।

ତେବେ ଦୀପ ତଳ ଅନ୍ଧାରରେ ରହିଥିବା ଏସିଆ ମହାଦେଶର ଦ୍ଵିତୀୟ ତଥା ଓଡିଶାର ପ୍ରଥମ ଜଳବିଦ୍ୟୁତ ପ୍ରକଳ୍ପର ମାନ୍ୟତା ପାଇଥିବା ‘କୋରଡ଼କୋଟ ଜଳପ୍ରପାତର ପ୍ରାକୃତିକ ଶୋଭାରାଜି ମଧ୍ୟ ବେଶ୍ ଉପଭୋଗ୍ୟ ଓ ମନୋମୁଗ୍ଧକର । ବାମଣ୍ଡା ରାଜ ସଚ୍ଚିଦାନନ୍ଦ ତ୍ରିଭୁବନ ଦେବଙ୍କ ଶାସନକାଳ ସମୟରେ ୧୯୦୫ ମସିହାରେ ଏହି କୋରଡ଼କୋଟ  ଜଳପ୍ରପାତରୁ (ହାଇଡ୍ରୋ ଇଲେକ୍ଟ୍ରିସିଟି) ମାଧ୍ୟମରେ ବିଦ୍ୟୁତ ଆହରଣ କରାଯାଇ ସମଗ୍ର ଦେବଗଡ ସହରକୁ ଆଲୋକିତ କରାଯାଉଥିଲା । ପ୍ରକୃତିର ଶୋଭା ବିମଣ୍ଡିତ ଘଞ୍ଚଜଙ୍ଗଲ ପରିବେଷ୍ଠିତ କୋରଡ଼କୋଟର ପାଦଦେଶକୁ ପର୍ଯ୍ୟଟକମାନଙ୍କ ନିୟମିତ ଯିବାଆସିବା ଲାଗି ରାଜା ଦେବଗଡରୁ ଜଳପ୍ରପାତର ନିମ୍ନଭାଗ ପର୍ଯ୍ୟନ୍ତ ବଣବୁଦା କାଟି ଏକ ପାଦଚଲା ରାସ୍ତା ନିର୍ମାଣ କରାଇଥିଲେ ।

ଜଙ୍ଗଲୀ ଫୁଲ, ଫଳ ଭରା ସବୁଜିମାର ଚିତ୍ରପଟ, ପାହାଡ ଘେରା ମଧ୍ୟରେ କୋରଡ (ଗୁମ୍ଫା) ସମେତ ବିଭିନ୍ନ ଜାତିର ପଶୁପକ୍ଷୀଙ୍କ କାକଳୀ ଏବେ ବି ମନରେ ଉନ୍ମାଦନା ଭରିଦିଏ ।

କେମିତି ଯିବେ:

ଭୁବନେଶ୍ଵରରୁ ବସ୍ ବା କାର ଯୋଗେ ଦେବଗଡ ସହରକୁ ଯିବା ସୁବିଧା ରହିଛି। ସେଠାରୁ ଅନତି ଦୂରରେ ଥିବା ହାତୀଶାଳ ଛକ ଦେଇ ୪ କିମି ଗଲା ପରେ କୋରଡକୋଟ ଜଳପ୍ରପାତ ନିକଟରେ ପହଞ୍ଚି ହେବ ।

Leave A Reply

Your email address will not be published.