Latest Odisha News

BREAKING NEWS

୧୦ ଜିଲ୍ଲାରେ ନିର୍ମାଣ ହେବ ଟ୍ରକ୍ ଟର୍ମିନାଲ

ଭୁବନେଶ୍ୱର : ଜାତୀୟ ରାଜପଥରେ ସୁରକ୍ଷିତ ଗାଡ଼ି ଚଳାଚଳ ସହ ଟ୍ରକ୍ ଚାଳକଙ୍କ ସୁବିଧା ପାଇଁ ୧୦ ଜିଲାରେ ନିର୍ମାଣ ହେବ ଟ୍ରକ ଟର୍ମିନାଲ । ଏଥିପାଇଁ ଡିପିଆର ପ୍ରସ୍ତୁତ ହୋଇଛି । ଏଥିଲାଗି ୩୦୦ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି । ଜମି ଚିହ୍ନଟ ହୋଇସାରିଥିବାରୁ ଡିପିଆର ପ୍ରସ୍ତୁତି ପାଇଁ କିଛି ମାସ ତଳେ ପରିବହନ ବିଭାଗ ପକ୍ଷରୁ ପୂର୍ତ୍ତ ବିଭାଗକୁ ଅନୁରୋଧ କରାଯାଇଥିଲା ।

ପ୍ରଥମ ପର୍ଯ୍ୟାୟରେ ସୁନ୍ଦରଗଡ଼, କେନ୍ଦ୍ରାପଡ଼ା, ଅନୁଗୁଳ, ବାଲେଶ୍ୱର, ଭଦ୍ରକ, ନବରଙ୍ଗପୁର, ଯାଜପୁର, ବ୍ରହ୍ମପୁର, କେନ୍ଦୁଝର ଏବଂ ଜଗତସିଂହପୁରରେ ଟ୍ରକ୍‌? ଟର୍ମିନାଲ ନିର୍ମାଣ ପାଇଁ ଯୋଜନା ହୋଇଛି । କିଛି ବର୍ଷ ହେଲା, ରାଜ୍ୟର ବିଭିନ୍ନ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଅଯଥାରେ ବହୁ ଧନଜୀବନ ହାନି ହେଉଛି । ଏଥିମଧ୍ୟରୁ ବହୁ ଦୁର୍ଘଟଣା ରାସ୍ତାରେ ବେଆଇନ ଭାବେ ଟ୍ରକ୍ ପାର୍କିଂ ଯୋଗୁଁ ଘଟିଥିବା କୁହାଯାଉଛି । ଏକ ତଥ୍ୟ ଅନୁଯାୟୀ, ବର୍ଷକୁ ହାରାହାରି ୫ ହଜାରରୁ ଅଧିକ ଲୋକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଉଥିବା ବେଳେ ସେଥିରୁ ୨୫% ମୃତ୍ୟୁ କେବଳ ଏହି ବେଆଇନ ପାର୍କିଂ ଯୋଗୁଁ ଘଟୁଛି । ନିକଟରେ ଘଟଗାଁ ନିକଟରେ ଘଟିଥିବା ଛାତିଥରା ଦୁର୍ଘଟଣା ପରେ ରାସ୍ତା ଉପରେ ବେଆଇନ ପାର୍କିଂ ବିରୋଧରେ ଧରପଗଡ଼ ଅଭିଯାନ ଆରମ୍ଭ ହୋଇଛି ।

ସୁପ୍ରିମ୍‌କୋର୍ଟଙ୍କ ସଡ଼କ ସୁରକ୍ଷା କମିଟି ଅନୁସାରେ, ରାସ୍ତାରେ ବେପରୁଆ ଭାବେ ଗାଡ଼ି ରଖିବା ହେତୁ ବହୁ ସଂଖ୍ୟକ ଦୁର୍ଘଟଣା ଘଟୁଛି । ତେଣୁ କମିଟିର ସୁପାରିସ ଅନୁସାରେ ରାଜ୍ୟ ସରକାର ଟ୍ରକ୍ ଟର୍ମିନାଲ ନିର୍ମାଣ କରି ଗାଡ଼ି ଚାଳକ ଓ କର୍ମଚାରୀଙ୍କୁ ମୌଳିକ ସୁବିଧା ସୁଯୋଗ ପ୍ରଦାନ ଉପରେ ଗୁରୁତ୍ୱାରୋପ କରିଛନ୍ତି । ରାଜ୍ୟ ସରକାରଙ୍କ ‘୫-ଟି’ ଉପକ୍ରମ ଅଧୀନରେ ଆବଶ୍ୟକତା ଦୃଷ୍ଟିରୁ ଅଗ୍ରାଧିକାର ଭିତ୍ତିରେ ଟ୍ରକ୍ ଟର୍ମିନାଲ ନିର୍ମାଣ ପାଇଁ ଯୋଜନା ହୋଇଥିଲା ।

ପ୍ରସ୍ତାବିତ ଟ୍ରକ୍ ଟର୍ମିନାଲରେ ପାର୍କିଂ ପାଇଁ ବିସ୍ତୃତ ସ୍ଥାନ ସମେତ ଚାଳକ ଓ କର୍ମଚାରୀଙ୍କ ସୁବିଧା ପାଇଁ ଶୌଚାଳୟ ସୁବିଧା ଥିବା ଡର୍ମିଟୋରୀ, ପାନୀୟ ଜଳ ସୁବିଧା, ଫୁଡ୍ ପ୍ଲାଜା, କ୍ୟାଣ୍ଟିନ୍‌, ଟ୍ରକ୍ ମରାମତି ପାଇଁ ଗ୍ୟାରେଜ, ସୁରକ୍ଷାକର୍ମୀଙ୍କ କୋଠରୀ, କାର୍ଯ୍ୟାଳୟ ଆଦି ନିର୍ମାଣ କରାଯିବ । ଟ୍ରକ୍ ପ୍ରବେଶ ଓ ପ୍ରସ୍ଥାନ ପାଇଁ ଭିନ୍ନ ଦ୍ୱାର ରହିବ । ଆବଶ୍ୟକତାକୁ ଦେଖି ଅନ୍ୟାନ୍ୟ ସୁବିଧା ପାଇଁ ପଦକ୍ଷେପ ନିଆଯିବ ।

Leave A Reply

Your email address will not be published.