ନୂଆଦିଲ୍ଲୀ: ଆମେରିକା ଲସ୍ ଏଞ୍ଜଲିସ ଏବେ ଭୟାବହ ଅଗ୍ନିକାଣ୍ଡର ସାମ୍ନା କରୁଛି । ଜଙ୍ଗଲ ନିଆଁ ଏବେ ଧିରେ ଧିରେ ଜନବସତି ଆଡକୁ ମୁହାଁଇଲାଣି । ଅଗ୍ନିକାଣ୍ଡରେ ବର୍ତ୍ତମାନ ସୁଦ୍ଧା ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଗୁରୁତର ହୋଇଛନ୍ତି । ଜଙ୍ଗଲରେ ଥିବା ହଜାର ହଜାର ଗଛ ପୋଡି ପାଉଁଶ ହୋଇଗଲାଣି । ବହୁ ଆବାସିକସ୍ଥଳ ଓ ଦୋକାନ ବଜାର ନଷ୍ଟ ହୋଇଯାଇଛି । ୧୫ ହଜାରରୁ ଅଧିକ ଘର ଜଳିପୋଡି ପାଉଁଶ ହୋଇଗଲାଣି । ଲୋକେ ଭୟଭୀତ ହୋଇ ଘର ଛାଡିବାକୁ ବାଧ୍ୟ ହେଉଛନ୍ତି । ଫଳରେ ୭୦ ହଜାର ଲୋକଙ୍କୁ ସ୍ଥାନାନ୍ତର କରିବାକୁ ପଡ଼ିଛି । ହଲିଉଡ୍ ହିଲ୍ସରେ ଲାଗିଥିବା ନୂଆ ସନ୍ସେଟ୍ ଫାୟାର ଏବେ ୨୦ ଏକର ପର୍ଯ୍ୟନ୍ତ ଅଞ୍ଚଳକୁ ବ୍ୟାପିଗଲାଣି ।
ସେପଟେ ଧୂଆଁ ଯୋଗୁଁ ଭିଜିବିଲିଟି ମଧ୍ୟ କମ୍ ହୋଇଛି । ନିଆଁକୁ ଆୟତ୍ତ କରିବାକୁ ଆକାଶ ମାର୍ଗରୁ ପାଣି ବର୍ଷା ବି କରାଯାଉଛି । ୱାଇଲ୍ଡ ଫାୟାର ଇମର୍ଜେନ୍ସୀ ଘୋଷଣା କରିଛି କାଲିଫର୍ଣ୍ଣିଆ । ନିଆଁର ମୁକାବିଲା ପାଇଁ ଅବସରପ୍ରାପ୍ତ ଅଗ୍ନିଶମ କର୍ମଚାରୀଙ୍କୁ ମଧ୍ୟ ନିଆଁ ଲିଭା କାମରେ; ନିୟୋଜିତ କରାଯାଇଛି । ହେଲେ ଶାନ୍ତ ହେବାର ନାଁ ନେଉନାହିଁ ଭୟାବହ ନିଆଁ । ମାଡି ଚାଲିଛି । ଯାହାକୁ ନେଇ ଏବେ ଚିନ୍ତା ପ୍ରକଟ କରି ବିଦାୟୀ ରାଷ୍ଟ୍ରପତି ଏବଂ କାଲିଫର୍ଣ୍ଣିଆ ଗଭର୍ଣ୍ଣରଙ୍କ ଉପରେ ଜୋରଦାର ବର୍ଷିଛନ୍ତି ଆମେରିକା ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ ଟ୍ରମ୍ପ ।
ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର କାଲିଫର୍ଣ୍ଣିଆର ରାଜ୍ୟପାଳ ଗାଭିନ ନ୍ୟୁସମ୍ ଏବଂ ବିଦାୟୀ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ସମାଲୋଚନା କରି ଦକ୍ଷିଣ କାଲିଫର୍ଣ୍ଣିଆର କିଛି ଅଂଶରେ ଲାଗି ରହିଥିବା ଜଙ୍ଗଲ ନିଆଁକୁ ଆୟତ୍ତ କରିବାରେ ବିଫଳତା ପାଇଁ ସେମାନଙ୍କୁ ଦାୟୀ କରିଛନ୍ତି। ଏହାକୁ ନେଇ ଟ୍ରମ୍ପ କହିଛନ୍ତି, ଅଗ୍ନି ନିର୍ବାପକ ଯନ୍ତ୍ରରେ ପାଣି ନାହିଁ, ଫେମାରେ ଟଙ୍କା ନାହିଁ । ଆଉ ଏମିତି ଅବସ୍ଥାରେ ମୋତେ ଦେଶ ଭାର ଛାଡୁଛନ୍ତି ଜୋ ବାଇଡେନ । ଜଙ୍ଗଲ ନିଆଁ ସଙ୍କଟର ମୁକାବିଲା କରିବା ପାଇଁ ଆବଶ୍ୟକୀୟ ସମ୍ବଳ ବିନା ଜୋ ବାଇଡେନ ତାଙ୍କୁ ଛାଡି ଦେଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ଟ୍ରମ୍ପ । ଶେଷରେ ଧନ୍ୟବାଦ, ଜୋ! ଲେଖି ବିଦାୟୀ ରାଷ୍ଟ୍ରପତିଙ୍କୁ କଟାକ୍ଷ କରିଛନ୍ତି ଟ୍ରମ୍ପ ।
ଏଥିସହିତ କାଲିଫର୍ଣ୍ଣିଆ ଗଭର୍ଣ୍ଣରଙ୍କ ଉପରେ ମଧ୍ୟ ବର୍ଷିଛନ୍ତି ଟ୍ରମ୍ପ । କହିଛନ୍ତି, ରାଜ୍ୟର ଡେମୋକ୍ରାଟିକ୍ ନେତୃତ୍ୱ ବାସିନ୍ଦାଙ୍କ ସୁରକ୍ଷା ଅପେକ୍ଷା ପରିବେଶଗତ ଚିନ୍ତାକୁ ବେଶୀ ପ୍ରାଥମିକତା ଦେଉଥିବା ଅଭିଯୋଗ କରିଛନ୍ତି । ଗଭର୍ଣ୍ଣର ସ୍ମେଲ୍ଟ ନାମକ ଏକ ମୂଲ୍ୟହୀନ ମାଛକୁ ପାଣି ଦେଇ ସୁରକ୍ଷା ଦେବାକୁ ଚାହୁଁଥିଲେ, ଯାହା କାମ କଲା ନାହିଁ, କିନ୍ତୁ କାଲିଫର୍ନିଆର ଲୋକଙ୍କ ବିଷୟରେ ଚିନ୍ତା କରିପାରିଲେ ନାହିଁ ବୋଲି ନିଜ ଏକ୍ସରେ ଲେଖିଛନ୍ତି ଟ୍ରମ୍ପ ।