Latest Odisha News

BREAKING NEWS

ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ଟ୍ରମ୍ପଙ୍କ ସମାଲୋଚନା; କହିଲେ, ସବୁ ଦେଶ ଉପରେ ୧୦% ଟାରିଫ୍ ଲାଗୁ କରିବି

ଓ୍ବାଶିଂଟନ୍: ଆମେରିକାର ସୁପ୍ରିମକୋର୍ଟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଏକ ବଡ଼ ଝଟକା ଦେଇଛନ୍ତି। ଟ୍ରମ୍ପଙ୍କ ଶୁଳ୍କକୁ ବେଆଇନ ଘୋଷଣା କରିଛନ୍ତି। ଆମେରିକାର ସୁପ୍ରିମକୋର୍ଟ ରାୟ ଦେଇଛନ୍ତି ଯେ ଟ୍ରମ୍ପଙ୍କ ଶୁଳ୍କ ଲାଗୁ କରିବାର ପଦ୍ଧତି ଭୁଲ। ଶୁକ୍ରବାର ସୁପ୍ରିମକୋର୍ଟ ଟ୍ରମ୍ପଙ୍କ ବିଶ୍ୱସ୍ତରୀୟ ଶୁଳ୍କକୁ ରଦ୍ଦ କରିଦେଇଛନ୍ତି ।

ତେବେ ଆମେରିକା ସୁପ୍ରିମକୋର୍ଟ ଟାରିଫ ରଦ୍ଦ କରିବାର ମାତ୍ର ୩ ଘଣ୍ଟା ଭିତରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନୂଆ ଟାରିଫ ଘୋଷଣା କରିଛନ୍ତି । ବିଶ୍ୱବ୍ୟାପୀ ଅତିରିକ୍ତ ୧୦ ପ୍ରତିଶତ ଟାରିଫ ଲାଗୁ କରିବାକୁ ସେ ଧମକ ଦେଇଛନ୍ତି । ଧାରା ୧୨୨ର ଉଦାହରଣ ଦେଇ ଟ୍ରମ୍ପ ଏହି ଟାରିଫ ଲାଗୁ କରିବେ ବୋଲି କହିଛନ୍ତି ।

ଗଣମାଧ୍ୟମକୁ ସୂଚନା ଦେଇ ଟ୍ରମ୍ପ କହିଛନ୍ତି ସୁପ୍ରିମକୋର୍ଟଙ୍କ ଟାରିଫ ରାୟ ଅତ୍ୟନ୍ତ ନିରାଶାଜନକ । କିଛି ବିଚାରପତିଙ୍କ ଯୋଗୁ ତାଙ୍କୁ ଲଜ୍ଜିତ ହେବାକୁ ପଡିଛି । ବିଦେଶୀ ରାଷ୍ଟ୍ରର ସ୍ୱାର୍ଥ ଲାଗି ସେମାନେ କାମ କରିଛନ୍ତି । ଏଭଳି ବିଚାରପତିମାନେ ଦେଶ ପାଇଁ କଳଙ୍କ । ତାଙ୍କ ପାଇଁ ଆହୁରି ଶକ୍ତିଶାଳୀ ବିକଳ୍ପ ବ୍ୟବସ୍ଥା ରହିଛି । ରାୟ ତାଙ୍କ ବିପକ୍ଷରେ ଯାଇଥିଲେ ମଧ୍ୟ ସେ ଅତିରିକ୍ତ ଟାରିଫ ଲାଗୁ କରିବେ ।

ବର୍ତ୍ତମାନ ଯେଉଁ ଦେଶ ଉପରେ ଯେତିକି ଟାରିଫ ଲାଗୁ ହେଉଛି ତାହା ଉପରେ ଅତିରିକ୍ତ ଭାବେ ଏହି ୧୦ ପ୍ରତିଶତ ଟାରିଫ ଲାଗୁ କରାଯିବ । ଅବୈଧ ଭାବେ ଚାଲିଥିବା ବାଣିଜ୍ୟ କାରବାରରୁ ଦେଶକୁ ସୁରକ୍ଷିତ ରଖିବାକୁ ସମସ୍ତ ପଦକ୍ଷେପ ସେ ଗ୍ରହଣ କରିବେ । ସେ ଯାହା ଚାହିଁବେ କରିପାରିବେ ବୋଲି କହିଛନ୍ତି । ଟ୍ରମ୍ପ ଆହୁରି ମଧ୍ୟ କହିଛନ୍ତି ଯେ ଭାରତ ସହ ହୋଇଥିବା ବାଣିଜ୍ୟ ବୁଝାମଣା ବଳବତ୍ତର ରହିବ । ଏଥିରେ କୌଣସି ପରିବର୍ତ୍ତନ ହେବ ନାହିଁ ।

Leave A Reply

Your email address will not be published.