ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ନେଇ ବଡ ବୟାନ ଦେଇଛନ୍ତି। ଇରାନକୁ ଏକପ୍ରକାର ସ୍ପଷ୍ଟ ଧମକ ଦେଇଛନ୍ତି ଟ୍ରମ୍ପ । ନ୍ୟୁକ୍ଲିୟର ବୁଝାମଣାରେ ସହମତି ନଦେଲେ ଇରାନ ଉପରେ ବୋମାମାଡ ହେବ ବୋଲି କହିଛନ୍ତି। ଏହା ସହିତ ଦେଶକୁ ବଡ ଆର୍ଥିକ ସଙ୍କଟର ସାମନା କରିବାକୁ ପଡିବ ବୋଲି ମଧ୍ୟ କହିଛନ୍ତି।
ରିପୋର୍ଟ ମୁତାବକ, ଏକ ଜାତୀୟ ଗଣମାଧ୍ୟମରେ ଟେଲିଫୋନିକ ସାକ୍ଷାତକାର ସମୟରେ ଇରାନକୁ ନେଇ ଏଭଳି ମନ୍ତବ୍ୟ ଦେଇଛନ୍ତି ଟ୍ରମ୍ପ। ସେ କହିଛନ୍ତି, ନ୍ୟୁକ୍ଲିୟର ବୁଝାମଣା ପାଇଁ ଆମେରିକା ଓ ଇରାନ ମଧ୍ୟରେ ଆଲୋଚନା ଚାଲିଛି । ଏଥିରେ ଇରାନ ସହମତ ନହେଲେ ବୋମାମାଡ ସହିତ ସେକେଣ୍ଡାରୀ ଟାରିଫ ଲାଗୁ ହେବ ।
ସୂଚନା ଅନୁଯାୟୀ, ଟ୍ରମ୍ପ ନିଜର ପ୍ରଥମ କାର୍ଯ୍ୟକାଳ ସମୟରେ ୨୦୧୫ ପରମାଣୁ ବୁଝାମଣାରେ ଇରାନକୁ ଅଲଗା କରିଥିଲେ। ଏହାପରେ ଟ୍ରମ୍ପ ଇରାନ ଉପରେ କଠିନ କାର୍ଯ୍ୟାନୁଷ୍ଠାନ ନେଇଥିଲେ। ଯାହା ଦ୍ବାରା ଇରାନର ଆର୍ଥିକ ସଙ୍କଟ ମଧ୍ୟ ବୃଦ୍ଧି ପାଇଥିଲ।
ଅନ୍ୟପଟେ ଟ୍ରମ୍ପଙ୍କ ଏହି ଧମକକୁ ବେଖାତିର କରିଛି ଇରାନ। ଇରାନ ବୈଦେଶିକ ମନ୍ତ୍ରୀ ଅବବାସ୍ ଅରାକଚି କହିଛନ୍ତି, ଇରାନ ଟ୍ରମ୍ପଙ୍କ ଚିଠିର ଜବାବ ଓମାନ ମାଧ୍ୟମରେ ଦେଇସାରିଛି। ଏହି ଚିଠିରେ ଟ୍ରମ୍ପ ଇରାନ ସହିତ ନୂଆ ପରମାଣୁ ବୁଝାମଣା ପାଇଁ ଅପିଲ କରିଥିଲେ। ତେବେ ଟ୍ରମ୍ପଙ୍କ ଏହି ଧମକରେ ମିଡିଲ ଇଷ୍ଟରେ ହିଂସା ବଢିପାରେ ।
Comments are closed.