Latest Odisha News

BREAKING NEWS

ମସ୍କଙ୍କୁ ଟ୍ରମ୍ପଙ୍କ ଖୋଲା ଚେତାବନୀ, ‘ପରିଣାମ ଭୋଗିବ’….

ନୂଆଦିଲ୍ଲୀ: ଦିନେ ବନ୍ଧୁ ଥିଲେ ଏବେ କଟ୍ଟର ଶତ୍ରୁ । ଦିନେ ପରସ୍ପରର ପ୍ରଶଂସାରେ ଶତମୁଖ ରହୁଥିଲା ବେଳେ ଏବେ ପରସ୍ପରର ନାଁ ଶୁଣିଲେ ଖାଲି ବିଷ ଓଗାରୁଛନ୍ତି । ଏବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ବିଶ୍ୱର ପ୍ରମୁଖ ବ୍ୟବସାୟୀ ତଥା ଟେସଲା ମାଲିକ ଏଲନ ମସ୍କଙ୍କ ମଧ୍ୟରେ ମତଭେଦ ଦିନକୁ ଦିନ ବଢିବାରେ ଲାଗିଛି । ମସ୍କ ଆମେରିକାରେ ନୂଆ ପାର୍ଟି ନେଇ ସଙ୍କେତ ଦେଇଥିବା ବେଳେ ଏବେ ମସ୍କଙ୍କୁ ଖୋଲା ଚେତାବନୀ ଦେଇଛନ୍ତି ରାଷ୍ଟ୍ରପତି ଟ୍ରମ୍ପ । ଏକ ସାକ୍ଷାତକାରରେ, ଟ୍ରମ୍ପ ଖୋଲାଖୋଲି ଭାବରେ ମସ୍କଙ୍କୁ ଚେତାବନୀ ଦେଇ କହିଛନ୍ତି ଯେ ଯଦି ମସ୍କ ଡେମୋକ୍ରାଟମାନଙ୍କୁ ପାଣ୍ଠି ଯୋଗାଇ ଦିଅନ୍ତି, ତେବେ ତାଙ୍କୁ ଗମ୍ଭୀର ପରିଣାମ ଭୋଗିବାକୁ ପଡିବ ।

କ’ଣ କହିଲେ ଟ୍ରମ୍ପ?

ରାଷ୍ଟ୍ରପତି ଟ୍ରମ୍ପ ଏନବିସି ନ୍ୟୁଜ୍ ର କ୍ରିଷ୍ଟିନ୍ ୱେଲକରଙ୍କ ସହ ଏକ ସାକ୍ଷାତକାର କରିଥିବା ବେଳେ ଏହି ଚେତାବନୀ ଦେଇଛନ୍ତି । ଟ୍ରମ୍ପ କହିଛନ୍ତି, ମସ୍କ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପ୍ରତି ଅସମ୍ମାନ କରିଛନ୍ତି । ତାଙ୍କ ସାଙ୍ଗରେ ଆଉ କିଛି ସଂପର୍କ ନାହିଁ । କଂଗ୍ରେସରେ ରିପବ୍ଲିକାନ ଖର୍ଚ୍ଚ ବିଲ୍ ଉପରେ ସାଧାରଣ ମତଭେଦ ପରେ ଯଦି ତାଙ୍କର ଏଲୋନ ମସ୍କ ବିରୋଧୀ ଦଳ ତଥା ଡେମୋକ୍ରାଟିକ୍ ପ୍ରାର୍ଥୀମାନଙ୍କୁ ପାଣ୍ଠି ଯୋଗାଇବା ଆରମ୍ଭ କରନ୍ତି, ତେବେ ତାଙ୍କୁ ବହୁତ ଗମ୍ଭୀର ପରିଣାମ ଭୋଗିବାକୁ ପଡିବ ବୋଲି ଚେତାବନୀ ଦେଇଛନ୍ତି । ଏମିତିକି ମସ୍କଙ୍କ କମ୍ପାନୀ ସହ ସରକାରୀ ଚୁକ୍ତିନାମା ଏବଂ ସବସିଡି ବନ୍ଦ କରିବାକୁ ଧମକ ଦେଇଛନ୍ତି ଟ୍ରମ୍ପ ।  ଏଥିସହିତ ଯେଉଁ ବିଲ୍ ପାଇ ଆଜି ମସ୍କ ଏବଂ ଟ୍ରମ୍ପଙ୍କ ରାସ୍ତା ଅଲଗା ହୋଇଛି, ତାକୁ ଏକ ମହାନ କାର୍ଯ୍ୟ ବୋଲି କହିଛନ୍ତି ରାଷ୍ଟ୍ରପତି ଟ୍ରମ୍ପ । କହିଛନ୍ତି, ଆମେ ଏକ ମହାନ କାମ କରୁଛୁ। ବିଲ୍ ବହୁତ ଭଲ। ଆଉ ଆମେ ଏହି ବିଲକୁ ପାସ୍ କରାଇବୁ । ଯାହା ଏବେ ଆମେରିକାର ରାଜନୈତିକ ଉଷ୍ମତାକୁ ଆହୁରି ବୃଦ୍ଧି କରିଛି ।

କାହିଁକି ମସ୍କ ଏବଂ ଟ୍ରମ୍ପଙ୍କ ମଧ୍ୟରେ ବିବାଦ?

ଟେସଲା ସିଇଓ ମସ୍କ ରାଷ୍ଟ୍ରପତି ଟ୍ରମ୍ପଙ୍କ ‘ବିଗ୍ ବିୟୁଟିଫୁଲ୍’ ବିଲ୍ ଉପରେ କହିବା ପରଠାରୁ ଉଭୟଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଛି । ମସ୍କ ଟ୍ରମ୍ପଙ୍କ ଦ୍ୱାରା ସ୍ୱାକ୍ଷରିତ ଏହି ବିଲକୁ ସମାଲୋଚନା କରିଥିଲେ ଏବଂ ଆଶଙ୍କା ପ୍ରକାଶ କରିଥିଲେ ଯେ ଏହା ସଂଘୀୟ ନିଅଣ୍ଟକୁ ବୃଦ୍ଧି କରିବ । ଯାହାକୁ ନେଇ ମସ୍କ ଡିଓଜିଇରୁ ଇସ୍ତଫା ଦେଇଥିଲେ । ଏହାବ୍ୟତୀତ, ମସ୍କ ଟ୍ରମ୍ପ ପ୍ରଶାସନରେ ପରାମର୍ଶଦାତା ପଦବୀ ମଧ୍ୟ ଛାଡି ଦେଇଥିଲେ । ଏହା ପରେ ଟ୍ରମ୍ପ ମସ୍କଙ୍କୁ ସମାଲୋଚନା କରି କହିଥିଲେ ଯେ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ମସ୍କ ଏବେ ବି ହ୍ୱାଇଟ୍ ହାଉସକୁ ମିସ୍ କରନ୍ତି। ସେ ଏହା ମଧ୍ୟ ଉଲ୍ଲେଖ କରିଥିଲେ ଯେ ମସ୍କଙ୍କ ପାଖରେ ଟ୍ରମ୍ପ ଡିରେଞ୍ଜମେଣ୍ଟ ସିଣ୍ଡ୍ରୋମ୍ ଅଛି। ମସ୍କ ମଧ୍ୟ ଏହାର କଡା ଜବାବ ଦେଇ କହିଥିଲେ ଯେ ଯଦି ସେ ଟ୍ରମ୍ପଙ୍କୁ ସମର୍ଥନ କରିନଥାନ୍ତେ, ତେବେ ସେ ନିର୍ବାଚନ ଜିତି ନଥାନ୍ତେ । ଏଥିସହିତ ସୋସିଆଲ ମିଡିଆରେ ଆମେରିକାରେ ଏକ ନୂଆ ରାଜନୈତିକ ଦଳ ନେଇ ମଧ୍ୟ ସଙ୍କେତ ଦେଇଥିଲେ । ଆଉ ଏହାପରେ ଏବେ ଟ୍ରମ୍ପଙ୍କ ଚେତାବନୀ । ଯାହା ଦିନକୁ ଦିନ ଟ୍ରମ୍ପ ମସ୍କଙ୍କ କଳିକୁ ଆହୁରି ତେଜିଛି । କେବଳ ଆମେରିକା ନୁହେଁ ପୂରା ବିଶ୍ବର ଏବେ ଦୃଷ୍ଟି ଆକର୍ଷଣ କରିଛି ।

Comments are closed.