ନୂଆଦିଲ୍ଲୀ: ଇରାନ-ଇସ୍ରାଏଲ ଯୁଦ୍ଧରେ ଏବେ ଏଣ୍ଟ୍ରି ମାରିବାକୁ ଯାଉଛି ଆମେରିକା । ଯାହାକୁ ନେଇ ଇରାନ ଏବଂ ଇସ୍ରାଏଲ ଯୁଦ୍ଧ ମଧ୍ୟରେ, ସମସ୍ତଙ୍କ ନଜର ଏବେ ଆମେରିକା ଆଡ଼କୁ ମୁହାଁଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ସେ ସିଧାସଳଖ ଯୁଦ୍ଧରେ ଯୋଗଦେବେ କି ନାହିଁ ସେ ବିଷୟରେ ୨ ସପ୍ତାହ ମଧ୍ୟରେ ନିଷ୍ପତ୍ତି ନେବେ। ହ୍ୱାଇଟ୍ ହାଉସ୍ ମୁଖପାତ୍ର ଟ୍ରମ୍ପଙ୍କୁ ଉଦ୍ଧୃତ କରି କହିଛନ୍ତି ଯେ ଏହି ନିଷ୍ପତ୍ତି ଦୁଇ ସପ୍ତାହ ମଧ୍ୟରେ ନିଆଯିବ। ଟ୍ରମ୍ପ ଏବେ ବି ପର୍ଯ୍ୟାପ୍ତ ସମ୍ଭାବନା ଦେଖୁଛନ୍ତି ଯେ ଇରାନର ପରମାଣୁ କାର୍ଯ୍ୟକ୍ରମ ଉପରେ ଆମେରିକା ଏବଂ ଇସ୍ରାଏଲର ଦାବି ଆଲୋଚନା ମାଧ୍ୟମରେ ପୂରଣ କରାଯାଇପାରିବ ।
ପ୍ରେସ୍ ସଚିବ କାରୋଲିନ୍ ଲେଭିଟଙ୍କ ଦ୍ୱାରା କରାଯାଇଥିବା ଘୋଷଣା ରାଷ୍ଟ୍ରପତିଙ୍କ ଦ୍ୱାରା ଇରାନକୁ ଦିଆଯାଇଥିବା ଚେତାବନୀର ସମୟସୀମା ବୃଦ୍ଧି କରିଛି। ଲେଭିଟ୍ ଟ୍ରମ୍ପଙ୍କୁ ଉଦ୍ଧୃତ କରି କହିଛନ୍ତି ଯେ, ନିକଟ ଭବିଷ୍ୟତରେ ଇରାନ ସହିତ ଆଲୋଚନା ହେବାର ଯଥେଷ୍ଟ ସମ୍ଭାବନା ଅଛି କି ନାହିଁ ଏବଂ ଏହାକୁ ଧ୍ୟାନରେ ରଖି, ମୁଁ ଆକ୍ରମଣ କରିବି କି ନାହିଁ ତାହା ଆଗାମୀ ଦୁଇ ସପ୍ତାହ ମଧ୍ୟରେ ନିଷ୍ପତ୍ତି ନେବି ବୋଲି ଟ୍ରମ୍ପ କହିଚନ୍ତି । ଯାହା ସଂପୂର୍ଣ୍ଣ ଇରାନର ଗତିବିଧି ଉପରେ ନିଷ୍ପତ୍ତି ହେବ ।
ସେପଟେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଏକ ସାକ୍ଷାତକାର ସମୟରେ କହିଛନ୍ତି ଯେ ଇସ୍ରାଏଲକୁ ମିଳୁଥିବା ଯେକୌଣସି ସାହାଯ୍ୟକୁ ସେ ସ୍ୱାଗତ କରନ୍ତି। ନେତାନ୍ୟାହୁ କହିଛନ୍ତି ଯେ ସେ ଏହି ଯୁଦ୍ଧ ମାଧ୍ୟମରେ ବିଶ୍ୱର ରୂପ ବଦଳାଇ ଦେବେ। ଏହି ସମୟରେ, ଏହି ଯୁଦ୍ଧରେ ଏକ ନୂତନ ମୋଡ଼ ଦେଖାଯାଉଛି। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆମେରିକାକୁ ଏହି ଯୁଦ୍ଧରେ ଯୋଗ ନଦେବାକୁ ଚେତାବନୀ ଦେଇଛନ୍ତି। ଅନ୍ୟପକ୍ଷରେ, ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଇରାନ ଉପରେ ଇସ୍ରାଏଲର ଆକ୍ରମଣକୁ ନିନ୍ଦା କରିଛନ୍ତି ।
ଏହି ସବୁ ଭିତରେ ଏବେ ଇରାନ ଇସ୍ରାଏଲ ଯୁଦ୍ଧ ତାର ଅଷ୍ଟମ ଦିନରେ ପହଞ୍ଚିଛି । ଇସ୍ରାଏଲ ଏବଂ ଇରାନ ପରସ୍ପର ଉପରେ ଆକ୍ରମଣକୁ ତୀବ୍ର କରିଛନ୍ତି। ଇସ୍ରାଏଲ ଇରାନ ଉପରେ ଏକ ବଡ଼ ପ୍ରତିଆକ୍ରମଣ କରିଛି। ଇସ୍ରାଏଲ ବିଳମ୍ବିତ ରାତିରେ ପୁଣି ଇରାନ ସାମରିକ ଘାଟି ଉପରେ ଆକ୍ରମଣ କରିଛି ଯେଉଁଥିରେ ଅନେକ ଇରାନ ସୈନିକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଇରାନ ଯେଉଁ ଘାଟିଗୁଡ଼ିକୁ ମରାମତି କରିବା ପରେ ପୁଣି ଆକ୍ରମଣ କରିବାକୁ ପ୍ରସ୍ତୁତ ହେଉଥିଲା। ଇସ୍ରାଏଲୀ ସେନା ସେଗୁଡ଼ିକୁ ଟାର୍ଗେଟ କରି ଧ୍ୱଂସ କରିଛି। ଇସ୍ରାଏଲ ଇରାନର ଇଞ୍ଜିନିୟରିଂ ସ୍ଥଳ ଉପରେ ଆକ୍ରମଣ କରିଛି ଯେଉଁଥିରେ ସେଠାରେ ଉପସ୍ଥିତ ଡଜନ ଡଜନ ଇରାନ ସୈନିକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।
ଗୁରୁବାର ରାତିରେ ଇସ୍ରାଏଲ ଇରାନର ହୃଦୟ ଅର୍ଥାତ୍ ଏହାର ରାଜଧାନୀ ତେହେରାନ ଉପରେ ଏକ ବଡ଼ ଆକ୍ରମଣ କରିଛି। ଇସ୍ରାଏଲୀ ସେନା ଏହି ଆକ୍ରମଣରେ ୬୦ଟି ଲଢ଼ୁଆ ବିମାନ ବ୍ୟବହାର କରିଛି। ଯେଉଁଥିରେ ଇରାନର ପରମାଣୁ ଘାଟି, ପ୍ରତିରକ୍ଷା ମନ୍ତ୍ରଣାଳୟ ଏବଂ ଅନ୍ୟାନ୍ୟ ଅନେକ ଗୁରୁତ୍ୱପୂର୍ଣ୍ଣ ଘାଟିକୁ ଧ୍ୱଂସ କରିଛି। ଇସ୍ରାଏଲୀ ବାୟୁସେନା ଅନୁଯାୟୀ, ଏହା ଗତକାଲି (ଗୁରୁବାର) ୬୦ ରୁ ଅଧିକ ବାୟୁସେନା ଯୁଦ୍ଧ ବିମାନ ସହିତ ତେହେରାନର ଡଜନ ଡଜନ ସାମରିକ ଘାଟି ଉପରେ ଆକ୍ରମଣ କରିଥିଲା, ଯେଉଁଥିରେ ପ୍ରାୟ ୧୨୦ ଟି ଅତ୍ୟନ୍ତ ବିନାଶକାରୀ ବୋମା ପକାଇ ଦିଆଯାଇଥିଲା। ଏହି ସମୟରେ, ଇସ୍ରାଏଲୀ ସେନା ଇରାନର କ୍ଷେପଣାସ୍ତ୍ର, କଞ୍ଚାମାଲ ତିଆରିରେ ବ୍ୟବହୃତ ଉପାଦାନ, ଇଞ୍ଜିନ, କାରଖାନା ଏବଂ ଉତ୍ପାଦନ ସ୍ଥାନଗୁଡ଼ିକୁ ନଷ୍ଟ କରିଦେଇଥିଲା। ଆଇଏଏଫ କହିଛି ଯେ ସେନା ଇରାନ ପ୍ରତିରକ୍ଷା ମନ୍ତ୍ରଣାଳୟ ଏବଂ ପରମାଣୁ ବ୍ୟାପାରର ଶିଳ୍ପ ଶକ୍ତି କେନ୍ଦ୍ରର ଏକ ଅଂଶକୁ ଟାର୍ଗେଟ କରିଥିଲା। ଏହା ସହିତ, ତେହେରାନର ସ୍ପାଣ୍ଡ ମୁଖ୍ୟାଳୟ କୋଠା ଉପରେ ମଧ୍ୟ ଆକ୍ରମଣ କରାଯାଇଥିଲା, ଯାହା ଇରାନ ଶାସନର ସାମରିକ କ୍ଷମତା ପାଇଁ ଉନ୍ନତ ପ୍ରଯୁକ୍ତିବିଦ୍ୟା ଏବଂ ଅସ୍ତ୍ରଶସ୍ତ୍ରର ଗବେଷଣା ଏବଂ ବିକାଶ ପାଇଁ ବ୍ୟବହୃତ ହେଉଥିଲା। ଏହା ସହିତ, ରାତିରେ ବାୟୁସେନା ଇରାନରୁ ଉଡ଼ାଣ କରାଯାଇଥିବା ଚାରୋଟି ମାନବହୀନ ବିମାନ (ଡ୍ରୋନ)କୁ ଖସାଇ ଦେଇଥିଲା । ଇସ୍ରାଏଲର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ସକ୍ରିୟ। ସୂଚନା ଅନୁଯାୟୀ, ଇରାନ ଏପର୍ଯ୍ୟନ୍ତ ଇସ୍ରାଏଲ ଉପରେ ଶହ ଶହ ଡ୍ରୋନ ଆକ୍ରମଣ କରିଛି କିନ୍ତୁ ଇସ୍ରାଏଲୀ ସେନା ସେଗୁଡ଼ିକୁ ଆକାଶରେ ହିଁ ନଷ୍ଟ କରିଦେଇଛି। ଇସ୍ରାଏଲର ବାୟୁସେନା ଏବଂ ନୌସେନା ମିଳିତ ଭାବରେ ୯୫ ପ୍ରତିଶତରୁ ଅଧିକ ବିମାନ ଆକ୍ରମଣକୁ ସଫଳତାର ସହ ଖସାଇ ଦେଇଛନ୍ତି।
ଅନ୍ରପକ୍ଷରେ, ଏହି ସମୟରେ ଇରାନର ବୈଦେଶିକ ମନ୍ତ୍ରୀ ୟୁରୋପ ଗସ୍ତରେ ଯାଉଛନ୍ତି। ବୈଦେଶିକ ମନ୍ତ୍ରୀ ଆବାସ ଆରାଘଚି ଜେନେଭାରେ ଫ୍ରାନ୍ସ, ବ୍ରିଟେନ ଏବଂ ଜର୍ମାନୀର ଅଧିକାରୀଙ୍କ ସହ କଥାବାର୍ତ୍ତା କରିବେ। ସେହି ସମୟରେ, ଆଗ୍ରାଚିଙ୍କ ଗସ୍ତ ପୂର୍ବରୁ, ଫ୍ରାନ୍ସର ବୈଦେଶିକ ମନ୍ତ୍ରୀ ଏକ ବଡ଼ ଦାବି କରିଛନ୍ତି। ଫ୍ରାନ୍ସ ଦାବି କରିଛି ଯେ ଇରାନୀ ଅଧିକାରୀମାନେ ଆମେରିକା ସହ କଥାବାର୍ତ୍ତା କରିବାକୁ ପ୍ରସ୍ତୁତ କିନ୍ତୁ ପ୍ରଥମ ସର୍ତ୍ତ ହେବ ଯୁଦ୍ଧବିରତି।
Comments are closed.