ନୂଆଦିଲ୍ଲୀ: କାମ୍ବୋଡିଆ ଏବଂ ଥାଇଲାଣ୍ଡର ବିବାଦୀୟ ସୀମାନ୍ତ ଅଞ୍ଚଳରେ ପରସ୍ପର ଉପରେ ତୋପ ଆକ୍ରମଣ ଆରମ୍ଭ ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଦୁଇ ଦେଶର ନେତା ଯୁଦ୍ଧବିରତି ପାଇଁ ସହମତ ହୋଇଥିବା କହିବାର କିଛି ଘଣ୍ଟା ପରେ ଏହି ଆକ୍ରମଣ ହୋଇଥିଲା। ତେବେ ଉଭୟ ପକ୍ଷ ପରସ୍ପର ଉପରକୁ ମେସିନ୍ ଗନ୍, ମୋର୍ଟାର ଏବଂ ତୋପ ମାଡ଼ କରିଛନ୍ତି।
ଏପଟେ କାମ୍ବୋଡିଆ କହିଛି ଯେ ସେ ଟ୍ରମ୍ପଙ୍କ ତୁରନ୍ତ ଯୁଦ୍ଧବିରତି ଆହ୍ୱାନକୁ ପୂର୍ଣ୍ଣ ସମର୍ଥନ କରୁଛି। ସେହିପରି ଥାଇଲାଣ୍ଡ କହିଛି ଯେ ଆମେରିକା ରାଷ୍ଟ୍ରପତିଙ୍କ ପ୍ରତି କୃତଜ୍ଞ କିନ୍ତୁ କାମ୍ବୋଡିଆ ଆମ ନାଗରିକମାନଙ୍କୁ ଟାର୍ଗେଟ କରୁଥିବା ସମୟରେ ଆଲୋଚନା କରିହେବ ନାହିଁ। ଯଦିଓ କାମ୍ବୋଡିଆ ପକ୍ଷରୁ ଏହି ଦାବିକୁ ପ୍ରତ୍ୟାଖ୍ୟାନ କରାଯାଇଛି।
ଥାଇଲାଣ୍ଡର କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ ଫୁମଥାମ୍ ଭେଚାୟାଚାଇ ସୀମାନ୍ତ ଅଞ୍ଚଳ ପରିଦର୍ଶନ କରିବା ପୂର୍ବରୁ ସାମ୍ବାଦିକମାନଙ୍କୁ କହିଥିଲେ, “ଆମର ସର୍ତ୍ତ ହେଉଛି ଯେ ଆମେ କୌଣସି ତୃତୀୟ ଦେଶର ହସ୍ତକ୍ଷେପ ଚାହୁଁନାହୁଁ, କିନ୍ତୁ ଆମେ ତାଙ୍କ (ଟ୍ରମ୍ପ୍) ଚିନ୍ତା ପାଇଁ କୃତଜ୍ଞ।” ସେ ଆହୁରି କହିଛନ୍ତି, “ଆମେ ଆମର ବୈଦେଶିକ ମନ୍ତ୍ରୀମାନଙ୍କ ମଧ୍ୟରେ ଏକ ଦ୍ୱିପାକ୍ଷିକ ଚୁକ୍ତି ପ୍ରସ୍ତାବ ଦେଇଛୁ ଯାହା ଦ୍ୱାରା ଯୁଦ୍ଧବିରତି ଏବଂ ସୈନ୍ୟ ଏବଂ ଦୂରଗାମୀ ଅସ୍ତ୍ରଶସ୍ତ୍ର ପ୍ରତ୍ୟାହାରର ସର୍ତ୍ତାବଳୀ ଉପରେ ସହମତ ପ୍ରକାଶ ହୋଇପାରେ।”
ଉଲ୍ଲେଖଯୋଗ୍ୟ, ଥାଇଲାଣ୍ଡ ଏବଂ କାମ୍ବୋଡିଆ ମଧ୍ୟରେ ସୀମା ବିବାଦ ବର୍ଷ ବର୍ଷ ଧରି ଚାଲିଆସୁଛି। ଏହି ବିବାଦର ମୁଖ୍ୟ କାରଣ ହେଉଛି ସୀମାବର୍ତ୍ତୀ ଅଞ୍ଚଳରେ ଥିବା କିଛି ଐତିହାସିକ ମନ୍ଦିରର ମାଲିକାନା। ଅପରପକ୍ଷରେ ସୀମାରେ ସମ୍ପ୍ରତି ସଂଘର୍ଷ ଆରମ୍ଭ କରିବା ପାଇଁ ଉଭୟ ଦେଶ ପରସ୍ପରକୁ ଦୋଷ ଦେଇଛନ୍ତି। ଏପରିକି ଉଭୟ ଯୁଦ୍ଧ ପାଇଁ ପରସ୍ପରକୁ ଦାୟୀ ମଧ୍ୟ କରୁଛନ୍ତି।
Comments are closed.