Latest Odisha News

BREAKING NEWS

ବର୍ଷା ସିଂ ବରିହାଙ୍କ ପାଇଁ ବଡ଼ ଅଡ଼ୁଆ କଲା ଟିଟିଲାଗଡରେ ଟୁକୁନିଙ୍କ ବୟାନ!

ଭୁବନେଶ୍ୱର: ବରଗଡ ଜିଲ୍ଲାର ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦାବି ଗୋଟିଏ ବଡ଼ ପ୍ରସଙ୍ଗ ହୋଇ ଏଯାବତ ରହିଛି। ପଦ୍ମପୁରବାସୀଙ୍କ ପାଇଁ ଏହା ଏକ ଦୀର୍ଘଦିନର ମୁଦ୍ଦା ହୋଇଥିବା ବେଳେ ରାଜ୍ୟ ସରକାର ତଥା ଶାସକ ଦଳ ଦାବି ପୂରଣ କରିବ ବୋଲି ବିଭିନ୍ନ ମଂଚରେ କହିଛି। କିନ୍ତୁ କାର୍ଯ୍ୟଧାରାରେ ତ୍ରୁଟି ଥିବା ଦର୍ଶାଇ ଯଦିଓ ହାଇକୋର୍ଟ ଜିଲ୍ଲାମାନ୍ୟତା ଉପରେ ରୋକ୍ ଲଗାଇଛନ୍ତି କିନ୍ତୁ ଏବେର ନିର୍ବାଚନ ପ୍ରଚାର ବେଳେ ଶାସକ ଦଳର ଆଗଧାଡିର ନେତ୍ରୀ ତଥା ମନ୍ତ୍ରୀ ଟୁକୁନି ସାହୁଙ୍କ ବୟାନ ଏବେ ଚର୍ଚ୍ଚା ସୃଷ୍ଟି କରିଛି।

ଟିଟିଲାଗଡ଼ରେ ବରିଷ୍ଠ ନାଗରିକଙ୍କ ବୈଠକରେ ମନ୍ତ୍ରୀ ଟୁକୁନି ସାହୁ ସ୍ପଷ୍ଟ ଭାବେ କହିଛନ୍ତି, ଯଦି ଜିଲ୍ଲା ଘୋଷଣା ହୋଇଥାନ୍ତା, ତେବେ ସେ ପ୍ରଥମ ବ୍ୟକ୍ତି ଭାବେ ଇସ୍ତଫା ଦେଇଥାନ୍ତେ। ଟିଟିଲାଗଡ଼କୁ ଅଣଦେଖା କରି ପଦ୍ମପୁରକୁ ଜିଲ୍ଲା ଘୋଷଣା କରାଗଲେ ସେ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଯାଇ ଇସ୍ତଫା ଦେବି ବୋଲି ମନ ସ୍ଥିର କରିଥିଲେ। କିନ୍ତୁ ମୁଖ୍ୟମନ୍ତ୍ରୀ ତାହା କରିନଥିଲେ। ନୂଆ ଜିଲ୍ଲା ଗଠନରେ ଟିଟିଲାଗଡ଼କୁ ପ୍ରାଥମିକତା ଦିଆଯିବ ବୋଲି ସେ ପୂର୍ବରୁ ଲୋକଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।

ଏହି ଖୁଲାସା ପଦ୍ମପୁରରେ ହଇଚଇ ସୃଷ୍ଟି କରିଛି। ପଦ୍ମପୁର ଯୁଗ୍ମ କ୍ରିୟାନୁଷ୍ଠାନ କମିଟିର ସଂଯୋଜକ ଅଜିତ ଶତପଥୀ ଅସନ୍ତୋଷ ବ୍ୟକ୍ତ କରି କହିଛନ୍ତି, ଉପନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀ ପଦମପୁରକୁ ଜିଲ୍ଲା କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ମନ୍ତ୍ରୀ ଟୁକୁନି ସାହୁଙ୍କ ବୟାନ କିନ୍ତୁ ପ୍ରତିଶ୍ରୁତି ନା ପ୍ରତାରଣା କରାଯାଉଛି ବୋଲି ସୂଚାଉଛି।

ମୁଖ୍ୟମନ୍ତ୍ରୀଙ୍କ ଉପରେ ବିଶ୍ୱାସଘାତକତା ଅଭିଯୋଗ ଆଣି ବିରୋଧୀ ଏହି ଘଟଣାକୁ ଜୋରଦାର କରିଛନ୍ତି । ବରଗଡ଼ ସାଂସଦ ପ୍ରାର୍ଥୀ ପ୍ରଦୀପ ପୁରୋହିତ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ କଥା ଭୁଲ ପ୍ରମାଣିତ ହୋଇଛି। ମନ୍ତ୍ରୀ ଟୁକୁନି ସାହୁଙ୍କ ବୟାନ ଏକ ଷଡ଼ଯନ୍ତ୍ରକୁ ପଦାରେ ପକାଇଛି।

ପଦ୍ମପୁର କଂଗ୍ରେସ ନେତା ଶେଖ ମୁଜାଫର ହୁସେନ ଉତ୍ତରଦାୟିତ୍ୱ ନେବାକୁ ଆହ୍ୱାନ ଦେଇ କହିଛନ୍ତି, ଟୁକୁନି ମାଡାମ (ଟୁକୁନି ସାହୁ) ଇସ୍ତଫା ଦେବେ ବୋଲି କହିଛନ୍ତି। ଆମେ ଆଶା କରୁଛୁ ବର୍ଷା ମ୍ୟାଡାମ୍ (ବର୍ଷା ସିଂହ ବରିହା) ଟିକେଟ୍ ଫେରସ୍ତ କରି ଜିଲ୍ଲା ପ୍ରତି ତାଙ୍କର ଉତ୍ତର ଦାୟିତ୍ବ ପ୍ରମାଣ କରିବେ।

ଏହାର ଜବାବରେ ଟିଟିଲାଗଡ଼ର ବିଜେଡି ନେତ୍ରୀ ଗୀତା ବିଷୀ ସ୍ପଷ୍ଟ କରିଛନ୍ତି, ମନ୍ତ୍ରୀ ଟୁକୁନି ସାହୁ ଯାହା କହିବାକୁ ଚାହୁଁଛନ୍ତି, ଯଦି ଓଡ଼ିଶାରେ ନୂଆ ଜିଲ୍ଲା ଗଠନ ହୋଇଥାନ୍ତା ଏବଂ ଟିଟିଲାଗଡ଼କୁ ଅଣଦେଖା କରାଯାଇଥାନ୍ତା ତେବେ ସେ ଇସ୍ତଫା ଦେଇଥାନ୍ତେ।

ସ୍ୱର୍ଗତ ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଝିଅ ବର୍ଷା ସିଂହ ବରିହା ବିଜେଡି ତରଫରୁ ଉପନିର୍ବାଚନ ଲଢ଼ିଥିଲେ। ସେହି ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିଶ୍ରୁତି ଦେଇଥିଲେ ଯେ ୨୦୨୩ ଡିସେମ୍ବର ସୁଦ୍ଧା ପଦ୍ମପୁର ଜିଲ୍ଲାରେ ପରିଣତ ହେବ। ତେବେ ଏହି ସମସ୍ୟାର ସମାଧାନ ହୋଇନଥିବାରୁ କେବଳ ପଦ୍ମପୁର ନୁହେଁ, ସମଗ୍ର ଓଡ଼ିଶାର ବିଭିନ୍ନ ସ୍ଥାନରେ ଜିଲ୍ଲା ମାନ୍ୟତା ଦାବି ହେଉଛି।

ବଡ଼କଥା ହେଲା ପଦ୍ମପୁରକୁ ଜିଲ୍ଲା ମାନ୍ୟତା ମିଳିବା ବିଳମ୍ବିତ ହେବା ପଛରେ ବିରୋଧୀଙ୍କ ଷଡ଼ଯନ୍ତ୍ର ରହିଛି ବୋଲି ଶାସକ ଦଳର ପ୍ରମୁଖ ନେତା ବିଭିନ୍ନ ସମୟରେ କହି ଆସୁଛନ୍ତି। କିନ୍ତୁ ନିଜ ଦଳରେ ଥିବା ନେତ୍ରୀ ତଥା ମନ୍ତ୍ରୀ ଯେ ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିରେ ଅସହିଷ୍ନୁ ଥିଲେ ବୋଲି କେବେ କହିନାହାନ୍ତି। ତେଣୁ ନିର୍ବାଚନ ବେଳେ ଲୋକେ ଏହି ପ୍ରସଙ୍ଗକୁ ଯଦି ଆଗକୁ ନେବେ ତାହେଲେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ଅଡୁଆରେ ପଡ଼ିବା ଏକ ପ୍ରକାର ନିଶ୍ଚିତ। ତେଣୁ ମନ୍ତ୍ରୀ ଟୁକୁନି ସାହୁଙ୍କ ବୟାନ ନିର୍ବାଚନକୁ ବିଶେଷ ପ୍ରଭାବିତ କରିପାରେ, ଯାହା ଏହି ଅଞ୍ଚଳରେ ନିର୍ବାଚନର ଚିତ୍ରକୁ ବଦଳାଇ ଦେଇପାରେ।

Leave A Reply

Your email address will not be published.