Latest Odisha News

BREAKING NEWS

[ଭିଡିଓ] କୁକୁର ପ୍ରେମରେ ରାଷ୍ଟ୍ରପତି, ସ୍ଥାପନ କଲେ ସୁନାର ପ୍ରତିମୂର୍ତ୍ତୀ !

ଭୁବନେଶ୍ୱର: କୌଣସି ମହାନ ବ୍ୟକ୍ତିତ୍ୱଙ୍କର ପ୍ରତିମୂର୍ତ୍ତୀ ସ୍ଥାପନ ହେବା କିଛି ନୂଆ ଘଟଣା ନୁହେଁ । ହେଲେ ଏକ କୁକୁରର ପ୍ରତିମୂର୍ତ୍ତୀ ସ୍ଥାପନା ନିଶ୍ଚିତ ଭାବେ ଅବିଶ୍ୱସନୀୟ ଘଟଣା । ଆଉ ତା ପୁଣି ପଥର କି ସିମେଣ୍ଟର ନୁହେଁ । ବରଂ ସୁନାରେ ପ୍ରସ୍ତୁତ ହୋଇଛି ୬ ମିଟର ଲମ୍ବାର କୁକୁର ପ୍ରତିମୂର୍ତ୍ତୀ ।

ତୁର୍କମେନିସ୍ତାନର ରାଷ୍ଟ୍ରପତି ନିଜ ପୋଷା କୁକୁର ପାଇଁ ସ୍ଥାପନ କରିଛନ୍ତି ସୁନାର ପ୍ରତିମୂର୍ତ୍ତୀ । ଚଳିତ ସପ୍ତାହ ସର୍ବସାଧାରଣରେ ରାଷ୍ଟ୍ରପତି ଗୁର୍ବାଙ୍ଗ୍‌ଲି ବର୍ଡିମୁହମ୍ମଦୋଭ ରାଜଧାନୀ ଅସଘାବଟ୍‌ରେ ଏହି ପ୍ରତିମୂର୍ତ୍ତୀର ଉନ୍ମୋଚନ କରିଥିଲେ । ଆଲ୍‌ବାଇ ପ୍ରଜାତିର ନିଜ ପୋଷା କୁକୁରର ୬ ମିଟର ଲମ୍ବା ସୁନାରେ ପ୍ରସ୍ତୁତ ପ୍ରତିମୂର୍ତ୍ତୀ ସ୍ଥାପନ କରି ରାଷ୍ଟ୍ରପତି ଗୁର୍ବାଙ୍ଗଲି ସମଗ୍ର ବିଶ୍ୱକୁ ଚକିତ କରିଛନ୍ତି ।

ତେବେ ଘଟଣା ଏତିକିରେ ଥମିନଥିଲା । ବରଂ କୁକୁର ପ୍ରତିମୂର୍ତ୍ତୀ ଉନ୍ମୋଚନକୁ ସ୍ଥାନୀୟ ଗଣମାଧ୍ୟମ ପ୍ରସାରଣ ବି କରିଥିଲା । ବହୁ ପୂର୍ବରୁ ଆଲବାଇ ପ୍ରଜାତିର କୁକୁରକୁ ତୁର୍କମେନିସ୍ତାନରେ ଜାତୀୟ ସମ୍ପତ୍ତି ଭାବେ ଘୋଷଣା କରାଯାଇଥିଲା । ତା ଛଡା ରାଷ୍ଟ୍ରପତି ନିଜ କୁକୁରକୁ ବହୁତ ଭଲ ପାଉଥିବାରୁ ପ୍ରତିମୂର୍ତ୍ତୀ ସ୍ଥାପନ କରିବାକୁ ମନ ବଳାଇଥିଲେ ।

ତେବେ କୁକୁର ପ୍ରତି ତାଙ୍କ ଭଲ ପାଇବା ୨୦୧୭ରେ ବି ସାରା ଦୁନିଆ ଦେଖିଥିଲା । ଯେତେବେଳେ ଗୁର୍ବାଙ୍ଗଲି ଋଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍‌ଙ୍କୁ ଏକ ଆଲବାଇ କୁକୁର ଛୁଆ ଉପହାର ସ୍ୱରୂପ ଦେଇଥିଲେ ।

କୁକୁର ପ୍ରତିମୂର୍ତ୍ତୀକୁ ଆର୍କିଟେକ୍ଟ ସାରଗାର୍ଟ ବାବାୟେଭ ଓ ତାଙ୍କ କମ୍ପାନୀ ନିର୍ମାଣ କରିଥିଲେ । ଏହି ପ୍ରତିମୂର୍ତ୍ତୀ ନିର୍ମାଣର ଖର୍ଚ୍ଚ ଗୁପ୍ତ ରହିଥିଲାବେଳେ ଏହା ଚାରିପଟେ ଏଲ୍‌ଇଡି ସ୍କ୍ରିନ୍ ଜରିଆରେ କୁକୁରର ଭିଡିଓ ଫୁଟେଜ୍‌କୁ କ୍ରମାଗତ ପ୍ରଦର୍ଶିତ କରାଯାଉଛି ।

Leave A Reply

Your email address will not be published.