Latest Odisha News

BREAKING NEWS

ଅଭିନେତ୍ରୀ ନିକିତା ମୃତ୍ୟୁ ଘଟଣା: ଫେରାର ଶାଶୂ-ଶ୍ୱଶୁରଙ୍କ ଘରେ ପୋଲିସ ଲଗାଇଲେ ‘ଲଟକା’

କଟକ : ଓଡିଆ ସିନେମା ତଥା ଟେଲି ଧାରାବାହିକ ଅଭିନେତ୍ରୀ ନିକିତା ମୃତ୍ୟୁ ଘଟଣାରେ ଏବେ ମଧ୍ୟ ଶାଶୂ-ଶ୍ୱଶୁର ଫେରାର ରହିଛନ୍ତି । ନିକିତାଙ୍କ ମୃତ୍ୟୁ ଘଟଣା ପରେ ଶାଶୂ-ଶ୍ୱଶୁର ଫେରାର ରହିଥିବା ବେଳେ କମିଶନରେଟ ପୋଲିସ ପକ୍ଷରୁ ସେମାନଙ୍କୁ ଧରିବା ପାଇଁ ତନାଘନା ଜାରି ରହିଛି । ତେବେ ଶନିବାର ଦିନ କମିଶନରେଟ ପୋଲିସ ନିକିତାଙ୍କ ଶାଶୂ ଘରେ ଏନେଇ ଏକ ନୋଟିସ(ଲଟକା) ଟାଙ୍ଗିଛନ୍ତି ।

ମିଳିଥିବା ସୂଚନାନୁଯାୟୀ ନିକିତାଙ୍କ ଶାଶୂ କୁନ୍ତଳା ସାହୁ ଓ ଶ୍ୱଶୁର ଲିଙ୍ଗରାଜ ସାହୁ ଏହି ମାମଲାରେ ତଦନ୍ତ ଲାଗି ପୋଲିସ ସେମାନଙ୍କୁ ସମନ ଜାରି କରିବା ସହ ଜାନୁଆରୀ ୧୯ ତାରିଖ ଦିନ ଦିବା. ୧୧ଟା ସମୟରେ ଥାନାରେ ହାଜର ହେବା ପାଇଁ ନୋଟିସ ଜାରି କରିଛନ୍ତି ।

ଏସମ୍ପର୍କରେ ଶନିବାର ଦିନ କଟକ ଡିସିପି ଅଖିଳେଶ୍ୱର ସିଂହ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି “ପୂର୍ବରୁ ଏହି ନୋଟିସ ପ୍ରଦାନ କରିବାକୁ ଏକ ପୋଲିସ ଟିମ୍ ତାଙ୍କ ଘରକୁ ଯାଇଥିବା ବେଳେ ସେମାନେ ଘରେ ନଥିଲେ । ତେଣୁ ଆଜି ନୋଟିସ ଜାରି କରାଗଲା” । ଯଦିଓ ନିକିତାଙ୍କ ଶାଶୁ ଶ୍ୱଶୁର ପୋଲିସ ନିକଟରେ ହାଜର ହୋଇନାହାନ୍ତି କିନ୍ତୁ ସେମାନେ ଆଗୁଆ ଜାମିନ ଲାଗି ହାଇକୋର୍ଟରେ ଆବେଦନ କରିଛନ୍ତି ।

ନିକିତାଙ୍କ ମୃତ୍ୟୁ ଘଟଣାର ପୋଷ୍ଟମଟର୍ମ ରିପୋର୍ଟ ଅନୁଯାୟୀ ଉଚ୍ଚ ସ୍ଥାନରୁ ଖସିବା ଫଳରେ ଶରୀରର ମୁଣ୍ଡ ଓ ଛାତି ଅଂଶରେ ଗଭୀର ଆଘାତ ଲାଗିଛି । ଅଭିନେତ୍ରୀ ଜଣଙ୍କ ଜାନୁଆରୀ ୪ ତାରିଖ ଦିନ ତାଙ୍କର କଟକ ମହାନଦୀ ବିହାର ସ୍ଥିତ ବାସଭବନର ଛାତରୁ ଖସି ପଡିଥିଲେ, ପରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାରତ ଥିବାବେଳେ ତାଙ୍କର ମୃତ୍ୟୁ ଘଟିଥିଲା ।

ଅନ୍ୟପକ୍ଷରେ ନିକିତାଙ୍କ ମୃତ୍ୟୁ ଘଟଣାରେ ସ୍ୱାମୀ ଲିପନ ସାହୁଙ୍କ ସମ୍ପୃକ୍ତି ଥିବାନେଇ ଗିରଫ କରିଛି । ପଚରାଉଚରାରୁ ଜଣାପଡିଥିଲା ଯେ ଛାତରେ ଉଭୟ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଏକପ୍ରକାର ଯୁକ୍ତିତର୍କ ହୋଇଥିଲା । ଏହାପରେ ନିକିତା ଛାତରୁ ତଳକୁ ଖସି ପଡିଥିଲେ ।

ତେବେ ଅଭିନେତ୍ରୀଙ୍କ ବାପା ଲିପନଙ୍କ ବିରୋଧରେ ଅଭିଯୋଗ କରିଥିଲେ ମଧ୍ୟ ସେ ନିକିତାଙ୍କୁ ଛାତରୁ ଠେଲିନଥିବା କହିଥିଲେ । ପରେ ତାଙ୍କୁ ଗିରଫ କରାଯାଇ ଚୌଦ୍ୱାର ଜେଲକୁ ପଠାଯାଇଥିଲା ।

Leave A Reply

Your email address will not be published.