Latest Odisha News

BREAKING NEWS

ଅଭିନେତ୍ରୀ ନିକିତା ମୃତ୍ୟୁ ମାମଲା: ଜେଲ ଗଲେ ସ୍ୱାମୀ ଲିପନ

କଟକ : ଓଡିଆ ସିନେମା ତଥା ଟେଲି ଅଭିନେତ୍ରୀ ନିକିତାଙ୍କ ମୃତ୍ୟୁ ଘଟଣାରେ ମଙ୍ଗଳବାର ଏସଡିଜେଏମ କୋର୍ଟ ଗିରଫ ସ୍ୱାମୀ ଲିପନଙ୍କ ଜାମିନ୍ ନାମଞ୍ଜୁର କରିବାରୁ ତାଙ୍କୁ ଚୌଦ୍ୱାର ଜେଲକୁ ପଠାଇ ଦିଆଯାଇଛି ।

ଏହି ଘଟଣାରେ ପୋଲିସ ସ୍ୱାମୀ ଲିପନ ସାହୁଙ୍କୁ ଗିରଫ କରିଥିବା ବେଳେ ତାଙ୍କୁ ଜେରା କରିଥିବା ନେଇ ସୁତ୍ରରୁ ପ୍ରକାଶ ।

ନିକିତା ଓ ଲିପନ ୨୦୧୬ ମସିହାରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ଶ୍ୱଶୁର ଘରେ ପାରିବାରିକ ଅଶାନ୍ତି ଲାଗି ରହିବାରୁ ନିକିତା ଅଲଗା ରହି ଆସୁଥିଲେ ଏବଂ ପୁତ୍ର ସନ୍ତାନ ଜନ୍ମ ପରେ ସେ ମହାନଦୀ ବିହାର ସ୍ଥିତ ନିଜ ବାପ ଘରେ ରହୁଥିଲେ ବୋଲି ପୂର୍ବରୁ କଟକ ଡିସିପି ଅଖିଳେଶ୍ୱର ସିଂହ ଏନେଇ ସୂଚନା ପ୍ରଦାନ କରିଥିଲେ ।

“ଘଟଣା ଦିନ ନିକିତା ଓ ଲିପନଙ୍କ ମଧ୍ୟରେ କୌଣସି କଥାକୁ ନେଇ ଯୁକ୍ତି ତର୍କ ହେବାରୁ ଦୁହେଁ ଛାତ ଉପରକୁ ଯାଇଥିଲେ ଏବଂ ପରବର୍ତ୍ତୀ ସମୟରେ ଏହି ଅଘଟଣ ଘଟିଥିଲା । କିନ୍ତୁ ଲିପନ ତାଙ୍କୁ ଛାତରୁ ଧକ୍କା ଦେବା ନେଇ ଅସ୍ୱୀକାର କରିଥିବାବେଳେ ଦୁହିଁଙ୍କ ମଧ୍ୟରେ ସେଦିନ ହାତାହାତି ହୋଇଥିଲା । ଏହି ସମୟରେ ପରିବାରର ଅନ୍ୟ ସଦସ୍ୟମାନେ ଘର ଭିତରେ ଥିଲେ” ବୋଲି ଡିସିପି କହିଥିଲେ ।

ଅନ୍ୟପକ୍ଷରେ ଏହି ଲୋକପ୍ରିୟ ଅଭିନେତ୍ରୀଙ୍କର ଶନିବାର ସକାଳେ ଚିକିତ୍ସାଧିନ ଅବସ୍ଥାରେ କଟକର ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁ ଘଟିଥିଲା ।

ଲିପନଙ୍କ ଗିରଫ ପରେ ଚାଉଳିଆଗଞ୍ଜ ପୋଲିସ ତାଙ୍କୁ ଏସଡିଜେଏମ କୋର୍ଟରେ ହାଜର କରିଥିଲେ ଏବଂ କୋର୍ଟ ତାଙ୍କ ଜାମିନ ନାମଞ୍ଜୁର କରି ଦେଇଥିଲେ । ତାଙ୍କ ବିରୋଧରେ ଆଇପିସି ଧାରା ୩୦୨, ୪୯୮(ଏ), ୩୦୬ ଏବଂ ୩୪ ଲଗାଯାଇଥିବା ନେଇ ପବ୍ଲିକ୍ ପ୍ରସ୍ୟୁକ୍ୟୁଟର ବିଶ୍ୱଜିତ୍ ବରାଳ କହିଛନ୍ତି ।

Leave A Reply

Your email address will not be published.