Latest Odisha News

BREAKING NEWS

ଚୋର ଗ୍ୟାଙ୍ଗ୍‌ ପାଖରୁ ଜବତ ହେଲା ୨୫ଟି ପାଣି ପମ୍ପ, ମୋଟର୍‌

ବ୍ରହ୍ମପୁର: ଆସିକା ପୋଲିସ ଏକ ଚୋର ଗ୍ୟାଙ୍ଗ୍‌କୁ ଧରିବା ସହିତ ସେମାନଙ୍କ ପାଖରୁ ବିଭିନ୍ନ ପ୍ରକାରର ୨୫ଟି ପାଣି ପମ୍ପ ଏବଂ ମୋଟର୍‌ ଜବତ କରିବାରେ ସଫଳ ହୋଇଛି । ଅଭିଯୁକ୍ତମାନେ ହେଲେ ଚିତ୍ରସେନ ଦଳେଇ (୩୦),ମିଟୁ ଦଳେଇ (୩୭), ପ୍ରହଲ୍ଲାଦ ବିଶ୍ୱାଳ (୨୭), ଚରଣ ବିଶ୍ୱାଳ (୨୭)। ଏମାନଙ୍କ ଘର ଆସିକା ଥାନା କେନ୍ଦୁପଦର ଗ୍ରାମରେ ବୋଲି ପୋଲିସ ତରଫରୁ ସୂଚନା ଦିଆଯାଇଛି ।

ଥାନା ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଆସିକା ଏସ୍‌ଡିପିଓ ଉମାଶଙ୍କର ସିଂ କହିଥିଲେ ଯେ, ଆସିକା ଏବଂ ହିଂଜିଳି ଥାନା ଅଞ୍ଚଳରେ ଗତ କିଛି ଦିନ ହେଲା ବିଭିନ୍ନ ସ୍ଥାନରୁ ପାଣି ପମ୍ପ ଏବଂ ମୋଟର ଚୋରି ହେଉଥିବା ନେଇ ଅଭିଯୋଗ ହୋଇଥିଲା । ଏନେଇ ଉଭୟ ଥାନାରେ ୫ଟି ମାମଲା ରୁଜୁ ହୋଇଥିଲା ।

ଗତ ଦୁଇ ତାରିଖରେ ରୁଜୁ ହୋଇଥିବା ଏକ ଚୋରି ଘଟଣାର ତଦନ୍ତ ବେଳେ ଅଭିଯୁକ୍ତଙ୍କ ସଂପର୍କରେ ଅନେକ ସୁରାକ ମିଳିଥିଲା । ଥାନା ଆଇଆଇସି ପ୍ରଶାନ୍ତ କୁମାର ସାହୁଙ୍କ ନେତୃତ୍ବରେ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଥିଲା । ଏଥିରେ ଏସ୍‌ଆଇ ବିଶ୍ବଜିତ ନାୟକ, ଏଏସ୍‌ଆଇ ଯୁଧିଷ୍ଠିର ମାଝୀଙ୍କ ସହ ୮ଜଣ ପୋଲିସ କର୍ମଚାରୀ ସାମିଲ ଥିଲେ । ବିଭିନ୍ନ ସ୍ଥାନରେ ଚଢ଼ଉ ପରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।

ଅଭିଯୁକ୍ତଙ୍କ ପାଖରୁ ୪ଟି ଟୁଲୁ ପମ୍ପ, ୨ଟି ଏଚ୍‌ପି ମୋଟର, ୩ଟି ସବ୍‌ମେରସିଭ୍‌ ମୋଟର, ୩ଟି ୧.୭୫ ଏଚ୍‌ପି ମୋଟର, ୩ଟି ୦.୫ ଏଚ୍‌ପି ମୋଟର ଏବଂ ଗୋଟିଏ ଡିଜେଲ୍‌ ମୋଟର ସହିତ ୧୦ ବଣ୍ଡଲ ବିଦ୍ୟୁତ୍‌ ତାର ଜବତ ହୋଇଛି। ଜବତ ସାମଗ୍ରୀର ମୋଟ ମୂଲ୍ୟ ପ୍ରାୟ ୫ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଏସ୍‌ଡିପିଓ ସିଂ ପ୍ରକାଶ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ଉପସ୍ଥିତ ଥିଲେ ।

Comments are closed.