Latest Odisha News

BREAKING NEWS

ଜଗା-କାଳିଆଙ୍କ ମୁଣ୍ଡରୁ ଖୋଲିଲା ଷ୍ଟିଚ୍, ଶିଘ୍ର ସୁସ୍ଥ ହେଉଛନ୍ତି ଯାଆାଁଳା ଭାଇ

ନୂଆଦିଲ୍ଲୀ : ଦିଲ୍ଲୀ ଏମ୍ସରେ ଅସ୍ତ୍ରୋପଚାର ପରେ ଦ୍ରୁତ ଗତିରେ ଆରୋଗ୍ୟ ଲାଭ କରୁଛନ୍ତି ଯାଆାଁଳା ଭାଇ ଜଗା ଓ କାଳିଆ । ସେମାନେ ଖୁବ ଶିଘ୍ର ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଓଡ଼ିଶା ଫେରିବାର ସୂଚନା ଦେଇଛନ୍ତି ଚିକିତ୍ସା କରୁଥିବା ଏମ୍ସର କର୍ତ୍ତୃପକ୍ଷ ।

ଦିଲ୍ଲୀ ଏମ୍ସ ସୂତ୍ରରୁ ଜଣାପଡ଼ିଛି ଯେ, ଦୁଇ ଯାଆଁଳା ଭାଇ ଜଗା-କାଳିଆ ଏବେ ସ୍ୱାଭାବିକ ଭାବେ ଚଲାବୁଲା ଖେଳାଖେଳି ଆରମ୍ଭ କରିଛନ୍ତି । ଦୁଇ ଯାଆଁଳା ଭାଇଙ୍କର ମୁଣ୍ଡ ଯୋଡ଼ି ହୋଇ ରହିଥିଲା, ତେବେ ଅସ୍ତ୍ରୋପଚାର କରି ମୁଣ୍ଡ ଅଲଗା କରି ଚିକିତ୍ସା ଜାରି ରହିଥିଲା । ଏହି ଅସ୍ତ୍ରୋପଚାରରେ ଯେଉଁ ଷ୍ଟିଚ୍ କରାଯାଇଥିଲା ତାହାକୁ ସମ୍ପୂର୍ଣ୍ଣ ରୂପେ ଖୋଲାଯାଇଛି । ଏବେ ଦୁଇ ଭାଇ ଆରାମ ଅନୁଭବ କରୁଥିବା କହିଛନ୍ତି ଏମ୍ସରେ ଚିକିତ୍ସା ଦାୟିତ୍ୱରେ ରହିଥିବା ଡ଼ାକ୍ତର ।

ଏହି ବିରଳ ଅସ୍ତ୍ରୋପଚାରରେ ଦୁଇ ଭାଇଙ୍କ ମୁଣ୍ଡରେ କେତୋଟି ଶିରା-ପ୍ରଶିରା ପ୍ରତିରୋପଣ କରାଯାଇଛି । ଦିଲ୍ଲୀ ଏମ୍ସ କର୍ତ୍ତୃପକ୍ଷଙ୍କ କହିବାନୁଯାୟୀ ଜଗା-କାଳିଆ ଏବେ ବେଶ୍ ସୁସ୍ଥ ଅଛନ୍ତି । ଦ୍ରୁତ ଗତିରେ ଦୁହିଁଙ୍କର ସ୍ୱାସ୍ଥ୍ୟରେ ଉନ୍ନତି ଘଟିବାରେ ଲାଗିଛି । ଏପରିକି ଖୁବ ଶିଘ୍ର ସମ୍ପୂର୍ଣ୍ଣ ରୂପେ ଆରୋଗ୍ୟ ଲାଭ କରି ଦୁହେଁ ଓଡ଼ିଶା ଫେରିବେ ବୋଲି କହିଛନ୍ତି ଏମ୍ସର ଡ଼ାକ୍ତରମାନେ ।

ଏଠାରେ ସୂଚନାଯୋଗ୍ୟ ଯେ, ନୂଆଦିଲ୍ଲୀର ଏମ୍ସରେ ୨୦୧୭ ମସିହା ଅକ୍ଟୋବରରେ ଯୋଡ଼ିହୋଇ ରହିଥିବା ଦୁଇ ଶିଶୁଙ୍କର ମୁଣ୍ଡକୁ ଅସ୍ତ୍ରୋପଚାର କରାଯାଇ ଅଲଗା କରାଯାଇଥିଲା । ପ୍ରଖ୍ୟାତ ନ୍ୟୁରୋ ସର୍ଜନ ଡ଼ାକ୍ତର ଅଶୋକ କୁମାର ମହାପାତ୍ରଙ୍କ ନେତୃତ୍ୱରେ ଏହି ବିରଳ ଅସ୍ତ୍ରୋପଚାର କରାଯାଇ ଯୋଡ଼ାମୁଣ୍ଡକୁ ଅଲଗା କରାଗଲା । ଦୀର୍ଘ ୧୧ ଘଣ୍ଟା ଧରି ଏହି ବିରଳ ଅପରେସନ ହୋଇଥିଲା ଦିଲ୍ଲୀ ଏମ୍ସରେ । ଏହି ଅପରେସନ କେବଳ ଭାରତ ନୁହେଁ ସାରା ବିଶ୍ୱର ଚିକିତ୍ସା ଜଗତରେ ଦୃଷ୍ଟି ଆକର୍ଷଣ କରିପାରିଥିଲା । ଦୁଇ ଭାଇଙ୍କ ସଫଳ ଅସ୍ତ୍ରୋପଚାର ଲାଗି ବିଭିନ୍ନ ଦେଶ ଓ ରାଜ୍ୟରୁ ଶୁଭେଚ୍ଛାର ସୂଅ ଛୁଟିଥିଲା । ସେବେଠାରୁ ଦିଲ୍ଲୀ ଏମ୍ସରେ ରହି ଚିକିତ୍ସିତ ହେଉଛନ୍ତି ଯାଆଁଳା ଶିଶୁ ଜଗା-କାଳିଆ । ସେବେ ଓଡ଼ିଶା ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସେମାନଙ୍କର ଚିକିତ୍ସା ନିମନ୍ତେ ୧କୋଟି ଟଙ୍କା ଯୋଗାଇ ଦିଆଯାଇଥିଲା ।

ଗତବର୍ଷ ନଭେମ୍ବର ୨୬ ତାରିଖରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇ ଯାଆଁଳା ଶିଶୁଙ୍କୁ ଦିଲ୍ଲୀ ଏମ୍ସରେ ଭେଟି ଆରୋଗ୍ୟ କାମନା କରିଥିଲେ ।

କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ମିଲୁପଡ଼ା ଗ୍ରାମର ଭୁୟାଁ କହଁର ଓ ଅଞ୍ଜଳି କହଁରଙ୍କ ଏହି ଯୋଡ଼ାମୁଣ୍ଡ ଯାଆଁଳା ପୁତ୍ର ସନ୍ତାନ ଜଗା-କାଳିଆଙ୍କର ମୁଣ୍ଡ ଜନ୍ମରୁ ହିଁ ଲାଗିରହିଥିଲା । ତେବେ ରାଜ୍ୟ ସରକାରଙ୍କ ଆର୍ôଥକ ସାହାଯ୍ୟରେ ଦିଲ୍ଲୀ ଏମ୍ସରେ ଦୀର୍ଘ ୧୧ ଘଣ୍ଟାର ଅପରେସନ ଚାଲିଲା । ଏମ୍ସର ନ୍ୟୁରୋ ସର୍ଜରୀ, ନ୍ୟୁରୋ-ଆନାସ୍ଥେସିଆ ତଥା ପ୍ଲାଷ୍ଟିକ ସର୍ଜରୀ ବିଭାଗର ୩୦ ଜଣ ବିଶେଷଜ୍ଞଙ୍କ ଟିମ୍ ଏହି ସଫଳ ଅପରେସନ କରି ଯୋଡ଼ାମଣ୍ଡକୁ ଅଲଗା କରିଥିଲେ ।

ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିକିତ୍ସା କରୁଥିବା ଡ଼ାକ୍ତର ପ୍ରଫେସର ରଣଦୀପ ଗୁଲେରିଆ ପ୍ରଫେସର ଡ଼ାଃ ଅଶୋକ କୁମାର ମହାପାତ୍ରଙ୍କୁ ସଫଳ ଚିକିତ୍ସା ଲାଗି ଅଜସ୍ର ଧନ୍ୟବାଦ ଜଣାଇଛନ୍ତି । ଦୁଇଟି ଜୀବନକୁ ନିଶ୍ଚିତ ମୃତ୍ୟୁମୁଖରୁ ବଞ୍ଚାଇ ଦେଇ ସୁସ୍ଥ କରିଥିବା ହେତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏମ୍ସର ନିର୍ଦ୍ଦେଶକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏପରିକି ଦରକାର ପଡ଼ିଲେ ଚିକିତ୍ସା ଲାଗି ଆଗକୁ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ଆବଶ୍ୟକୀୟ ସାହାଯ୍ୟ ସହଯୋଗ କରିବା କଥା ମୁଖ୍ୟମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.