Latest Odisha News

BREAKING NEWS

ବର୍ଷକର ଶିଶୁ ମସ୍ତିଷ୍କରେ ଜୀବନ୍ତ ଯମଜ

ଅବିଶ୍ୱାସନୀୟ ହେଲେ ବି ସତ । ଚୀନର ସାଂଘାଇ ସହରରେ ଜଣେ ବର୍ଷକର ଶିଶୁ ମସ୍ତିଷ୍କରେ ଜୀବନ୍ତ ଯମଜ ସନ୍ତାନ ଥିବା ସ୍ପଷ୍ଟ ହୋଇଛି । ଡ଼ାକ୍ତରୀ ଭାଷାରେ ଏହା ଏକ ବିରଳତମ ଘଟଣା । ସାଧାରଣତଃ ମାତୃଗର୍ଭରେ ଯମଜ ସନ୍ତାନ ଥାନ୍ତି । କିନ୍ତୁ ଏଠି ସ୍ଥିତି ଭିନ୍ନ ଥିଲା । ମା ପେଟରେ ସନ୍ତାନ ଥିବା ବେଳେ ସେ ସନ୍ତାନ ମସ୍ତିଷ୍କରେ ବିକଶିତ ହୋଇଥିଲା ଆଉ ଏକ ଯମଜ ସନ୍ତାନ ।

ଝିଅର ଜନ୍ମ ପରେ ତାକୁ ଯେତେବେଳେ ବର୍ଷେ ପୂରିଲା ସେତେବେଳେ ତା ପାଖରେ ଅନେକ ସମସ୍ୟା ଦେଖାଦେବା ସହ ମୁଣ୍ଡ ବହୁତ ବଢ଼ିଯାଇଥିଲା । ତାଙ୍କୁ ହସ୍ପିଟାଲକୁ ଅଣାଯିବା ସହ ପ୍ରାରମ୍ଭିକ ପରୀକ୍ଷାରୁ ଶିଶୁ ମସ୍ତିଷ୍କ ମଧ୍ୟରେ ଜନ୍ମ ହୋଇପାରି ନ ଥିବା ଯମଜ ସନ୍ତାନର ଭ୍ରୂଣ ବଢ଼ୁଥିବା ଡାକ୍ତର ଜାଣିବାକୁ ପାଇଥିଲେ । କ୍ରମାଗତ ରକ୍ତ ସଞ୍ଚାଳନ ଯୋଗୁ ଭ୍ରୂଣ ଜୀବିତ ରହିବା ସହ ବିକଶିତ ହେଉଥିବା ଡାକ୍ତର ମତ ରଖିଥିଲେ । ଡ଼ାକ୍ତରୀ ଭାଷାରେ ଏହାକୁ ଫେଟସ୍‌-ଇନ୍‌-ଫେଟୁ କୁହାଯାଇଥାଏ । ଗର୍ଭାବସ୍ଥା ଆରମ୍ଭରୁ ଏଭଳି ହୋଇଥାଏ । ପୁରୁଷ ଶୁକ୍ରାଣୁ ଏବଂ ମହିଳା ଡିମ୍ବାଣୁ ଗର୍ଭାଧାନ ପରେ ସେଲ୍ କ୍ଲଷ୍ଟର ସୃଷ୍ଟି କାରଣରୁ ତାହା ଉପଯୁକ୍ତ ଭାବେ ଅଲଗା ହୋଇପାରି ନ ଥିଲା । ଏହା ପରେ ପ୍ରଥମ ଭ୍ରୂଣ ଅନ୍ୟ ଦ୍ୱାରା ଆବୃତ୍ତ ହୋଇଯାଇ ଯୋଡ଼ା ଅଂଶ ମସ୍ତିଷ୍କରେ ବିକଶିତ ହୋଇଥିଲା । ପୂର୍ବରୁ ଜଣେ ୧୬ ବର୍ଷର ବାଳକ ପେଟରେ ଏଭଳି ଭ୍ରୂଣ ଠାବ ହୋଇଥିଲା ବେଳେ ଗତବର୍ଷ ଝାଡ଼ଖଣ୍ଡର ଏକ ୨୧ ଦିନର ଶିଶୁ ପାକସ୍ଥଳୀରୁ ୮ଟି ଭ୍ରୂଣକୁ ବାହାର କରାଯାଇଥିଲା ।

Comments are closed.