Latest Odisha News

ପୁଣେ ଦିନିକିଆରେ ବିରାଟ ସେନାର ବିଜୟ ହିରୋ ନବାଗତ କ୍ରୁନାଲ୍-ପ୍ରସିଦ୍ଧି

ପୁନେ: ଉଭୟ ବ୍ୟାଟିଂ ଓ ବୋଲିଂରେ କମାଲ କଲେ ଭାରତୀୟ ଖେଳାଳି । ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଦମଦାର ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ । ଅଭିଜ୍ଞ ଓ ନବାଗତଙ୍କୁ ନେଇ ବିରାଟ ସେନା ବିଜୟରୁ ଅଭିଯାନ ଆରମ୍ଭ କରିଛି । ଟସ୍ ହାରିଥିବା ଭାରତ ପ୍ରଥମେ ବ୍ୟାଟିଂ କରି ୫ ଓ୍ୱିକେଟରେ ୩୧୭ରନ୍ କରିଥିଲା । ଜବାବରେ ଇଂଲଣ୍ଡ ୩୧୮ ରନ୍ ବିଜୟଲକ୍ଷ୍ୟରୁ ୬୬ ରନ୍ ପଛରେ ରହିଯାଇଥିଲା । ୯୮ ରନ୍ କରିଥିବା ଶିଖର ଧଓ୍ୱନ ମ୍ୟାନ ଅଫ୍ ଦି ମ୍ୟାଚ୍ ହୋଇଥିଲେ ବି ବିଜୟ ହିରୋ ଥିଲେ ଦୁଇ ନବଗତ କ୍ରୁନାଲ ପାଣ୍ଡ୍ୟା ଓ ପ୍ରସିଦ୍ଧି କୃଷ୍ଣା ।

ଇଂଲଣ୍ଡ ବିପକ୍ଷରେ ପ୍ରଥମ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ ଖେଳିଥିଲେ କ୍ରୁନାଲ୍ ପାଣ୍ଡ୍ୟା । ୩୧ବଲରୁ ଅପରାଜିତ ୫୮ ରନ୍ ହାସଲ କରିଥିଲେ । ଅନ୍ତର୍ଜାତୀୟ କ୍ରିକେଟର ଡେବ୍ୟୁ ମ୍ୟାଚରେ ଦ୍ରୁତ ଅର୍ଦ୍ଧଶତକ ହାସଲ କରି ରେକର୍ଡ କରିଛନ୍ତି କ୍ରୁନାଲ୍ ।

ଭାରତ ଦେଇଥିବା ୩୧୮ ରନ୍ ବିଜୟଲକ୍ଷ୍ୟର ପିଛା କରି ଇଂଲୀଶ ବାହିନୀ ପ୍ରଥମ ୧୫ ଓଭରରେ କୌଣସି ଓ୍ୱିକେଟ ନହରାଇ ୧୩୫ରନ୍ କରିଥିଲା । ଏହାପରେ ଇଂଲଣ୍ଡ ବ୍ୟାଟିଂ ଉପରେ ବ୍ରେକ ଲଗାଇଥିଲେ ପ୍ରସିଦ୍ଧି କୃଷ୍ଣା ଓ ସାର୍ଦ୍ଦୁଲ ଠାକୁର ।

ନବାଗତ ପ୍ରସିଦ୍ଧି କୃଷ୍ଣା ପଦାର୍ପଣ ମ୍ୟାଚରେ ଜବରଦସ୍ତ ବୋଲିଂ କଲେ । ୫୪ରନ ଦେଇ ହାସଲ କରିଛନ୍ତି ୪ଟି ଓ୍ୱିକେଟ । ଡେବ୍ୟୁ ମ୍ୟାଚରେ ୪ଟି ଓ୍ୱିକେଟ ନେବାରେ ସେ ପ୍ରଥମ ଭାରତୀୟ ବୋଲର ହୋଇଛନ୍ତି । ସେ ଜାସନ୍ ରାୟ, ବେନ୍ ଷ୍ଟୋକ୍ସ, ସୋମ୍ ଓ୍ୱିଲିଙ୍ଗସ ଓ ଟମ୍ କରନଙ୍କ ଓ୍ୱିକେଟ ନେଇଥିଲେ । ପ୍ରଥମ ମ୍ୟାଚରେ କ୍ରୁନାଲ ପାଣ୍ଡ୍ୟା ଓ ପ୍ରସିଦ୍ଧି କୃଷ୍ଣା ନିଜ ଦକ୍ଷତାର ପ୍ରମାଣ ଦେବା ସହ ଚୟନ କମିଟିର ନିଷ୍ପତ୍ତିକୁ ଠିକ ପ୍ରମାଣିତ କରିଛନ୍ତି ।

Leave A Reply

Your email address will not be published.