ନୂଆଦିଲ୍ଲୀ: ନେପାଳକୁ ପୁଣି ଫେରିବ କି ରାଜା ଶାସନ? ୧୬ବର୍ଷ ତଳେ ନେପାଳ ବିଶ୍ବର ଏକମାତ୍ର ହିନ୍ଦୁ ରାଷ୍ଟ୍ର ଥିଲା । ୨୦୦୮ପର୍ଯ୍ୟନ୍ତ ନେପାଳରେ ରାଜତନ୍ତ୍ର ରହିଥିବା ବେଳେ, ରାଜା ଥିଲେ ଜ୍ଞାନେନ୍ଦ୍ର ଶାହା । ତେବେ ମାଓବାଦୀ ଆନ୍ଦୋଳନ ତଥା ବାମପନ୍ଥୀ କ୍ରାନ୍ତି ପରେ ନେପାଳରେ କ୍ଷମତା ପରିବର୍ତ୍ତନ ହୋଇଥିଲା । ଫଳରେ ଜ୍ଞାନେନ୍ଦ୍ର ଶାହାଙ୍କୁ ସିଂହାସନ ଖାଲି କରିବାକୁ ପଡିଥିଲା । ଏବେ ପୁଣି ନେପାଳରେ ପରିବର୍ତ୍ତନର ପବନ ବହୁଥିବା ନେଇ ଚର୍ଚ୍ଚା ହେଉଛି । ଏହାର ଝଲକ ରାଜଧାନୀ କାଠମାଣ୍ଡୁର ତ୍ରିଭୁବନ ଅନ୍ତର୍ଜାତୀୟ ବିମାନବନ୍ଦରରେ ଦେଖିବାକୁ ମିଳିଛି । ରାଜା ଜ୍ଞାନେନ୍ଦ୍ର ଶାହାଙ୍କୁ ସ୍ବାଗତ କରିବାକୁ ୧୦ହଜାରରୁ ଅଧିକ ଲୋକ ଏକାଠି ହେବା ସହ ରାଜା ଶାସନ ସପକ୍ଷରେ ନାରା ଲଗାଇଥିଲେ ।
କ୍ଷମତାକୁ ଫେରିବେ କି ଜ୍ଞାନେନ୍ଦ୍ର?
ପୂର୍ବତନ ରାଜା ଜ୍ଞାନେନ୍ଦ୍ର ଶାହା ପୋଖରାରେ ୨ମାସ ରହିବା ପରେ କାଠମାଣ୍ଡୁ ଫେରିଛନ୍ତି । ତେବେ ତାଙ୍କୁ ସ୍ବାଗତ କରିବା ପାଇଁ ସମର୍ଥକଙ୍କ ଭିଡ଼ ଦେଖିବାକୁ ମିଳିଛି । ନେପାଳରେ ପୁଣି ରାଜା ଶାସନ ଫେରାଇ ଆଣିବା ସହ ଦେଶକୁ ପୁଣି ହିନ୍ଦୁ ରାଷ୍ଟ୍ର କରିବାକୁ ଦାବି କରୁଛନ୍ତି ଜ୍ଞାନେନ୍ଦ୍ରଙ୍କ ସମର୍ଥକ । ଏହାମଧ୍ୟରେ ଜ୍ଞାନେନ୍ଦ୍ର ରାଜନୀତିକୁ ଫେରିବା ନେଇ ବି ଚର୍ଚ୍ଚା ବଢିଛି । ଏପରିକି ଏଥିପାଇଁ ଜ୍ଞାନେନ୍ଦ୍ର ଗତ କିଛି ସମୟ ଧରି ପ୍ରସ୍ତୁତି କରୁଥିବା ବି କୁହାଯାଉଛି । ପୋଖରାରେ ରହିବା ବେଳେ ସେ ମନ୍ଦିର, ତୀର୍ଥସ୍ଥଳୀ ଗସ୍ତ କରିବା ସହ ଲୋକଙ୍କ ମୁଡ୍ ପରଖିବାକୁ ଉଦ୍ୟମ କରିଥିଲେ ।
ରାଜା ଶାସନ ଫେରାଇବାକୁ ଦାବି
ନେପାଳ ଶାସନ ବ୍ୟବସ୍ଥାରେ ପରିବର୍ତ୍ତନ ଦାବି ମଧ୍ୟରେ ରାଷ୍ଟ୍ରୀୟ ପ୍ରଜାତାନ୍ତ୍ରିକ ପାର୍ଟି ବା ଆରପିପି ଜ୍ଞାନେନ୍ଦ୍ର ଶାହାଙ୍କୁ ସମର୍ଥନ କରୁଛି । ଦଳ ଗଠନ ବେଳଠୁ ହିଁ ନେପାଳରେ ରାଜା ଶାସନକୁ ସମର୍ଥନ କରିଆସୁଛି । ୨୦୦୮ରେ ଆରପିପି ୫୭୫ସିଟ ବିଶିଷ୍ଟ ନେପାଳ ସଂସଦରେ ୮ଟି ସିଟ୍ ଜିତିଥିବା ବେଳେ ୨୦୨୨ରେ ୧୪ଟି ସିଟ୍ ଜିତିଛି । ନେପାଳର ଶାସନ ବ୍ୟବସ୍ଥା ଉପରୁ ଲୋକଙ୍କ ମୋହଭଙ୍ଗ ହୋଇସାରିଛି । ଏବେ ଲୋକ ପୁରୁଣା ଦିନକୁ ମନେ ପକାଉଛନ୍ତି ବୋଲି ଆରପିପିର ବରିଷ୍ଠ ନେତା ରବିନ୍ଦ୍ର ମିଶ୍ରା କହିଛନ୍ତି । ଜ୍ଞାନେନ୍ଦ୍ରଙ୍କୁ ବିମାନବନ୍ଦରରେ ଆରପିପି ନେତା ସ୍ବାଗତ କରିଥିଲେ ।
ଶାସନ ବ୍ୟବସ୍ଥାରୁ ମୋହଭଙ୍ଗ !
ପୂର୍ବରୁ ରାଜା ଶାସନକୁ ବିରୋଧ କରିଥିବା ଲୋକ ଏବେ ପୁଣି ରାଜା ଶାସନ ଫେରାଇ ଆଣିବାକୁ ଚାହୁଁଛନ୍ତି । ସେମାନଙ୍କ ମତରେ, ୧୬ବର୍ଷ ତଳେ ଯେଉଁ ଆଶାରେ ସେମାନେ ରାଜା ଶାସନ ଶେଷ କରିବାକୁ ଚାହିଁଥିଲେ ତାହା ପୂରଣ ହୋଇପାରିନି । ନେପାଳରେ କିଛି ପରିବର୍ତ୍ତନ ହେଲାନି । ଓଲଟା ଦେଶରେ ଅସ୍ଥିରତା ଦେଖାଦେବା ସହ ଦରଦାମ୍ ବୃଦ୍ଧି ହୋଇଛି । ଶିକ୍ଷା, ସ୍ବାସ୍ଥ୍ୟ ସ୍ଥିତି ଖରାପ ହୋଇଛି । ଗରିବଙ୍କ ପାଖରେ ଖାଇବାକୁ ଦୁଇମୁଠା ନାହିଁ । ଦେଶର ନିୟମ ଧନୀ ଶ୍ରେଣୀର ଲୋକଙ୍କ ଉପରେ ଲାଗୁ ହେଉନି । ତେଣୁ ନୂଆ ଶାସନ ବ୍ୟବସ୍ଥାରୁ ଲୋକଙ୍କ ମୋହଭଙ୍ଗ ହୋଇଥିବା କୁହାଯାଉଛି।
୧୬ବର୍ଷରେ ବଦଳିଛି ୧୩ସରକାର
୨୦୦୮ରେ ନେପାଳରେ ରାଜତନ୍ତ୍ର ହଟାଇ ଗଣତନ୍ତ୍ର ଶାସନ ଲାଗୁ ହୋଇଥିଲା । ତେବେ ଏହାପରଠୁ ଦେଶରେ ରାଜନୈତିକ ଅସ୍ଥିରତା ଦେଖାଦେଇଛି । ଗତ ୧୬ବର୍ଷ ମଧ୍ୟରେ ସେଠାରେ ୧୩ଥର ସରକାର ବଦଳିଛନ୍ତି । ଆନ୍ଦୋଳନ ପାଇଁ ପର୍ଯ୍ୟଟନ ଶିଳ୍ପକୁ ଆଘାତ ଲାଗିଛି । ଫଳରେ ଦେଶରେ ଅର୍ଥବ୍ୟବସ୍ଥା ଠପ୍ ହୋଇଯାଇଛି । ହିଂସାରେ ୧୬ହଜାର ଲୋକଙ୍କ ଜୀବନ ଯାଇଛି । ୨୦୨୨ ଜନଗଣନା ଅନୁସାରେ ନେପାଳର ଜନସଂଖ୍ୟା ପ୍ରାୟ ସାଢେ ୩କୋଟି । ଜନସଂଖ୍ୟାର ୮୧ପ୍ରତିଶତରୁ ଅଧିକ ହିନ୍ଦୁ ରହିଛନ୍ତି ।
ନେପାଳରେ ପୁଣି ରାଜା ଶାସନ ଫେରାଇ ଆଣିବାକୁ ଦାବି ହେଉଛି । ତେବେ ସଂସଦୀୟ ସମର୍ଥନ ବିନା ଏହା ସମ୍ଭବ ହେବନି । ବର୍ତ୍ତମାନର ସରକାରଙ୍କୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ରହିଛି । ସେଥିପାଇଁ ସେମାନେ ବିକଳ୍ପ ଚିନ୍ତା କରୁଛନ୍ତି । ତେବେ ଏଥିରେ ପୁଣି ଦେଶକୁ ରାଜତନ୍ତ୍ର ଫେରିବାର ସମ୍ଭାବନା କମ୍ ବୋଲି ରାଜନୈତିକ ବିଶେଷଜ୍ଞ କହିଛନ୍ତି । ଏନେଇ ଜ୍ଞାନେନ୍ଦ୍ର ଶାହା ଏନେଇ କୌଣସି ସିଧାସଳଖ ଟିପ୍ପଣୀ ଦେଇନାହାନ୍ତି ।
Comments are closed.