ରାଞ୍ଚି: ପୁଣି ପୋଲିସକୁ ମିଳିଛି ବଡ଼ ସଫଳତା। ପୋଲିସ ଏନକାଉଣ୍ଟରରେ ଦୁଇ ହାର୍ଡକୋର ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି। ଝାଡ଼ଖଣ୍ଡ ପଶ୍ଚିମ ସିଂହଭୂମି ଜିଲ୍ଲା ସରଣ୍ଡା ଜଙ୍ଗଲରେ ସୁରକ୍ଷା କର୍ମୀ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ଏଥିରେ ଜଣେ ମହିଳା ମାଓବାଦୀଙ୍କ ସମେତ ଦୁଇ ମାଓବାଦୀ ନିହତ ହୋଇଛନ୍ତି। ଅନ୍ୟପଟେ ଏହି ଏନକାଉଣ୍ଟରରେ ସିଆର୍ପିଏଫ୍ର ଜଣେ ଯବାନ ଗୁରୁତର ହୋଇଛନ୍ତି। ଯବାନଙ୍କୁ ଚିକିତ୍ସା ପାଇଁ ମେଡିକାଲ ପଠାଯାଇଛି।
ମୃତ ମାଓବାଦୀ ହେଲେ ମାଓ ସଙ୍ଗଠନର ଜୋନାଲ୍ କମିଟି ସଦସ୍ୟ ବିନୟ ଗଞ୍ଜୁ ଏବଂ ଏରିଆ କମିଟି ସଦସ୍ଯ ହେମନ୍ତି ମଝିୟାନ। ଏହା ସହ ଘଟଣାସ୍ଥଳରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ୨ଟି ଇନ୍ ସାସ୍ ରାଇଫଲ, ୩୧୩ଟି ଅଫୁଟା ଗୁଳି, ୯ଟି ଇନ୍ ସାସ୍ ମାଗାଜିନ୍, ୫ଟି ୱାକିଟାକି, ୨୮ଟି ଡିଟୋନେଟର, ମୋବାଇଲ୍, ପେନ୍ ଡ୍ରାଇଭ୍, ନକ୍ସଲ ପୋଷାକ ଜବତ ହୋଇଛି।
ସୂଚନା ଅନୁସାରେ ପୂର୍ବରୁ ମାଓବାଦୀ ଗତିବିଧି ଖବର ପାଇ ସୋନୁଆ ଥାନା ଲୋଞ୍ଜୋ ପାହାଡ଼ରେ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲା ସୁରକ୍ଷାବାହିନୀ। ଭୋର ସମୟରେ ଉଭୟ ପୋଲିସ ଏବଂ ନକ୍ସଲଙ୍କ ମଧ୍ୟରେ ପ୍ରବଳ ଗୁଳି ବିନିମୟ ହୋଇଥିଲା। ଏନକାଉଣ୍ଟରରେ ନିହତ ଦୁଇ ମାଓବାଦୀଙ୍କ ମୃତଦେହ ଉଦ୍ଧାର ହୋଇଛି।
Comments are closed.