Latest Odisha News

BREAKING NEWS

ପୋଲିସ ଜାଲରେ ଲୁଟେରା, ବିପୁଳ ଟଙ୍କା ଓ ସୁନା ଗହଣା ଜବତ

ଗୁଣୁପୁର: କରୋନା ମହାମାରୀରେ ଲକ୍‌ଡାଉନ୍ ଓ ସଟ୍‌ଡାଉନ୍ ଭଳି ସରକାରୀ ଘୋଷଣା ସାମ୍ନାକୁ ଆଣିଛି ଅନେକ ଅପ୍ରତ୍ୟଶିତ ପରିସ୍ଥିତି । ବଢିଛି ବେରୋଜଗାରୀ, ବ୍ୟାପିଛି ଲୁଟ୍ ଓ ଡକାୟତି ଭଳି ଅପରାଧିକ ଘଟଣା । ଏହି ଧାରାରେ ରାୟଗଡା ଜିଲ୍ଲାରେ ଏକ ଲୁଟ୍ ମାମଲାର ପର୍ଦ୍ଦାଫାସ୍ କରିବାରେ ସଫଳ ହୋଇଛି ଗୁଣୁପୁର ପୋଲିସ ।

ପୋଲିସ ରିପୋର୍ଟ ଅନୁଯାୟୀ ଗତ ୩ ତାରିଖ ଶନିବାର ଦିନ ଗୁଣୁପୁର ଭାରସିଂ ଗାଁର ସାହୁକାର କ୍ରିଷ୍ଣା ରାଓ ନାମକ ଜଣେ ବ୍ୟକ୍ତି ନିଜ ଘରୁ ଲୁଟ୍ ହୋଇଥିବା ନେଇ ଥାନାରେ ଏତଲା ଦେଇଥିଲେ । କ୍ରିଷ୍ଣା ରାଓଙ୍କ ଅଭିଯୋଗ ଅନୁଯାୟୀ ଘଟଣା ଦିନ ତାଙ୍କ ଘରେ କୌଣସି ସଦସ୍ୟ ଉପସ୍ଥିତ ନଥିଲେ । ଏହି ମଉକାର ଫାଇଦା ଉଠାଇ କେହି ତାଙ୍କ ଘରେ ଥିବା ନଗଦ ୭ ଲକ୍ଷ ୧୨ ହଜାର ଟଙ୍କା ଓ କିଛି ସୁନାରୂପା ଗହଣା ଧରି ଚମ୍ପଟ୍ ମାରିଥିଲା ।

ଅଭିଯୋଗକୁ ଭିତ୍ତି କରି ତନାଘନା ଚଳାଇଥିଲା ଗୁଣୁପୁର ପୋଲିସ । ଶେଷରେ ଏହି ଲୁଟ୍ ମାମଲାରେ ସଂପୃକ୍ତ ଥିବା ଦୁଇ ଲୁଟେରାଙ୍କୁ ପୋଲିସ କାବୁ କରିବାରେ ସଫଳ ହୋଇଛି । ପ୍ରଥମେ ଲୁଟ୍ ସହ କୌଣସି ସଂପର୍କ ନଥିବା କହୁଥିବା ଦୁଇ ଅଭିଯୁକ୍ତ, ପରେ ପୋଲିସ ଜେରାରେ ସବୁ ସତ ଓଗାଳିଥିଲେ । ଗିରଫ ଅଭିଯୁକ୍ତଙ୍କଠାରୁ ପୋଲିସ ୪ଟି ସୁନା ମୁଦି, ୩ଟି ସୁନା ଚେନ୍‌, ୨ଟି ସୁନା କାନଫୁଲ, ୪ ଯୋଡି ରୂପା ପାଉଁଜି, ୨ଟି ମୋବାଇଲ ଓ ନଗଦ ୧ ଲକ୍ଷ ୧୨ ହଜାର ଟଙ୍କା ଜବତ କରିଛି । ପଚରାଉଚରାରୁ ଜଣାପଡିଛି ୨ ଅଭିଯୁକ୍ତ ଭାରସିଂ ଗାଁ ବାସିନ୍ଦା । ରୋଜଗାର ନଥବାରୁ ଲୁଟ୍ ଭଳି ଅପରାଧିକ ପନ୍ଥା ଆପଣେଇଥିଲେ । ସେମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ସୂଚନା ରହିଛି ।

Leave A Reply

Your email address will not be published.