Latest Odisha News

ଦୁଇଟି ଲଘୁଚାପ ପ୍ରଭାବରେ ରାଜ୍ୟରେ ବଢ଼ିବ ବର୍ଷା

ଭୁବନେଶ୍ୱର: ଏବେ ବଙ୍ଗୋପସାଗରରେ ଗୋଟିଏ ଲଘୁଚାପ କ୍ଷେତ୍ର ସକ୍ରିୟ ରହିଛି। ୧୯ ବେଳକୁ ଆଉ ଗୋଟିଏ ଦାନା ବାନ୍ଧିବ। ଆଗାମୀ ୫-୭ ଦିନ ବର୍ଷା ନେଇ ପାଣିପାଗ ବିଭାଗ ପୂର୍ବନୁମାନ କରିଛି। ତେବେ ଦୁଇଟି ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ବଢ଼ିବ। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଏହି ଲଘୁଚାପ ବାୟୁମଣ୍ଡଳର ୭.୬ କିଲୋମିଟର ଯାଏ ବ୍ୟାପିଛି ଓ ଦକ୍ଷିଣ ପଶ୍ଚିମ ଦିଗକୁ ଢଳି ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି।

ଏହି ଦୁଇଟି ଯାକ ଲଘୁଚାପ ଯୋଗୁଁ ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର ଏବଂ ସମ୍ଭବତଃ ଉତ୍ତର ଆଭ୍ୟନ୍ତରୀଣରେ ଅପେକ୍ଷାକୃତ କମ୍‌ ବର୍ଷା ହେବ। ଦକ୍ଷିଣ ଓଡ଼ିଶା ଓ ପଶ୍ଚିମ ଓଡ଼ିଶାରେ ଏହି ଲଘୁଚାପର ପ୍ରଭାବ ଭଲ ରହିବା ଯୋଗୁଁ ଏଠାରେ ଭାରି ବର୍ଷାର ସମ୍ଭାବନା ରହିଛି। ଏବେ ରାଜ୍ୟର ବିଭିନ୍ନ ସ୍ଥାନରେ ପାଗ ମେଘୁଆ ସହିତ ତୁହାକୁ ତୁହା ବର୍ଷା ହେଉଛି। କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ରଟି ଦକ୍ଷିଣ ଓଡ଼ିଶା ଉପକୂଳ ଆଡ଼କୁ ପରିବ୍ୟାପ୍ତ ରହିଛି। ଏହା କ୍ରମଶଃ ଦକ୍ଷିଣ-ପଶ୍ଚିମ ଦିଗକୁ ଗତି କରିବ। ଏହା ପ୍ରଭାବ ଓଡ଼ଶା ଉପରେ ପଡ଼ିବ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ।

ଅନ୍ୟପଟେ ଆସନ୍ତା ୨୩ ତାରିଖ ବେଳକୁ ବଙ୍ଗୋପସାଗରେ ଆଉ ଏକ ଘୂର୍ଣ୍ଣିବଳୟର ସମ୍ଭାବନା ରହିଛି। ୨୪ ଓ ୨୫ ବେଳକୁ ଏହା ଲଘୁଚାପ ରୂପ ନେଇପାରେ। ଏହାଦ୍ବାରା ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବ ଏବଂ ରାଜ୍ୟରେ ନିଅଣ୍ଟିଆ ବର୍ଷା ସ୍ଥିତି ଦୂର ହେବ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି। ସୂଚନା ଥାଉ କି ଗତ ୨୪ ଘଣ୍ଟା ମଧ୍ୟରେ କୋରାପୁଟରେ ସର୍ବାଧିକ ୪୫ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ବୌଦ୍ଧରେ ୧୮, ନୟାଗଡ଼ରେ ୧୭, ତାଳଚେର ୧୫, ଭବାନୀପାଟଣା ୧୩ ମିମି ବର୍ଷା ରେକର୍ଡ କରାଯାଇଛି।

Comments are closed.