ଭୁବନେଶ୍ବର: କେରଳ ଓ୍ବାଏନାଡରେ କେଦାରନାଥ ଭଳି ପ୍ରଳୟ । ୪ଘଣ୍ଟାରେ ପାହାଡରୁ ବହି ଆସିଥିବା ମାଟିମିଶା ବନ୍ୟା ପାଣିରେ ଧୋଇଗଲା ୨୨ହଜାର ଜନସଂଖ୍ୟା ଥିବା ୪ଗାଁ । କେରଳର ଏଭଳି ପ୍ରଳୟ ଓଡିଶାର ନିଦ ହଜାଇଛି। କେରଳ ବୁଲି ଯାଇଥିବା ଦୁଇ ଓଡିଆ ଡାକ୍ତରଙ୍କ ପତ୍ତା ମିଳୁନି । ପୁଅର ଫେରିବା ବାଟକୁ ଅନାଇ ବସିଥିବା ପରିବାର ଲୋକଙ୍କ ପାଖରେ ଠିଆ ହୋଇଛନ୍ତି ରାଜ୍ୟ ସରକାର । କେରଳ ସରକାରଙ୍କ ସହ ଯୋଗାଯୋଗ ରଖିଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର । ଖୁବ୍ ଶୀଘ୍ର ଦୁଇ ଓଡିଆ ସୁରକ୍ଷିତ ଭାବେ ଫେରିବେ ବୋଲି ରାଜସ୍ବ ମନ୍ତ୍ରୀ କହିଛନ୍ତି ।
କେରଳରେ ପ୍ରଳୟ…୨ଓଡିଆ ନିଖୋଜ
କେରଳରେ ନିଖୋଜ ହୋଇଥିବା ଦୁଇ ଓଡିଆ ଡାକ୍ତର ହେଉଛନ୍ତି କଟକ ଚୌଦ୍ବାର ହାଉସିଂ ବୋର୍ଡର ଡାକ୍ତର ବିଷ୍ଣୁପ୍ରସାଦ ଚିନାରା ଓ ତାଙ୍କ ବନ୍ଧୁ ଡାକ୍ତର ସ୍ବାଧୀନ ପଣ୍ଡା । ବିଷ୍ଣୁପ୍ରସାଦଙ୍କ ପତ୍ନୀ ପ୍ରିୟଦର୍ଶିନୀ ପାଲ୍ ଓ ଡାକ୍ତର ସ୍ବାଧୀନ ପଣ୍ଡାଙ୍କ ପତ୍ନୀ ସ୍ବୀକୃତି ମହାପାତ୍ରଙ୍କୁ ଉଦ୍ଧାର କରାଯାଇଛି । ଉଭୟ କେରଳର ଏକ ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ଜଣାପଡିଛି । ତେବେ ବିଷ୍ଣୁପ୍ରସାଦ ଓ ସ୍ବାଧୀନଙ୍କ ପତ୍ତା ମିଳୁନି ।
ବୁଲି ଯାଇଥିଲେ କେରଳ
ଗତ ୨୬ତାରିଖରେ ଉଭୟ ପରିବାର ବେଙ୍ଗାଳୁରୁ ବୁଲି ଯାଇଥିଲେ । ୨୭ତାରିଖରେ ବିଷ୍ଣୁପ୍ରସାଦଙ୍କ ଜନ୍ମଦିନ ଥିଲା । ବେଙ୍ଗାଳୁରୁରେ ଜନ୍ମଦିନ ପାଳିବା ପରେ ସମସ୍ତେ କେରଳ ଯାଇଥିଲେ । ସେଠାରେ ଓ୍ବାଏନାଡର ଲିନରା ଭିଲ୍ଲାରେ ରହିଥିଲେ । ତେବେ କିଏ ଜାଣିଥିଲା ହସଖୁସିରେ ବୁଲି ଯାଇଥିବା ଦୁଇ ପରିବାରର ବାଟ ଜଗିଥିଲା ଦୁର୍ଭାଗ୍ୟ । ସୋମବାର ରାତିରେ ମୋପ୍ପାଡି, ମୁବାଡକାଇ ଓ ଚୁରାଲ ମାଲା ପାହାଡିଆ ଅଞ୍ଚଳରେ ଭୂସ୍ଖଳନ ହୋଇଥିଲା। ଏହାପରେ ଜନବସତି ଆଡକୁ ମାଟିମିଶା ବନ୍ୟା ପାଣି ମାଡିଆସିଥିଲା। ପାଣିର ପ୍ରଖର ସ୍ରୋତରେ ସମସ୍ତେ ଭାସି ଯାଇଥିଲେ । ପ୍ରିୟଦର୍ଶିନୀ ପାଲ୍ ଓ ସ୍ବୀକୃତି ମହାପାତ୍ରଙ୍କୁ ଉଦ୍ଧାର କରାଯାଇଥିଲେ ବି ଦୁଇ ଡାକ୍ତର ନିଖୋଜ ହୋଇଯାଇଛନ୍ତି ।
ସଂପର୍କରେ ଅଛନ୍ତି ସରକାର
ଦୁଇ ଡାକ୍ତର ନିଖୋଜ ହେବା ନେଇ ଜାଣିବା ପରେ ଓଡିଶା ସରକାର ଲଗାତର କେରଳ ସରକାର ସହ ସଂପର୍କରେ ରହିଛନ୍ତି । ସ୍ବତନ୍ତ୍ର ରିଲିଫ କମିଶନର କେରଳ ସରକାରଙ୍କ ସହ ଯୋଗାଯୋଗ କରିଛନ୍ତି । ଓ୍ବାଏନାଡରେ ପ୍ରବଳ ବର୍ଷା, ମାଟି ଅତଡା ଧସେଇ ପଶିବାରୁ ବ୍ୟାପକ କ୍ଷୟକ୍ଷତି ହୋଇଛି। ଓଡିଆ ଡାକ୍ତରଙ୍କୁ ଖୋଜିବା ପାଇଁ କେରଳରେ କାର୍ଯ୍ୟରତ ଓଡିଆ ଅଫିସରଙ୍କ ସହ ବି ସଂପର୍କରେ ରଖାଯାଇଛି।
ପୁଅକୁ ଅନାଇ ରହିଛନ୍ତି ପରିବାର ଲୋକେ । ଆଖିରୁ ଲୁହ ଶୁଖୁନି । କେମିତି ପ୍ରଳୟ କୋଳରୁ ସୁରକ୍ଷିତ ଫେରିବେ ଦୁଇ ଓଡିଆ ଡାକ୍ତର, ସେଥିପାଇଁ ଉଦ୍ୟମ କରୁଛନ୍ତି ସରକାର । ଜିଲ୍ଲା ପ୍ରଶାସନ ଦୁଇ ପରିବାର ପାଖରେ ପହଞ୍ଚିଛନ୍ତି । ପରିବାର ଲୋକଙ୍କୁ ସାନ୍ତ୍ବନା ଦେବା ସହ ଶୀଘ୍ର ଫେରାଇ ଆଣିବାକୁ ଉଦ୍ୟମ କରାଯାଉଛି ।
Comments are closed.