Latest Odisha News

BREAKING NEWS

ସହିଦ ଓଡ଼ିଆ ପୁଅ ଗାଁ’କୁ ଫେରୁଛି, ଓଡ଼ିଶା ଆକାଶରୁ ଲୁହ ଝରୁଛି…

ଭୁବନେଶ୍ୱର: ସହିଦ ଓଡ଼ିଆ ପୁଅ ଗାଁ’କୁ ଫେରୁଛି ବୋଲି ଉତ୍କଳ ଜନନୀ ଆଉ କୋହ ସମ୍ଭାଳି ନପାରି ଆଖିରୁ ଅନବରତ ଲୁହ ଝରାଇ ଚାଲିଛି । ଗତକାଲିଠାରୁ ଓଡ଼ିଶାର ପଶ୍ଚିମାଞ୍ଚଳରେ ବର୍ଷା ହୋଇଥିବା ବେଳେ ଆଜି ସକାଳୁ ଉପକୂଳ ଅଞ୍ଚଳରେ ଝିପିଝିପି ବର୍ଷା ଲାଗିରହିଛି । ସେପଟେ ନୂଆଦିଲ୍ଲୀର ପାଲାମ ବିମାନବନ୍ଦରରୁ ପୁଲୱାମା ଆକ୍ରମଣରେ ସହିଦ ଓଡ଼ିଆ ବୀର ଯବାନଙ୍କ ପାର୍ଥିବ ଶରୀର ଓଡ଼ିଶାକୁ ଆସୁଛି । ଲାଗୁଛି, ମା’ ମାଟି ଲାଗି ପ୍ରାଣବଳୀ ଦେଇଥିବା ଓଡ଼ିଆ ସହିଦଙ୍କ ଲାଗି ସାରା ଓଡ଼ିଶା ଦୁଃଖରେ ଜର୍ଜରିତ, ପ୍ରତିଶୋଧର ଦାବାନାଳ ସଭିଙ୍କ ମନରେ ଦାନା ବାନ୍ଧୁଥିବା ବେଳେ ସହିଦଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦେବାକୁ ଜଗତସିଂହପୁରର ସହିଦ ପ୍ରସନ୍ନ ସାହୁ ଓ କଟକ ଜିଲ୍ଲାର ସହିଦ ମନୋଜଙ୍କ ଗାଁ ମାଟି ଏବେ ପ୍ରସ୍ତୁତ ।

ସିଆରପିଏଫ କର୍ତ୍ତୃପକ୍ଷଙ୍କ ପୂର୍ବ ସୂଚନାନୁଯାୟୀ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଭୋର୍ ୪ଟା ୪୫ ମିନିଟରେ ଓଡ଼ିଆ ସହିଦଙ୍କ ପାର୍ଥିବ ଶରୀର ପହଞ୍ଚିବାର ଥିଲା । ପାଣିପାଗ ଖରାପ ଯୋଗୁଁ ଏକ ସ୍ୱତନ୍ତ୍ର ବିମାନରେ ୨ ଓଡ଼ିଆ ସହିଦଙ୍କ ପାର୍ଥିବ ଶରୀର ଶନିବାର ଦିନ ପହଞ୍ଚିବ ।

ଜମ୍ମୁ ଓ କାଶ୍ମୀର ପୁଲୱାମା ଜିଲ୍ଲାର ଅୱନ୍ତିପୁରାଠାରେ ଜୈ-ଇ-ମହମ୍ମଦ ଆତଙ୍କବାଦୀଙ୍କ ବର୍ବରୋଚିତ ଆତ୍ମଘାତୀ ଆକ୍ରମଣରେ ସମୁଦାୟ ୪୪ ଜଣ ଭାରତୀୟ ସିଆରପିଏଫ ଯବାନ ସହିଦ ହୋଇଥିଲେ ।

ସେଥିରେ ଥିଲେ ଓଡ଼ିଶା ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକର ପରିଶିଖର ଗାଁ’ର ପ୍ରସନ୍ନ କୁମାର ସାହୁ ଏବଂ କଟକ ଜିଲ୍ଲା ନିଆଳି ବ୍ଲକ ଅନ୍ତର୍ଗତ ରତନପୁର ଗ୍ରାମର ମନୋଜ କୁମାର ବେହେରା ।

ଆଜି ଉଭୟ ରତନପୁର ଓ ପରିଶିଖର ଗ୍ରାମ ନିଜ ଗାଁ ପୁଅଙ୍କ ପାର୍ଥିବ ଶରୀରକୁ ପାଛୋଟି ନେବାକୁ ଅନାଇ ବସିଛନ୍ତି । ଗାଁର ବୟସ୍କ ଲୋକମାନେ ନିଜର କୋହ ସମ୍ବରଣ କରିନପାରି ଶୋକାତୁର ନୟନରେ ସହିଦଙ୍କ ମରଶରୀରର ଅନ୍ତିମ ଦର୍ଶନ ଲାଗି ପ୍ରତୀକ୍ଷା କରିଛନ୍ତି ।
ଓଡ଼ିଶା ରାଜଧାନୀ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରଠାରେ ଏକ ଅସ୍ଥାୟୀ ମଞ୍ଚ ନିର୍ମାଣ କରାଯାଇଛି, ଯେଉଁଠାରେ ବିମାନରୁ ସହିଦଙ୍କ ପାର୍ଥିବ ଶରୀର ଅଣାଯାଇ ସେଠାରେ ରଖାଯିବ । ସିଆରପିଏଫ ଆଇଜି ବିଟୁଲ୍ କୁମାର ଏବଂ ଡ଼ିଆଇଜି ଏସ କେ ଟିକ୍କାଙ୍କ ସମେତ ୨ଜଣ ସିଆରପିଏଫ ସୁରକ୍ଷାକର୍ମୀ ପୁଷ୍ପମାଲ୍ୟ ଦେଇ ସିଆରପିଏଫ ପକ୍ଷରୁ ଅନ୍ତିମ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବେ । ସିଆରପିଏଫର ଏକ ଟିମ୍ ସାଲ୍ୟୁଟ ଦେଇ ସେମାନଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରିବେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ଦ୍ଦେଶକ୍ରମେ ସେମାନଙ୍କର କ୍ୟାବିନେଟ ମନ୍ତ୍ରୀ ଜୁଏଲ ଓରାମ ଏବଂ ଧର୍ମେନ୍ଦ୍ର ପ୍ରଧାନ ଏହି ୨ଜଣ ଓଡ଼ିଆ ସହିଦଙ୍କ ଅନ୍ତିମ ସକ୍ରାରରେ ଉପସ୍ଥିତ ରହିବେ ।

Leave A Reply

Your email address will not be published.