ଭୁବନେଶ୍ୱର: କର୍ଣ୍ଣାଟକରେ କଂଗ୍ରେସର ମୁଖ୍ୟମନ୍ତ୍ରୀ ଅଙ୍କ ଛିଡୁନି। ଯାହାକୁ ନେଇ କର୍ଣ୍ଣାଟକ ସମେତ ଦେଶବ୍ୟାପୀ ଚର୍ଚ୍ଚା। ବିଭିନ୍ନ ରାଜ୍ୟରେ କଂଗ୍ରେସର ଏଭଳି ସ୍ଥିତି ପାଇଁ ଦଳ ବହୁ ସମସ୍ୟାର ସମ୍ମୁଖୀନ ହେଉଛି।
ଯେଉଁ କାରଣ ପାଇଁ ମଧ୍ୟପ୍ରଦେଶରେ ଜିତି ସରକାର ଗଢ଼ିଥିଲେ ମଧ୍ୟ ସିନ୍ଧିଆଙ୍କ ଯୋଗୁ ସରକାର ଭାଙ୍ଗିଥିଲା। ରାଜସ୍ଥାନରେ ସରକାର ଭାଙ୍ଗୁ ଭାଙ୍ଗୁ ରହିଯାଇଥିଲେ ମଧ୍ୟ ଏବେ ଗେହଲଟ ପାଇଲଟ ଲଢେଇ ସମସ୍ତେ ଦେଖୁଛନ୍ତି। ଛତିଶଗଡ଼ରେ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ଓ ଟି ଏସ ସିଂଦେଓ ଲଢେଇ ଲାଗି ରହିଛି।
କିନ୍ତୁ କର୍ଣ୍ଣାଟକ ନିର୍ବାଚନ ଫଳାଫଳ ଏମିତି ସ୍ଥିତିରେ ଆସିଛି ଯାହାକି ପୁରା ଦେଶର ରାଜନୀତି ଉପରେ ପ୍ରଭାବ ପକାଇବା ସହ କଂଗ୍ରେସ ଓ ବିରୋଧୀଙ୍କ ପାଇଁ ସଂଜୀବନୀ। ତେଣୁ ଏଭଳି ସ୍ଥିତିରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ପିସିସି ସଭାପତି ଡି କେ ଶିବକୁମାର ଓ ସିଦ୍ଦରମୈୟାଙ୍କ ମଧ୍ୟରେ ଅଙ୍କ ଛିଡୁନି।
ତେଣୁ କିଭଳି ଉଭୟ ନେତାଙ୍କୁ ଅସନ୍ତୁଷ୍ଟ ନ କରି ଏକ ଫର୍ମୁଲା ପକାଇ ହେବ ତାକୁ ନେଇ ଆକଳନ ଆରମ୍ଭ ହୋଇଛି। ଚର୍ଚ୍ଚା ଅନୁଯାୟୀ କର୍ଣ୍ଣାଟକରେ କଂଗ୍ରେସ ଦୁଇ ତିନି ଫର୍ମୁଲା ଆପଣାଇପାରେ ବୋଲି କୁହାଯାଉଛି।
ପ୍ରଥମ ଦୁଇ ବର୍ଷ ସିଦ୍ଦରମୈୟାଙ୍କୁ ମୁଖ୍ୟମନ୍ତ୍ରୀ କରିବା ସହ ପରବର୍ତ୍ତୀ ତିନି ବର୍ଷ ଶିବକୁମାର ମୁଖ୍ୟମନ୍ତ୍ରୀ ପଦରେ ରହିବେ। ଏହି ଫର୍ମୁଲାରେ କଂଗ୍ରେସରେ ବିଦ୍ରୋହ ଆଶଙ୍କା ବି କମ ହେବ ବୋଲି ଆଲୋଚନା ହେଉଛି।
କଂଗ୍ରେସର ଲୋକପ୍ରିୟ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଆଉ ନିର୍ବାଚନ ଲଢ଼ିବେନି ବୋଲି କହି ସାରିଛନ୍ତି। ଏହା କହି ସେ ଲୋକଙ୍କୁ ଭୋଟ ମାଗିଛନ୍ତି। ତେଣୁ ତାଙ୍କୁ ୫ ବର୍ଷ ଧରି ମୁଖ୍ୟମନ୍ତ୍ରୀ ଭାବେ ରଖି ଆଗକୁ ଦଳ ନିର୍ବାଚନ କାହା ଚେହେରାକୁ ନେଇ ଲଢ଼ିବ। ଜଣେ ବିଦାୟୀ ନେତାଙ୍କୁ ନେଇ ଦଳ ନିର୍ବାଚନରେ ପ୍ରୋଜେକ୍ଟ କରିବନି।
ତେଣୁ ଦଳ ପ୍ରଥମ ୨ ବର୍ଷ ସିଦ୍ଦରମୈୟା ଓ ପରବର୍ତୀ ତିନି ବର୍ଷ ଶିବକୁମାରଙ୍କୁ ମୁଖ୍ୟମନ୍ତ୍ରୀ କରିବାର ସମ୍ଭାବନା ରହିଛି। ଏପରିକି ଡି କେ ଶିବକୁମାରଙ୍କ ବିରୋଧରେ ଇଡି ଓ ସିବିଆଇରେ ମାମଲା ରହିଛି। ମନି ଲଣ୍ଡରିଂ ପ୍ରସଙ୍ଗରେ ଶିବକୁମାର ଜେଲ ବି ଯାଇଛନ୍ତି।
ତେଣୁ ମୁଖ୍ୟମନ୍ତ୍ରୀ ହେବା ପରେ ଯଦି ସେ ଗିରଫ ହୁଅନ୍ତି ତେବେ ଆଗାମୀ ନିର୍ବାଚନଗୁଡିକରେ ଦଳ ଉପରେ ପ୍ରଭାବ ପଡିପାରେ। ତେଣୁ କଂଗ୍ରେସ ଦୁଇ ତିନି ଫର୍ମୁଲା ଆପଣାଇ ପାରେ ବୋଲି କୁହାଯାଉଛି।
ଆଗକୁ ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନ ସହ ତେଲେଙ୍ଗାନା ନିର୍ବାଚନ ରହିଛି। ଏପରିକି ଦେଶର ସାଧାରଣ ନିର୍ବାଚନ ମଧ୍ୟ ରହିଛି। ଏ ସବୁ ସରିବା ପରେ ମୁଖ୍ୟମନ୍ତ୍ରୀ ପଦ ଶିବକୁମାରଙ୍କୁ ଦିଆଯାଇ ପାରେ। ସେ ପର୍ଯ୍ୟନ୍ତ ତାଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ମିଳିପାରେ।
ତେଣୁ କର୍ଣ୍ଣାଟକରେ ଦଳ ଭିତରେ କିଛି ବି ଅଶାନ୍ତି ନ ହେଉ ବୋଲି କଂଗ୍ରେସ ଶୀର୍ଷ ନେତୃତ୍ୱ ଚାହୁଁଥିବା କୁହାଯାଉଛି।
Comments are closed.