ନୂଆଦିଲ୍ଲୀ: ଯୁକ୍ତ ଆରବ ଏମିରେଟ୍ସ (UAE) ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଇରାନ ସହିତ ସମସ୍ତ ବାଣିଜ୍ୟ, ବ୍ୟବସାୟିକ କାରବାର ଏବଂ ଆର୍ଥିକ କାରବାରକୁ ସ୍ଥଗିତ ରଖିଛି। ଇରାନ ସହ ଜଡ଼ିତ କ୍ଷେପଣାସ୍ତ୍ର ସମ୍ବନ୍ଧୀୟ ଏକ ନୂତନ ବିବାଦ ପରେ UAE ଏହି ନିଷ୍ପତ୍ତି ନେଇଛି। ଏହା ଉଭୟ ଦେଶ ମଧ୍ୟରେ ଥିବା ସମ୍ପର୍କ ଉପରେ ଏକ ବଡ଼ ଧରଣର ଝଟକା ଲାଗିଛି ।
UAE ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁଯାୟୀ, ବାୟୁ ପ୍ରତିରକ୍ଷା ପ୍ରଣାଳୀ ମଙ୍ଗଳବାର ଦିନ ଇରାନରୁ ନିକ୍ଷେପ କରାଯାଇଥିବା ଦୁଇଟି ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଚିହ୍ନଟ କରିଥିଲା। ଏହା ପରେ UAEର ଲୋକଙ୍କ ମୋବାଇଲ୍ ଫୋନ୍କୁ କିଛି ସମୟ ପାଇଁ ଏକ କ୍ଷେପଣାସ୍ତ୍ର ବିପଦ ସତର୍କତା ପଠାଯାଇଥିଲା।
ୟୁଏଇ (UAE) କହିଛି ଯେ ଏହାର ତଦନ୍ତରୁ ଜଣାପଡ଼ିଛି ଯେ ସାମୁଦ୍ରିକ ଜାହାଜଗୁଡ଼ିକୁ ଲକ୍ଷ୍ୟ କରି ଉକ୍ତ ଦୁଇଟି କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇଥିଲା। ଗୋଟିଏ କ୍ଷେପଣାସ୍ତ୍ର ୟୁଏଇର ସାମୁଦ୍ରିକ ସୀମା ବାହାରେ ସମୁଦ୍ରରେ ପଡ଼ିଥିବାବେଳେ ଅନ୍ୟଟି ସୀମା ମଧ୍ୟରେ ପଡ଼ିଥିଲା। ୟୁଏଇ ଅନୁଯାୟୀ,କୌଣସି କ୍ଷୟକ୍ଷତି କିମ୍ବା ଆହତ ହେବାର ଖବର ମିଳିନାହିଁ।
ଇରାନ ଏହି କ୍ଷେପଣାସ୍ତ୍ର ନିକ୍ଷେପ କରିବା କଥାକୁ ଅସ୍ୱୀକାର କରିଛି। ଇରାନ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଇସ୍ମାଇଲ ବାଘାଇ ୟୁଏଇର ଅଭିଯୋଗକୁ ଭିତ୍ତିହୀନ ବୋଲି କହି ଖଣ୍ଡନ କରିଛନ୍ତି ଏବଂ ଏହି ଅଞ୍ଚଳର ଦେଶଗୁଡ଼ିକୁ ଏଭଳି ଅଭିଯୋଗ କରିବାରୁ ନିବୃତ୍ତ ରହିବାକୁ ଆହ୍ୱାନ ଦେଇଛନ୍ତି।
କ୍ଷେପଣାସ୍ତ୍ର ଘଟଣା ପରେ, ୟୁଏଇ (UAE)ର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଇରାନ ବିରୁଦ୍ଧରେ ଏକ ବଡ଼ ଆର୍ଥିକ ପଦକ୍ଷେପ ଗ୍ରହଣ କରିଛି। ମନ୍ତ୍ରଣାଳୟର ଯୋଗାଯୋଗ ନିର୍ଦ୍ଦେଶକ ଆଫ୍ରା ଅଲ୍ ହାମେଲି କହିଛନ୍ତି ଯେ ଅଞ୍ଚଳରେ ବୃଦ୍ଧି ପାଉଥିବା ଉତ୍ତେଜନା ଶାନ୍ତି ଓ ନିରାପତ୍ତା ପାଇଁ ବିପଦ ସୃଷ୍ଟି କରୁଛି। ଫଳସ୍ୱରୂପ, ଇରାନ ସହିତ ସମସ୍ତ ବାଣିଜ୍ୟ, ବାଣିଜ୍ୟିକ ଆଦାନପ୍ରଦାନ ଏବଂ ଆର୍ଥିକ କାରବାରକୁ ସ୍ଥଗିତ ରଖାଯାଇଛି। ଏହି ସ୍ଥଗିତାଦେଶ କେତେ ସମୟ ପର୍ଯ୍ୟନ୍ତ ବଳବତ୍ତର ରହିବ, ସେ ନେଇ କୌଣସି ସମୟସୀମା ନିର୍ଦ୍ଧାରଣ କରାଯାଇନାହିଁ।


Comments are closed.